ରାଜଧାନୀରେ ନକଲି ମୋବିଲ କାରଖାନା

୫ହଜାର ଲିଟର ନକଲି ମୋବିଲ୍‌ ଜବତ ଜଣେ ଗିରଫ କଞ୍ଚାମାଲ,ବଟଲ, ମେସିନ୍‌, ୨ଟି ଗାଡ଼ି ଜବତ

ଭୁବନେଶ୍ୱର: ଦୀର୍ଘ ଦିନ ଧରି ମଞ୍ଚେଶ୍ୱର ଥାନା ଅଧୀନ ସମେଇଗାଡ଼ିଆ ଅଞ୍ଚଳରେ ବେଆଇନ୍‌ ଭାବେ ଚାଲିଥିବା ଏକ ନକଲି ମୋବିଲ୍‌ କାରଖାନାକୁ ଆଜି କ୍ୟୁଏଟି ଟିମ୍‌ ଠାବ କରିଛି। କ୍ୟୁଏଟି ଓ ମଞ୍ଚେଶ୍ୱର ଥାନା ପୁଲିସ ମିଳିତଭାବେ ଚଢ଼ଉ କରି ସେଠାରୁ ସଂସ୍ଥାର ମୁଖ୍ୟକୁ ଗିରଫ କରିବା ସହ ୫ହଜାର ଲିଟ୍‌ର ନକଲି ମୋବିଲ୍‌, ୧୦ ହଜାର ଲିଟର କଞ୍ଚାମାଲ, ୨ଟି ଟାଟା ଏସ୍‌ଇ ଗାଡ଼ି, ସିଲ୍‌ ଓ ଟ୍ୟାଗ୍‌ ମେସିନ୍‌, ମୋବିଲ୍‌ ବଟଲ୍‌ ଆଦି ବହୁ ସାମଗ୍ରୀ ଜବତ କରିଛି। ଗିରଫ ହୋଇଥିବା ସଂସ୍ଥା ମୁଖ୍ୟ ନାଁ ବାବାଜି ସାହୁ(୪୫)। ଘର ଜଗତସିଂହପୁର ଜିଲ୍ଲା ମାର୍କଣ୍ଡପୁର ଅଞ୍ଚଳରେ। ଏଠାରେ ଚକେଇସିଆଣି ଅଞ୍ଚଳରେ ରହି ନକଲି ମୋବିଲ୍‌ କାରଖାନା ଚଲାଉଥିଲା।

ପୁଲିସ ସୂଚନା ମୁତାବକ, ଗତ ୨ବର୍ଷରୁ ଅଧିକ ସମୟ ହେବ ବାବାଜି ସମେଇଗାଡ଼ିଆ ଅଞ୍ଚଳରେ ନକଲି ମୋବିଲ୍‌ କାରଖାନା ଚଲାଉଥିବା କ୍ୟୁଏଟି ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା। ତେଣୁ ନକଲି କାରଖାନାର ପର୍ଦାଫାସ କରିବା ସହିତ ବାବାଜିକୁ ଗିରଫ କରିବା ପାଇଁ କ୍ୟୁଏଟି ମୁଖ୍ୟ ଦୀପକ ଲେଙ୍କା ଓ ମଞ୍ଚେଶ୍ୱର ଥାନା ପୁଲିସ ମିଳିତ ଭାବେ ଯୋଜନା କରିଥିଲେ। ଯୋଜନା ମୁତାବକ ରବିବାର ଦିନ କାରଖାନା ଉପରେ ପୁଲିସ ଚଢ଼ଉ କରିଥିଲା। ଏନେଇ ମଞ୍ଚେଶ୍ୱର ଥାନା ପୁଲିସ ଏକ ମାମଲା ରୁଜୁ କରି ଆଜି ବାବାଜିକୁ କୋର୍ଟ ଚାଲାଣ କରିଛି। ବାବାଜି ନକଲି ମୋବିଲ୍‌ ବିକ୍ରି କରି ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲା ବୋଲି ପୁଲିସ ଆଗରେ କହିଛି।

ଏମିତି ତିଆରି ହେଉଥିଲା ନକଲି ମୋବିଲ୍‌

ନକଲି ମୋବିଲ୍‌ ତିଆରି ପାଇଁ ବାବାଜି ରାଜଧାନୀ ସମତେ ଆଖପାଖ ଅଞ୍ଚଳରେ ଥିବା ଗ୍ୟାରେଜ ଓ ସୋରୁମ୍‌ ହଜାର ହଜାର ଲିଟର୍‌ ପୋଡ଼ା ମୋବିଲ୍‌ ସଂଗ୍ରହ କରୁଥିଲା। ପୋଡ଼ା ମୋବିଲ୍‌କୁ ଲିଟର୍‌ ପିଛା ୧୦-୧୨ଟଙ୍କା କିଣି ଜଗତ୍‌ସିଂହପୁର ଅଞ୍ଚଳରେ ଥିବା ନିଜର ଏକ ରିଫାଇନର୍‌ରେ ରିଫାଇନ୍‌ କରୁଥିଲା। ସେଠାରୁ ବାହାରୁଥିବା ବ୍ୟାରେଲ୍‌ ବ୍ୟାରେଲ୍‌ ରିଫାଇନ୍‌ ମୋବିଲ୍‌କୁ ସାମେଇଗାଡ଼ିଆ ଅଞ୍ଚଳରେ ଥିବା କାରଖାନାକୁ ପଠାଉଥିଲା। ଏହାପରେ ସେଠାରେ ବିଭିନ୍ନ ରଙ୍ଗ ମିଶାଇ ନକଲି ମୋବିଲ୍‌କୁ ପ୍ରସ୍ତୁତ କରୁଥିଲା।

ରିହାତିରେ ମିଳୁଥିଲା ଦାମୀ ମୋବିଲ୍‌

ବାବାଜି ବଜାରରେ ନିଜର ପ୍ରଡକ୍ଟ ବିକ୍ରି ପାଇଁ ଦୋକାନୀମାନଙ୍କୁ ମୋଟା ଅଙ୍କର ରିହାତି ଦେଉଥିଲା। ଦୋକାନୀମାନଙ୍କୁ ଲିଟ୍‌ର ପିଛା ୫୦-୭୦ ଟଙ୍କା କମିସନ୍‌ ଦିଆଯାଉଥିଲା। ଫଳରେ ଦୋକାନୀମାନେ ବାବାଜିର ପ୍ରଡକ୍ଟକୁ ବିକ୍ରି କରିବା ପାଇଁ ଆଗ୍ରହ କରୁଥିଲେ। ସେହିପରି ଦୋକାନୀମାନେ ମଧ୍ୟ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଲିଟର୍‌ ପିଛା ୧୦-୨୦ ଟଙ୍କା ରିହାତିରେ ମୋବିଲ୍‌ ବିକ୍ରି କରୁଥିଲେ। ବଜାରରେ ମୋବିଲ୍‌ ଲିଟର ୨୯୦ ଟଙ୍କାରୁ ୩୦୦ଟଙ୍କାରେ ବିକ୍ରି କରାଯାଉଥିଲା। ଯେଉଁ ଦୋକାନୀଙ୍କୁ ଏହି ମୋବିଲ୍‌ ପଠାଯାଉଥିଲା ସେମାନଙ୍କୁ ଏ ସଂପର୍କରେ ଅବଗତ କରାଯାଉଥିଲା। ନକଲି ମୋବିଲ୍‌ ବୋତଲ, ଟ୍ୟାଗ୍‌, ଲୋଗୋ ଓ ସିଲ୍‌ ଏଭଳି ଭାବେ କରାଯାଉଥିଲା ଯେ ଏହା ନକଲି ବୋଲି କେହି ସହଜରେ ବିଶ୍ୱାସ କରିପାରିବେ ନାହିଁ। ସମ୍ପୂର୍ଣ୍ଣ ପ୍ରସ୍ତୁତ ପରେ ମୋବିଲ୍‌ଗୁଡ଼ିକୁ ରାଜଧାନୀର ବିଭିନ୍ନ ଦୋକାନ ସମେତ ପିପିଲି,ନିମାପଡ଼ା, ନୟାଗଡ଼, ଆଠଗଡ଼, କଟକ, ଜଗତସିଂହପୁର ଭଳି ଆଖପାଖ ଅଞ୍ଚଳକୁ ଚାଲାଣ ହେଉଥିଲା।

କଲିକତାରୁ ଆସୁଥିଲା ବଟଲ୍‌, କ୍ୟାପ୍‌, ଟ୍ୟାଗ ଓ ଲୋଗୋ

ବଜାରର ଚାହିଦା ଅନୁସାରେ ବାବାଜି କ୍ୟାଷ୍ଟ୍ରୋଲ୍‌, ସର୍ଭୋ ଭଳି ବିଭିନ୍ନ ନାମୀଦାମୀ ସଂସ୍ଥାର ବ୍ରାଣ୍ଡ କରି ବଜାରରେ ବିକ୍ରି କରୁଥିଲା। ଏଥିପାଇଁ କଲିକତାରୁ ବ୍ରାଣ୍ଡଗୁଡ଼ିକର ନକଲି ବୋତଲ, ଟ୍ୟାଗ୍‌, ଲୋଗୋ, କ୍ୟାପ ଆଦି କ୍ରୟ କୁରୁଥିଲା। ସେହି ବୋତଲରେ ନକଲି ମୋବିଲ୍‌ ଭର୍ତ୍ତି କରି ମେସିନ୍‌ ସାହାଯ୍ୟରେ ବୋତଲ୍‌ଗୁଡ଼ିକୁ ସିଲ୍‌ କରୁଥିଲା।

ସମ୍ବନ୍ଧିତ ଖବର