ଗଳିକନ୍ଦିରେ ଅଳିଆ, ରାସ୍ତାରେ ଭାସୁଛି ଡ୍ରେନ୍‌ ପାଣି

ପୁରୁଣାଭୁବନେଶ୍ୱର: ବିଏମ୍‌ସି କର୍ପୋରେଟର୍‌ଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ହେଲେ ଏକାମ୍ର କ୍ଷେତ୍ରର ସମସ୍ୟା ସମାଧାନ ହୋଇ ପାରିନି। ଗଳିକନ୍ଦିରେ ଅଳିଆ ଆବର୍ଜନା ପଡ଼ି ରହୁଛି। ରାସ୍ତା ଉପରେ ଡ୍ରେନ୍‌ ପାଣି ଭାସିବା ଏକ ନିତିଦିନିଆ ଘଟଣା। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏପରି ସମସ୍ୟା ଦେଖାଦେଇଛି ବିଏମ୍‌ସିର ୬୦ ନମ୍ବର ୱାର୍ଡରେ।

ଏହି ୱାର୍ଡରେ ରହିଛି ଶ୍ରୀଲିଙ୍ଗରାଜ ମନ୍ଦିର, ବିଏମ୍‌ସି ହସ୍ପିଟାଲ, ଲିଙ୍ଗରାଜ ମାର୍କେଟ୍‌, ଲିଙ୍ଗରାଜ ହାଟ। ଶ୍ରୀଲିଙ୍ଗରାଜ ମନ୍ଦିର ଦକ୍ଷିଣପାର୍ଶ୍ବ ପାଚେରି କଡ଼ରେ ଆବର୍ଜନା ଓ ମନ୍ଦିରରୁ ବାହୁରୁଥିବା ଫୁଲ, ପତ୍ର ଗଦା ହେଉଛି। ୱାର୍ଡର ପରକରଣ ସାହି, ପାଟଣା ସାହିରେ ରାସ୍ତାରେ ଡ୍ରେନ୍‌ ପାଣି ଭାସୁଛି। ରାସ୍ତା ପାର୍ଶ୍ବରେ ଆବର୍ଜନା ଗଦା ହେଉଛି। ଏ ନେଇ ଏକାମ୍ର ଜନଜାଗରଣ ମଞ୍ଚ ଓ ସ୍ଥାନୀୟ ଲୋକ ବିଏମ୍‌ସି କମିସନର୍‌ଙ୍କ ପାଖରେ ଅଭିଯୋଗ କରିଛନ୍ତି। ଅଞ୍ଚଳର ସମସ୍ୟା ଦେଖିବାକୁ କମିସନରଙ୍କୁ ଅନୁରୋଧ କରିଛନ୍ତି। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି, ଏଠାରୁ ତିନିରୁ ଚାରି ଦିନ ପରେ ଅଳିଆ ଉଠୁଛି। ଏକାମ୍ର କ୍ଷେତ୍ରରୁ ନବୀନ ନିବାସ ଆଡ଼କୁ ଯାଇଥିବା ଯମେଶ୍ୱର ପାଟଣା ରାସ୍ତାରେ ନର୍ଦମା ପାଣି ଭାସୁଛି। ଡ୍ରେନ୍‍ଗୁଡ଼ିକ ସଫେଇ ହେଉ ନଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି। ସ୍ଥାନୀୟ ଅଞ୍ଚଳର ସୂର୍ଯ୍ୟକାନ୍ତ ପାତ୍ର କୁହନ୍ତି, ନିର୍ବାଚନ ପୂର୍ବରୁ ଏହି ଡ୍ରେନ୍‌ ସମସ୍ୟା ସମାଧାନ କରିବାକୁ କୁହାଯାଇଥିଲା। ମାତ୍ର କର୍ପୋରେଟର୍‌ଙ୍କ କାର୍ଯ୍ୟକାଳ ସରିବାକୁ ବସିଥିଲେ ମଧ୍ୟ ଲୋକ ସୁବିଧା ପାଇଲେ ନାହିଁ କି ସମସ୍ୟା ଦୂର ହେଲା ନାହିଁ। ସ୍ଥାନୀୟ ଅଞ୍ଚଳରେ ସ‌ଫେଇ ପାଇଁ ଦାୟିତ୍ବ ନେଇଥିବା ପିଏମ୍‌ଆର୍‌ଙ୍କୁ ପଚାରିବାରୁ ସେ କହିଛନ୍ତି, କର୍ମଚାରୀ ଅଭାବ ଯୋଗୁଁ ସମସ୍ୟା ହେଉଛି। କର୍ପୋରେଟର୍‌ ଦୀପ୍ତିମୟୀ ସମର୍ଥାଙ୍କୁ ପଚାରିବାରୁ ସେ କହିଥି‌ଲେ, ଖୁବ୍‌ ଶୀଘ୍ର ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର