ବିରାଜିବେ ମହାମାୟା, ୨୫୦୦ ପରିବାରକୁ ଏକାଠି କରିବ ପୂଜା

ଭାଇଚାରାର ବନ୍ଧନରେ ପୁଣି ୨୫୦୦ ପରିବାରକୁ ଏକାଠି କରିବ ଭିଏସ୍‌ଏସ୍‌ନଗର ଦୁର୍ଗାପୂଜା ସମିତି। ଅଗଷ୍ଟରୁ ‌ଏନେଇ ପ୍ରସ୍ତୁତି ହୋଇସାରିଥିବା ବେଳେ ୨୫୦୦ ପରିବାରକୁ ନିମନ୍ତ୍ରଣ ପତ୍ର ଯାଇସାରିଛି। ତୋରଣ କାମ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ତୋରଣରେ କୋଣାର୍କ ମନ୍ଦିର ଦେଖିବାକୁ ମିଳିବ। ୩୫ ଫୁଟ ଉଚ୍ଚ ଓ ୩୦ ଫୁଟ ଓସାର ବିଶିଷ୍ଟ ତୋରଣ ଓଡ଼ିଆ କାରିଗର ନିର୍ମାଣ କରୁଛନ୍ତି। ଏଥିସହ ଆଲୁଅ ତୋରଣ ବି କୋଣାର୍କର ଚିତ୍ର ଭେଟିଦେବ। କୋଲକାତାର ଦେବପ୍ରସାଦ ମାଇତି ଓ ସାଥୀ ୧୪ ଫୁଟର ମୃଣ୍ମୟୀ ମୂର୍ତି ପ୍ରସ୍ତୁତ କରୁଛନ୍ତି। ବାରଙ୍ଗ ଫୁଲପୋଖରୀରେ ୧୮ ଫୁଟର ମେଢ଼ ପ୍ରସ୍ତୁତ କରାଯାଉଛି।

ଦୁର୍ଗାପୂଜା ସମିତିର ସଭାପତି ଆର୍ତତ୍ରାଣ ଦଳାଇଙ୍କ କହିବା ମୁତାବକ, ୧୯୭୭ ମସିହାରୁ କଲୋନି ଆରମ୍ଭ ହୋଇଥିବା ବେଳେ ୧୯୭୮ରୁ ଦୁର୍ଗା ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହୋଇଆସୁଛି। ଚଳିତ ବର୍ଷ ପୂଜା ୪୧ ବର୍ଷରେ ପଦାର୍ପଣ କରିଛି। ସାଂସ୍କୃତିକ କାର୍ଯ୍ୟକ୍ରମରେ ନବମୀ ଦିନ ସୁଧାକର ମିଶ୍ର ଓ ସାଥୀମାନେ ଭଜନ ପରିବେଷଣ କରିବେ। ଅଷ୍ଟମୀରେ ଖେଚୁଡ଼ି ଓ ଡାଲମା ଏବଂ ଦଶମୀରେ ଦହିପଖାଳ ଓ ଶାଗଭଜା ପ୍ରସାଦ ପ୍ରସ୍ତୁତ କରାଯିବ। ଶୃଙ୍ଖଳା ପାଇଁ ପୁଲିସ୍‌ ଓ ଅଗ୍ନିଶମ ବାହିନୀଙ୍କ ସମେତ ୨୫ ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ୧୦ଟି ସିସିଟିଭି ଶୃଙ୍ଖଳା ଉପରେ ନଜର ରଖିବ। ଗିରିଜା ମହାନ୍ତି, ନିମାଇଁ ଦାସ, ପ୍ରତାପ କୁମାର ନନ୍ଦ, ମହେଶ୍ବର ବିଶ୍ବାଳ, ଏନ୍.କେ ଭୁକ୍ତା, ରାମଚନ୍ଦ୍ର ସାମଲ, ଗୌରାଙ୍ଗ ପଲାଇ ଓ ଅଜୟ କାନୁନ୍‌ଗୋ ପ୍ରମୁଖ ପୂଜା ପରିଚାଳନା ଦାୟିତ୍ବରେ ରହିବେ।

ରୁପା ମୁକୁଟ, ଅଳଙ୍କାରରେ ସଜେଇ ହେବେ ମା’
ମା’ଙ୍କ ସାଜସଜାକୁ ପୂଜା ସମିତି ଗୁରୁତ୍ବ ଦେଇ ଆସିଛି। ମା’ଙ୍କ ମୁହଁ ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ଭାବେ ଗଙ୍ଗା ନଦୀର ମାଟି ଅଣାଯାଇଛି। ପୂଜା ମଣ୍ଡପରେ ମା’ଙ୍କୁ ରୁପା ଅଳଙ୍କାରରେ ସଜାଯିବା ସହ ରୁପା ମୁକୁଟରେ ଶୋଭା ପାଇବେ ମହାମାୟା। ପୂଜା ପାଇଁ ମୋଟ୍‌ ବଜେଟ୍‌ ୮ଲକ୍ଷ ଟଙ୍କା ରହିଥିବା ବେଳେ ନିମନ୍ତ୍ରଣ ପତ୍ର ପାଇଥିବା ପରିବାରଙ୍କ ଦାନରେ ପୂଜା ଅନୁଷ୍ଠିତ ହେବ।
ଶୀତଳ ଚନ୍ଦ୍ର ମହାନ୍ତି (ସାଧାରଣ ସମ୍ପାଦକ)

ପୂଜା ହେବ ପ୍ରଦୂଷଣ ମୁକ୍ତ
ଏଥର ପ୍ରଦୂଷଣ ମୁକ୍ତ ପୂଜାକୁ ଗୁରୁତ୍ବ ଦିଆଯାଇଛି। ପଲିଥିନ୍‌ ପୂଜା ମଣ୍ଡପ ଭିତରକୁ ପ୍ରବେଶ କରାଇ ଦିଆଯିବ ନାହିଁ। ସେହିଭଳି ଭସାଣି‌ ବେଳେ ଡିଜେ ବାଜିବ ନାହିଁ। ବରଂ ଶିଙ୍ଘବାଜା, ପଂଜାବୀ ବାଜା ଆଦି ପାରମ୍ପରିକ ବାଦ୍ୟର ତାଳେତାଳେ ଭସାଣି ପର୍ବ ଆୟୋଜିତ ହେବ। ଭସାଣି ସହିଦନଗର ଦୁର୍ଗାପୂଜା ମଣ୍ଡପ ଦେଇ ରାଜମହଲ ଛକରେ ପହଞ୍ଚିବା ପରେ ସେଠାରୁ କୁଆଖାଇକୁ ବିସର୍ଜନ ପାଇଁ ଯିବ। ସେଠାରେ ନିର୍ମିତ ସ୍ବତନ୍ତ୍ର ପୋଖରୀରେ ମା’ଙ୍କୁ ବିସର୍ଜନ କରାଯିବ।
ଦିଲ୍ଲୀପ ଦାଶଶର୍ମା (ବରିଷ୍ଠ ସଦସ୍ୟ)

ସମ୍ବନ୍ଧିତ ଖବର