ଅୟି ଗିରିନନ୍ଦିନୀ…

ତିତ୍‌ଲି ଆସି ଲେଉଟି ଯାଇଛି। ପାର୍ବଣକୁ ନେଇ ପରିବେଶ ଉତ୍ସବମୁଖର ହୋଇଛି। ପୂଜାକୁ ନେଇ କିଏ କେମିତି ଉତ୍ସବ ମନାଇବ, ସେନେଇ ଯୋଜନା ସରିଛି। କିଣାକିଣି ପାଇଁ ପୂଜା ବଜାରକୁ ସୁଅ ଛୁଟିଛି। ରିହାତି ସାଙ୍ଗକୁ ନୂଆ ଶୈଳୀର ପୋଷାକରେ ସଜେଇ ହୋଇ ବୁଲିବାକୁ ମନ ଲୋଡ଼ିଛି। ଦାଣ୍ଡିଆରେ ମଉଜ କରିବାକୁ ବୁକିଂ ସରିଲାଣି। ନୃତ୍ୟ ପ୍ରତିଯୋଗିତାରେ ଶୀର୍ଷରେ ରହିବାକୁ ଘରେ ଅଭ୍ୟାସ ଆରମ୍ଭ ହୋଇଗଲାଣି। ପୋଷାକରେ ଚମକ ଦେଖେଇ ପୁରସ୍କାର ଜିତିବାକୁ ଦାମୀ ପୋଷାକ କିଣା ସରିଛି। ଖାଦ୍ୟ ମେନୁରେ କିଏ କ’ଣ ଖାଇବ ତାଲିକା ପ୍ରସ୍ତୁତ ସରିଛି। ମା’ଙ୍କ ପୂଜାରେ ‌ନୂଆନୂଆ ଗୀତରେ ଦର୍ଶକଙ୍କ ମନ ହରିବାକୁ ନୂଆ ଗୀତ ପ୍ରସ୍ତୁତ ହୋଇଛି। ମେଲୋଡ଼ିରେ ନୂଆ ଗୀତର ଅଭ୍ୟାସ ଚୂଡ଼ାନ୍ତ ପର୍ଯ୍ୟାୟ‌େର ପହଞ୍ଚିଛି। ତୋରଣରେ ଚକ୍‌ମା ଦେଖାଉଥିବା ଭୁବନେଶ୍ବରର ଘରେଘରେ କୁଣିଆ ପହଞ୍ଚିଗଲେଣି। ଆଉ ମାତ୍ର କେଇ ଘଣ୍ଟାର ବ୍ୟବଧାନ ପରେ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ମା’। ପୁଣି ପାରମ୍ପରିକ କଳାକାରଙ୍କ ଗହଣରେ ମେଲାଣି ନେବେ ମା’। ଏଥିପାଇଁ ପାରମ୍ପରିକ କଳାକାର ଦଳକୁ ବଇନା ଦିଆସରିଥିବା ବେଳେ ଏହାକୁ ପ୍ରତ୍ୟକ୍ଷ କରିବାକୁ ଉତ୍ସୁକତା ବଢ଼ିଲାଣି। ସାଧାରଣ ଲୋକଙ୍କଠୁ ନେଇ ସେଲେବ୍ରିଟିଙ୍କ ପର୍ଯ୍ୟନ୍ତ, ସମସ୍ତେ ସେ‌େଲବ୍ରେସନ୍‌ ମୁଡ୍‌ରେ।

ମା’ଙ୍କ ଗୀତରେ ମତୁଆଲା

ମା’ଙ୍କ ଗୀତକୁ ନେଇ ଝୁମିଲେଣି ସଂଗୀତ ପ୍ରେମୀ। ନିଆରା ଢଙ୍ଗରେ ମେଲୋଡିୟସ ଧୁନ୍‌ରେ ପ୍ରସ୍ତୁତ ହୋଇଥିବା ମା’ ଦୁର୍ଗାଙ୍କ ଗୀତ ମତୁଆଲା କଲାଣି। ମ୍ୟୁଜିକ୍‌ ମେକର ଅଭିଜିତ ମଜୁଦମଦାର ଏଥର ଦୁର୍ଗାପୂଜାରେ ମୁକ୍ତିଲାଭ ହେବାକୁ ଥିବା ‘ଶ୍ରୀମାନ ସୁର୍‌ଦାସ’ ଜରିଆରେ ଭେଟି ଦେଇଛନ୍ତି ‘ଏଇଥର ଦଶହରାରେ ମିିଳିଯାଉ ଗୋଟେ ବଲ୍‌ମା…। ଗୀତଟି ଲେଖିଛନ୍ତି ଡ.ନିର୍ମଳ ନାୟକ। ୟୁ-ଟ୍ୟୁବ୍‌ରେ ଗୀତଟି ଆସି ସାରିଥିବାରୁ ବର୍ତମାନ ସୁଦ୍ଧା ଏହି ଗୀତଟିକୁ ୪ଲକ୍ଷ ୩୦ ହଜାର ଦର୍ଶକ ଦେଖିସାରିଲେଣି। ଏହି ଗୀତରେ ବାବୁସାନଙ୍କ ସମେତ ସଂଗୀତ ନିର୍ଦେଶକ ଅଭିଜିତ ମଜୁମଦାରଙ୍କୁ ମଧ୍ୟ ପରଦାରେ ଦେଖିବାକୁ ମିଳିଛି। ପୂର୍ବ ବର୍ଷ ମା’ ଦୁର୍ଗାଙ୍କ ଉପରେ ଗୀତ ଗାଇ ଚର୍ଚାରେ ଥିବା ଅସୀମା ପଣ୍ଡାଙ୍କର ଚଳିତ ବର୍ଷ ୨ଟି ଗୀତ ପ୍ରସ୍ତୁତ ହୋଇଛି। ନିହାର ପ୍ରିୟାଶିଷଙ୍କ ରଚନାରେ ଅସୀମା ଗାଇଥିବା ‘ଡମ୍‌ଡମ୍‌ ବାଜିଲା ଢୋଲ୍‌ ଶୁଭିଲାଣି ଶଙ୍ଖ…. ଗୀତକୁ ଏପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏଥିସହ ଟୁଟୁଙ୍କ ନିର୍ଦେଶନାରେ ଅସୀମା ପଣ୍ଡାଙ୍କ କଣ୍ଠରେ ‘ଘର ଦୁଆର ଅଗଣା ସଜାଲୋ…ଗୀତ ୟୁ-ଟ୍ୟୁବ୍‌ରେ ମନ ଜିଣିଛି।

ଚଳିତ ବର୍ଷ କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି ‘ମା ତୁମେ ଜଗତର ସାହା ଭରସା…ଗୀତ ଗାଇ ପୁଣି ଏକ ଭକ୍ତିର ଦୁନିଆକୁ ଫେରାଇ ନେଉଛନ୍ତି। ସୁରେନ୍ଦ୍ରନାଥ ସାହୁଙ୍କ ଗୀତକୁ ବେଶ୍‌ ଭାବ ଦେଇ ପରିବେଷଣ କରିଛନ୍ତି ଯୁବ କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି।

ଯୁବପିଢ଼ିଙ୍କ ମଧ୍ୟରେ ନୃତ୍ୟ, ପୋଷାକ ପ୍ରତିଯୋଗିତା

ନବରାତ୍ର ଆସୁଥିବାରୁ ଯୁବପିଢ଼ିଙ୍କ ମଧ୍ୟରେ ଦାଣ୍ଡିଆକୁ ନେଇ ବେଶ୍‌ ଉତ୍ସାହ। ଏହି ଅବସରରେ କିଛି ସ୍ବତନ୍ତ୍ର ଭେଟି ଦେବା ନେଇ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ‘ପ୍ରୟାସ’ ପକ୍ଷରୁ ଦାଣ୍ଡିଆ କୁଇନ୍‌ ଭଳି ପ୍ରତିଯୋଗିତା ରଖାଯାଇଥିବା ବେଳେ ପାରମ୍ପରିକ ପୋଷାକରେ ସଜେଇ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି କିଛି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ। ଏଥିପାଇଁ ଏବେଠୁ ନାଚ ସହ ଗୀତର ଅଭ୍ୟାସ ଚାଳିଲାଣି। ଛୋଟପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ି ପର୍ଯ୍ୟନ୍ତ ସମସ୍ତେ ପ୍ରତିଯୋଗିତାରେ ସାମିଲ ହେବେ। ଗ୍ରୁପ୍ ଓ ଯୋଡ଼ି ଆକାରରେ ପ୍ରତିଯୋଗୀ ସାମିଲ୍‌ ହେବେ। ଦାଣ୍ଡିଆ ଓ ଗରୱା ନୃତ୍ୟରେ ସାରା ସହର ଝୁମିବ। ନୂଆ ଯୋଡ଼ି ଓ ପ୍ରେମୀ ଯୁଗଳଙ୍କ ମଧ୍ୟରେ ପ୍ରତିଯୋଗିତା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ। ଶ୍ରେ‌ଷ୍ଠ ଯୋଡ଼ିଙ୍କୁ ପୁରସ୍କୃତ କରାଯିବ। ଏହା ସହିତ ମହିଳାମାନଙ୍କ ଭିତରେ ପୋଷାକ ଓ ଅଳଙ୍କାରକୁ ନେଇ ପ୍ରତିଯୋଗିତା ରହିଛି। ରାଜସ୍ଥାନୀ ପରମ୍ପରାରେ ଲେହେଙ୍ଗା ଚୋଲି ପିନ୍ଧିଥିବା ମହିଳାଙ୍କୁ ପୁରସ୍କୃତ କରାଯିବ ବୋଲି ‘ଓଡ଼ିଶା ଇଣ୍ଟର‌୍‌ନ୍ୟାସ୍‌ନାଲ୍‌ ସେଣ୍ଟର’ ପକ୍ଷରୁ ଆ‌ୟୋଜିତ ଦାଣ୍ଡିଆ ମହୋତ୍ସବର ଅଧ୍ୟକ୍ଷା ସୁଚିସ୍ମିତା ପୃଷ୍ଟି କହିଛନ୍ତି।

ସମ୍ମୋହିତ କରିବ ‘ମାତା କା ଜାଗରଣ’

ଦିଲ୍ଲୀ, ଜମ୍ମୁ କଶ୍ମୀର ଓ ପଂଜାବ ଭଳି ମା’ଙ୍କ ଗୀତରେ ଝୁମିଝୁମି ନାଚିବାର ଅବକାଶ ସୃଷ୍ଟି ହେବ। ସହିଦ ନଗର ଦୁର୍ଗାପୂଜା ସମିତି ପକ୍ଷରୁ ଦୁର୍ଗାପୂଜା ପଡ଼ିଆରେ ଦଶହରାରେ ଜମିବ ଭାବ ଓ ଆବେଗର ପରିବେଶ। ମୁମ୍ବାଇର କଣ୍ଠଶିଳ୍ପୀ ଅନିଲ୍‌ ବାୱରା ଓ ସାଥୀ ମାତା କି ଜାଗରଣ ଗୀତରେ ‌ଭକ୍ତଙ୍କୁ ଧୁମ୍‌ ନଚାଇବେ। ଗୀତ ଓ ସ୍ବରରେ ଏତେ ଶକ୍ତି ଯେ, ଛିଡ଼ା ହୋଇଥିବା ପ୍ରତିଟି ଲୋକ ଗୀତରେ ନାଚି ଉଠନ୍ତି। ଯଦି ଭକ୍ତି ଓ ଭାବରେ ମାତା କା ଜାଗରଣ ଆସର ଜମେ ତେବେ ସ୍ବୟଂ ଦେବୀ ମା’ ମଧ୍ୟ ଧରାପୃଷ୍ଠକୁ ଓହ୍ଲାଇ ଆସନ୍ତି ବୋଲି ବିଶ୍ବାସ ଅଛି। ସେଇ ଦୃଷ୍ଟିରୁ ପ୍ରଥମ ଥର ପାଇଁ ଲୋକଙ୍କୁ ଏଭଳି ଏକ ସୁଯୋଗ ମିଳିବ।

ଦୁଲୁକାଇବେ ୧୦ହଜାର ପାରମ୍ପରିକ କଳାକାର

ଭସାଣିରେ ଚିତ୍ତାକର୍ଷକ ଅନୁଭବ ଦେବେ ୧୦ ହଜାରରୁ ଅଧିକ ପାରମ୍ପରିକ କଳାକାର। ଘଣ୍ଟ ମୃଦଙ୍ଗ ଓ ସଂକୀର୍ତନ ସାଙ୍ଗକୁ ଦୁଲଦୁଲି, ସମ୍ବଲପୁରୀ, ଘୋଡ଼ାନାଚ, ଯୋଡ଼ି ଶଙ୍ଖ, ନାଗା ନୃତ୍ୟ, ମୁଖା ନୃତ୍ୟ, ଶିଙ୍ଘ ବାଜା, ପଞ୍ଜାବୀ ବାଜା, ଷଣ୍ଢ ନାଚ, ଘୁମୁରା, କଣ୍ଢେଇ ନାଚ ଭଳି ନୃତ୍ୟର ସମାଗମ ହେବ। ବଡ଼ଗଡ଼ରେ ଆୟୋଜିତ ହର ପାର୍ବତୀ ଭସାଣି ଯାତ୍ରାରେ କେବଳ ୬୫୦ କଳାକାର ସାମିଲ୍‌ ହେବେ। ଯେଉଁଥିରେ ୫୦୦ରୁ ଅଧିକ ପାରମ୍ପରିକ କଳାକାର ଅଂଶଗ୍ରହଣ କରିବେ। ପୂର୍ବାହ୍ନ ୧୧ଟାରୁ ଭସାଣି ଯାତ୍ରା ଆରମ୍ଭ ହୋଇ ସନ୍ଧ୍ୟା ଯାଏଁ ଚାଲିବ। ଏଠିକାର ଭସାଣି ଯାତ୍ରାର ଆକର୍ଷଣ ଯୋଗୁଁ ଏହି ଅଞ୍ଚଳର ଘରମାନଙ୍କୁ କୁଣିଆମାନଙ୍କର ଆଗମନ ହୁଏ ବୋଲି କହିଛନ୍ତି ନେତାଜୀ ଯୁବକ ସଂଘର ସଭାପତି ସନ୍ତୋଷ ସିଂହ। ପୁରୁଣା ଷ୍ଟେସନ୍‌ ବଜାର ପୂଜା ସମିତି ଏଥର ଭସାଣିରେ ଆଉ ଏକ ନୂଆ ଅନୁଭବ ଦେବ। ଏଥିପାଇଁ ପୂଜା କମିଟି ପକ୍ଷରୁ ୭ଟି ଶଗଡ଼ ମଗାଯାଇଥିବା ବେଳେ ଭସାଣି ବେଳେ ଶଗଡ଼ ଉପରେ କଣ୍ଢେଇ ନାଟ ଓ କାଠ ଦୋଳିରେ ମଜିବେ ଶ୍ରଦ୍ଧାଳୁ। ଏଥିସହ ୧୫ରୁ ଅଧିକ ଦୁର୍ଗାପୂଜା ଅନୁଷ୍ଠାନ ଭସାଣିରେ ୨ଶହରୁ ଅଧିକ ଲେଖାଏଁ ପାରମ୍ପରିକ କଳାକାରଙ୍କୁ ଭସାଣିରେ ସାମିଲ୍ କରିବା ନେଇ ସୂଚନା ଦେଇଛନ୍ତି।

ମେଲୋଡିରେ ସମ୍ବଲପୁରୀରୁ ଭୋଜପୁରୀ

ପାର୍ବଣର ସାଜସଜା…ଶାରଦୀୟ ଦୁର୍ଗାପୂଜା…, ବଜାରେ ବଜା ‌ଢୋଲ୍‌ ବଜା…, ଢୋଲ୍‌ ବାଜେ…, ମେହେନ୍ଦୀ ରଙ୍ଗ ଲାଗି ମାଣୱେ…ରଙ୍ଗ ଗ‌େୟା ଗୁଜୁରାଟି…., ମେ ତୋ ଗରୱା ରଚାଉଙ୍ଗି….., ଉଞ୍ଚେ ମାତାଜୀ କୋ ଦେୱରୋ…, ଜଗଦମ୍ବା ଆନା ଗରବେ ମେ…, ଚଲୋ ମା ନା ଦର୍ଶନେ…. ପରି ରାସ୍‌ ଗରୱା ଗୀତରେ ମନୋରଂଜନ କରିବେ ମେଲୋଡି ଗ୍ରୁପ୍‌। ଡିଜେରେ ବି ଏହି ଧୁନ୍‌ ଜମିବ। ଓଡ଼ିଶାର ସମ୍ବଲପୁରୀ ଡିଜେ ଓ ମେଲୋଡିରେ କୋରାପୁଟ, ରାଜସ୍ଥାନୀ, ଭୋଜପୁରୀ ସଙ୍ଗୀତରେ ସମସ୍ତେ ଝୁମିବେ। ଏପରିକି ପୁରୁଣା ରୋମାଣ୍ଟିକ୍‌ ଓ ରିମିକ୍ସ ଓଡ଼ିଆ ଗୀତ ସହ ରାଜସ୍ଥାନୀ ମାସପ୍‌ ଓ ଡୁଏଟ୍‌ ଗୀତ ମଧ୍ୟ ସମସ୍ତ ପେଣ୍ଡାଲରେ ଶୁଣିବାକୁ ମିଳିବ। ଦାଣ୍ଡିଆ ସହ ମେ‌େ‌ଲାଡ଼ି ଓ ଡିଜେ ଅର୍କେଷ୍ଟ୍ରାରେ ରାଜଧାନୀ ଝୁମିବ ବୋଲି ‘ରିଦିମ୍‌ ବିଟ୍ସ୍‌ ଅର୍କେ‌ଷ୍ଟ୍ରା’ର ‌ମାଲିକ ନାରାୟଣ ଦେବ କହିଛନ୍ତି।

ପିନ୍ଧିବେ ଇଣ୍ଡୋ ୱେଷ୍ଟର୍ଣ୍ଣ ଷ୍ଟାଇଲ

ଆଉ ନାହିଁ ସେଇ ଚୁମ୍‌କି, କୁନ୍ଦନ କିମ୍ବା ପଥର ବସା ଓଜନିଆ ପୋଷାକର ଦିନ। ଏବେ ପରମ୍ପରା ସହ ମିଶିଛି ଆଧୁନିକତା। ଆଉ ଫ୍ୟାସନ୍‌ ଦୁନିଆ‌କୁ ପ୍ରବେଶ କରିଛି ଇଣ୍ଡୋ ୱେଷ୍ଟର୍ଣ୍ଣ ଷ୍ଟାଇଲ୍‌। ଇଣ୍ଡୋ ୱେଷ୍ଟର୍ଣ୍ଣ ଲଙ୍ଗ୍‌ ସ୍କଟ୍‌ ସହ କ୍ରପ୍‌ ଟପ୍‌ ଏବେ ଯୁବତୀଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ପାର୍ବଣରେ ଏକ ପାରମ୍ପରିକ ତଥା ସୁନ୍ଦର ଲୁକ୍‌ ଦେଉଛି। ପାଲାଜୋ ସହ ଲଙ୍ଗ୍‌ କୁର୍ତ୍ତି ପୁଣି ବିଭିନ୍ନ ଷ୍ଟାଇଲ୍‌ର ଆଙ୍କେଲ ଲେନ୍ଥ୍ ଜ୍ୟାକେଟ୍‌କୁ ଡିଜାଇନର୍‌ମାନେ ପୂଜା ପାଇଁ ଡିଜାଇନ୍‌ କରିଛନ୍ତି। ଏହି ସବୁ ଜ୍ୟାକେଟ୍‌ ସ୍ଲିପ୍‌ ଲେସ୍‌, ଫୁଲ୍‌ ସ୍ଲିପ୍‌, କହୁଣି ପର୍ଯ୍ୟନ୍ତ ବା ୱାନ୍‌ ଥାର୍ଡ ଆଦି ବିଭିନ୍ନ ଷ୍ଟାଇଲ୍‌ରେ ଆସୁଛି। ସେହିପରି ଲେହେଙ୍ଗାର ବ୍ଲାଉଜ୍‌ ହେଭି ୱାର୍କର ଅବା ଏ‌େମ୍ର୍ବାଡୋରିର ଆସୁଛି ବୋଲି କହିଛନ୍ତି ‘ନ୍ୟାସ୍‌ନାଲ୍‌ ଇନ୍‌‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାସନ୍‌ ଡିଜାଇନିଂ’ର ନିର୍ଦ୍ଦେଶିକା ସଂଧ୍ୟା ପଟ୍ଟନାୟକ। ପୁଣି କୁର୍ତ୍ତି ହେଉ ବା ଶାଢ଼ିରେ ବର୍ତ୍ତମାନ ଯୁବତୀଙ୍କଠାରୁ ଆରମ୍ଭ କରି ବୟସ୍କମାନେ ‘କଲମ୍‌କରି’ କାମକୁ ବେଶି ଗୁରୁତ୍ବ ଦେଉଛନ୍ତି। ଏଥିରେ ବୁଦ୍ଧଙ୍କ ମୁଣ୍ଡ, ମା’ ଦୁର୍ଗା ବା ବିଭିନ୍ନ ଦେବାଦେବୀଙ୍କ ମୁଣ୍ଡକୁ ଚିତ୍ରିତ କରାଯାଇଥାଏ। ସେହିପରି ପ‌ାରମ୍ପରିକ ଅଳଙ୍କାରରେ ଟେଡ୍‌କନ୍‌ ଷ୍ଟାଇଲ୍ ଓ ବ୍ରାସ ମେଟାଲ୍‌ ଅଳଙ୍କାର ବେଶ୍‌ ଚାଲିଛି ବୋଲି କହିଛନ୍ତି ଫ୍ୟାସନ୍‌ ଡିଜାଇନର୍‌ ସଂଧ୍ୟା ପଟ୍ଟନାୟକ।

ରଙ୍ଗ ଫ୍ୟାସନ୍‌ରେ ରାନି-କମଳା କମ୍ବୋ

ସମୟ ବଦଳିବା ସହ ଗୋଟିଏ ଗୋଟିଏ ରଙ୍ଗ ଫ୍ୟାସନ୍‌ ଦୁନିଆରେ ନିଜ ଛାପ ଛାଡ଼ିଯାଏ। ଏହି କ୍ରମରେ ଏ‌େବ ଫ୍ୟାସନ୍‌କୁ ଆସିଛି ରାନି-କମଳା ରଙ୍ଗ କମ୍ବୋ‌। ଲେ‌େହଙ୍ଗା ହେଉ ବା କୁର୍ତ୍ତି ଲେଙ୍ଗିନ୍‌ସ୍‌ ବା ଅନାର୍‌କଲି ଓ ଶାଢ଼ି, ସବୁଠି ରହିଛି ଏହି ରଙ୍ଗର ମିଶ୍ରିତ ରୂପ। ଏହା ସହ ଫ୍ୟାସନ୍‌ ଡିଜାଇନର୍‌ମାନେ ନିଜ ସୃଜନତାକୁ ପୋଷାକରେ ଉତାରିବା ପାଇଁ କଳା, ଗ୍ରେ ଓ ଆକାଶିଆ ରଙ୍ଗକୁ ଚଳିତ ପୂଜା ପାଇଁ ବାଛି ନେଇଛନ୍ତି।

ଖାଦ୍ୟରେ ରାଜସ୍ଥାନୀ ମହକ

ଦୁର୍ଗାପୂଜା ସମୟରେ ରାଜଧାନୀରେ ରାଜସ୍ଥାନୀ ଖାଦ୍ୟର ମହକ ଦେବେ ବିଭିନ୍ନ ହୋଟେଲ୍‌,ରେସ୍ତୋରାଁ ଓ ଅନୁଷ୍ଠାନ। ପଡ଼ିଆରେ ବିଭିନ୍ନ ଷ୍ଟଲ ପଡ଼ିଥିବା ବେଳେ ବଡ଼ ବଡ଼ ହୋଟେଲ୍‌ରେ ମଧ୍ୟ ‌େସ୍ପସାଲ ଡିସ୍‌ର ଆ‌େୟାଜନ କରାଯାଇଛି। ରାଜସ୍ଥାନୀ ଓ ‌େଭାଜପୁରୀ ଖାଦ୍ୟ ଢୋକ୍‌ଲା, ଖେଚୁଡ଼ି ସହ ଦହି କଡ଼ି, ମୁଗ କଚୋଡ଼ି, ମାୱା କଚୋଡ଼ି, ପିଆଜ କଚୋଡ଼ି, ଗୁଜିଆ, ଡାଲ ବାଟି ଚୁରମା, ଗେବର, ବାଲୁସାହି ଆଦିର ପସରା ମେଲିବ। ଏହା ସହିତ ଦାଣ୍ଡିଆରେ ଆସୁଥିବା ଯୁବପିଢ଼ିଙ୍କୁ ବିଭିନ୍ନ ପ୍ରକାର ପାନୀୟ, ଭରଜିନ୍ ମାଜିଟୋ, ଇଟାଲିଆନ୍‌, ମେକ୍ସିକାନ୍‌, ଛୋଲେ ଭଟୁରେ, ସମୋସା ଚାଟ୍‌, ଭେଲ ପୁରୀ, ଦାବେଲୀ, ରଗଡ଼ା ପେଟିସ୍‌, ଜିଲାପି ଆଦି ଖାଦ୍ୟରେ ଆପାୟିତ ହେବାର ସ‌ୁଯୋଗ ମିଳିବ ବୋଲି ଏଚ୍‌ଏଚ୍‌ଆଇର ଜେନେରାଲ ମ୍ୟାନେଜର ସୁମନ୍ତ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର