ରାବଣ କହିବ ଇ-ଆବର୍ଜନାର ଭୟାବହତା

ପାଓ୍ଵାର ହାଉସ୍‌ ଓ ଜୟଦେବ ବିହାର ଛକରେ ଲାଗିବ ଇ-ଆବର୍ଜନା ସ୍ଥପତି

ଭୁବନେଶ୍ୱର : ରାଜଧାନୀରେ ଇ-ଆବର୍ଜନା ବଢ଼ି ବଢ଼ି ଚାଲୁଥିବାବେଳେ ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ବିଏମ୍‌ସି ନୂଆ ଫର୍ମୁଲା ଆପଣାଇଛି। ରାଜଧାନୀର ଦୁଇଟି ପ୍ରମୁଖ ଛକରେ ଇ-ଆବର୍ଜନାରେ ନିର୍ମାଣ ହୋଇଥିବା ଦୁଇଟି ସ୍ଥପତି ସ୍ଥାପନ କରିବ। ଏହି ନିଆରା ସ୍ଥପତି ଲୋକଙ୍କୁ କିଛି ସମୟ ଦେଖିବାକୁ ଆକର୍ଷିତ କରିବା ସହ ଇ-ଆବର୍ଜନା ନେଇ ସଚେତନ ମଧ୍ୟ କରାଇବ।

ବିଏମ୍‌ସି ପକ୍ଷରୁ ଏସ୍‌ଡିଆରସି ଏବଂ ସୋଫିଜ୍‌ ସଷ୍ଟେନିବିଲିଟି ଲିଡର୍ସ ପ୍ରାଇଭେଟ୍‌ ଲିମିଟେଡ ସହାୟତାରେ ଜୟଦେବ ବିହାର ଛକ ଏବଂ ପାଓ୍ଵାର ହାଉସ୍‌ ଛକରେ ଏହି ଦୁଇଟି ସ୍ଥପତି ସ୍ଥାପନ ହେବ। ପାଓ୍ଵାର ହାଉସ୍‌ ଛକରେ ଲାଗିବାକୁ ଥିବା ସ୍ଥପତିଟି ଧରିତ୍ରୀ ମା’ ସହ ସମ୍ପର୍କ ନିବିଡ଼ କରିବାର ବାର୍ତ୍ତା ଦେବ। ଧରିତ୍ରୀକୁ ବଞ୍ଚାଇବାକୁ ହେଲେ ଇ-ଆବର୍ଜନା ନ ବ୍ୟବହାର କରିବାକୁ ଏହା ସଚେତନ କରାଇବ। ସେହିପରି ଜୟଦେବ ବିହାର ଛକରେ ଲାଗିବାକୁ ଥିବା ସ୍ଥପତିଟି ରାବଣ ଆକୃତିର ହେବ। ଏହା ବାର୍ତ୍ତା ଦେବ ଯେ, ଯଦି ଆମେ ଇ-ଆବର୍ଜନା ବ୍ୟବହାର ନ କମାଇବା, ଏହାକୁ ପୁନଃବ୍ୟବହାର ନ କରିବା, ରି ସାଇକେଲିଂ ନ କରିବା ତେବେ ଏହା ଆମ ମୃତ୍ୟୁର କାରଣ ପାଲଟିବ।

ପାଓ୍ଵାରହାଉସ୍‌ ଛକରେ ଲାଗିବାକୁ ଥିବା ସ୍ଥପତି ୧୮ଫୁଟରେ ୧୨ଫୁଟର ହେବ। ଏହା ଅଢ଼େଇ ଫୁଟର ଏକ ବେସ୍‌ ଉପରେ ରହିବ। ସେହିପରି ଜୟଦେବ ବିହାର ଛକରେ ଲାଗିବାକୁ ଥିବା ରାବଣର ସ୍ଥପତି ୧୨ଫୁଟ ଉଚ୍ଚତା ବିଶିଷ୍ଟ ହେବ। ଏହା ୩ଫୁଟର ବେସ୍‌ ଉପରେ ରହିବ। ଏହି ସ୍ଥପତି ପୁରୁଣା କମ୍ପ୍ୟୁଟର, ମୋବାଇଲ୍‌, ପ୍ଲାଷ୍ଟିକ୍‌ ବାକ୍ସ ଏବଂ ଅନ୍ୟାନ୍ୟ ପ୍ଲାଷ୍ଟିକ ଭଳି ଇ-ଆବର୍ଜନାରେ ନିର୍ମାଣ ହେବ। ଆସନ୍ତା ଏକ ମାସ ମଧ୍ୟରେ ଏହାକୁ ସ୍ଥାପନ କରାଯିବ। ଏହା ନିକଟରେ ଫଟୋ ଉଠାଇବା ପାଇଁ ସ୍ୱତନ୍ତ୍ର ସ୍ଥାନ ରହିିବ।

ସମ୍ବନ୍ଧିତ ଖବର