ଓଡ଼ିଶାରେ ନକଲି ସାର୍ଟିଫିକେଟ୍‌ଧାରୀ! ଗ୍ବାଲିଅର ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁ‌କେସନ ବାଣ୍ଟିଛି ସାର୍ଟିଫିକେଟ୍‌

ସ୍କୁଲ ଓ କଲେଜ ଅଧ୍ୟକ୍ଷଙ୍କୁ ସଚେତନ କରାଇଲା ଗଣଶିକ୍ଷା ବିଭାଗ, ୨୨୬ କଲେଜକୁ ମଗାଗଲା ଖାଲିଥିବା ଅଣ-ଶିକ୍ଷକ ପଦ

ଭୁବନେଶ୍ବର: ଓଡ଼ିଶାରେ ବୁଲୁଛନ୍ତି ନକଲି ସାର୍ଟିଫିକେଟ୍‌ଧାରୀ ଛାତ୍ରଛାତ୍ରୀ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅନୁବନ୍ଧିତ ନ ଥାଇ ପରୀକ୍ଷା ପରିଚାଳନା କରୁଥିବା ଦେଶର କେତେକ ବୋର୍ଡ(ପରିଷଦ) ପିଲାମାନଙ୍କୁ ସାର୍ଟିଫିକେଟ୍‌ ବାଣ୍ଟିଛନ୍ତି। ପ୍ରଚୁର ଟଙ୍କା ବଦଳରେ ପିଲାମାନଙ୍କ ଭବିଷ୍ୟତ ସହ ଖେଳିଛନ୍ତି। ପାସ୍‌ ନ କରି ନଥିବା ପିଲାମାନଙ୍କୁ ସାର୍ଟିଫିକେଟ୍‌ ଦେଇଛନ୍ତି। ‘ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁ‌କେସନ, ଗ୍ବାଲିଅର’ ନାମକ ସଂସ୍ଥା‌ ଏଭଳି ନକଲି ସାର୍ଟିଫିକେଟ୍‌ ବାଣ୍ଟିଛି। ଓଡ଼ିଶା ସମେତ ଦେଶର ଅନ୍ୟ ରାଜ୍ୟରେ ଏହି ସଂସ୍ଥା ନିଜର କାୟା ବିସ୍ତାର କରିଛି। ସିବିଆଇର ଦୁର୍ନୀତି ନିବାରଣ ଶାଖା, ଡେରାଡୁନ୍‌ ପକ୍ଷରୁ ଆପରାଧିକ ମାମଲାର ତଦନ୍ତ କରାଯିବା ପରେ ସମସ୍ତ ଘଟଣା ପଦାକୁ ଆସିଛି। ଉକ୍ତ ପରିଷଦ ପକ୍ଷରୁ ସାର୍ଟିଫିକେଟ୍‌ ହାତେଇଥିବା ଛାତ୍ରଛାତ୍ରୀ ଯେପରି ଓଡ଼ିଶାର କୌଣସି ବିଦ୍ୟାଳୟ/କଲେଜରେ ନାମ ନ ଲେଖାନ୍ତି କିମ୍ବା ସାର୍ଟିଫିକେଟ୍‌ ଦେଇ ଚାକିରି ନ ପାଆନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଗତ ଜୁଲାଇ ମାସରେ ସିବିଆଇ, ଡେରାଡୁନ୍‌ ପକ୍ଷରୁ ଏନେଇ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଆସିଥିଲା। ଏହାପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ, ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ, ମାଧ୍ୟମିକ ଶିକ୍ଷା, ପ୍ରାଥମିକ ଶିକ୍ଷା, ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓସେପା ନିର୍ଦେଶକଙ୍କୁ ଚିଠି ଲେଖାଯାଇଛି। ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌ ଭଲ ଭାବେ ଯାଞ୍ଚ କରିବାକୁ କୁହାଯାଇଛି। ଏଥିସହ ନିଯୁକ୍ତି ସମୟରେ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌ଗୁଡ଼ିକୁ ଭଲ ଭାବେ ଦେଖିବାକୁ ନିର୍ଦେଶ ଦିଆଯାଇଛି। ଯଦି କୌଣସି ସ୍ଥାନରେ ସନ୍ଦେହ ସୃଷ୍ଟି ହେବ, ତେ‌ବେ ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇବେ।

ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସାର୍ଟିଫିକେଟ୍‌ ନେଇ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି। ସରକାରୀ ଓ ଘରୋଇ ସଂସ୍ଥାରେ ନିଯୁକ୍ତି ଲାଗି ଆବେଦନ କରୁଛନ୍ତି। ଏମିତିକି ଓଡ଼ିଶା ସମେତ ଦେଶର ଅନ୍ୟ ରାଜ୍ୟର କେତେକ ସ୍କୁଲ ଓ କଲେଜ ଉକ୍ତ ପରିଷଦର ଅନୁବନ୍ଧିତ ହୋଇଛନ୍ତି। ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେବା ଲାଗି ଲାଗି ଫର୍ମ ପୂରଣ କରିଛନ୍ତି। ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ବି ବାଣ୍ଟିଥିବା ଜଣାପଡ଼ିଛି। ତେଣୁ ଏଭଳି ନକଲି ମାର୍କସିଟ୍‌ ଓ ସାର୍ଟିଫିକେଟ୍‌ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ନାମଲେଖା ଓ ନିଯୁକ୍ତିରୁ ବାଦ୍‌ ଦେବାକୁ ପରାମର୍ଶ ଦିଆଯାଇଛି। ଯଦି ‌କୌଣସି ସ୍କୁଲ କିମ୍ବା କଲେଜ ଏହି ପରିଷଦ ସହ ଅନୁବନ୍ଧିତ ହୋଇଥିବେ, ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ବାଣ୍ଟୁଥିବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି କ୍ରମରେ ଗତକାଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ରାଜ୍ୟରେ ଥିବା ୬୬୨ ବର୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ଚିଠି ଲେଖାଯାଇଛି। ଏଭଳି ନକଲି ସାର୍ଟିଫିକେଟ୍‌ଧାରୀ କୌଣସି ବ୍ୟକ୍ତି ଯଦି କଲେଜରେ ନିଯୁକ୍ତି ପାଇଥିବେ କିମ୍ବା କୌଣସି ଛାତ୍ରଛାତ୍ରୀ ନାମ ଲେଖାଇଥିବେ, ୧୫ଦିନ ମଧ୍ୟରେ ଜଣାଇବାକୁ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି।
ଅନ୍ୟପକ୍ଷରେ ରାଜ୍ୟରେ ଥିବା ୧୭ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୨୦୯ଟି ୪୮୮ ବର୍ଗ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲିଥିବା ଅଣ-ଶିକ୍ଷକ ପଦଗୁଡ଼ିକ ପୂରଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। କେଉଁ କଲେଜରେ କେତେ ସିଟ୍‌ ଖାଲି ରହିଛି, ସେନେଇ ଆସନ୍ତା ୨୫ତାରିଖ ସୁଦ୍ଧା ଜଣାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନି‌ର୍ଦେଶାଳୟ ପକ୍ଷରୁ କଲେଜ ଅଧ୍ୟକ୍ଷମାନଙ୍କୁ ନି‌ର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର