ମନ୍ଦିରରେ ନାହିଁ ଆର୍ଥିଙ୍ଗ୍‌ ବ୍ୟବସ୍ଥା, ପୁରୁଣା ଐତିହ୍ୟକୁ ବଜ୍ରପାତ ବିପଦ

ପୁରୁଣା ଭୁବନେଶ୍ୱର: ବିପଦରେ ଏକାମ୍ର କ୍ଷେତ୍ରର ବହୁ ମନ୍ଦିର। ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଅନେକ ମନ୍ଦିରକୁ ଘାରିଛି ବଜ୍ରପାତ ଭୟ। ହେଲେ ଏହିସବୁ ଏତିହ୍ୟ କୀର୍ତ୍ତିରାଜିକୁ ବଜ୍ରପାତରୁ ରକ୍ଷା ପାଇଁ ବ୍ୟବସ୍ଥା କରାଯାଇନାହିଁ। ଶ୍ରୀଲିଙ୍ଗରାଜ ମନ୍ଦିରରେ ଆର୍ଥିଙ୍ଗ୍ ବ୍ୟବସ୍ଥା ଥାଇ ମଧ୍ୟ ଏହା କାମରେ ଲାଗି ପାରୁ ନାହିଁ। ଏଥି ପ୍ରତି କର୍ତୃପକ୍ଷଙ୍କ ଚିନ୍ତା ନାହିଁ। ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭଗ ଅଧୀନରେ ଭୁବନେଶ୍ବରର ୨୪ଟି ମନ୍ଦିର ଥିବା ବେଳେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଅଧୀନରେ ୧୨ଟି ମନ୍ଦିର ତଥା ଐତିହ୍ୟସ୍ଥଳୀ ରହିଛି। ଏହା ବ୍ୟତୀତ ରହିଛି ୧୯୯ଟି ମନ୍ଦିର। ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ବ୍ୟୟ ହେଉଛି କୋଟି କୋଟି ଟଙ୍କା। ତେବେ କେଉଁ ମନ୍ଦିରରେ ଆର୍ଥିଙ୍ଗ୍ ବ୍ୟବସ୍ଥା ହୋଇ ନାହିଁ। ଫଳରେ ଏହି ମନ୍ଦିର ଓ ଐତିହ୍ୟସ୍ଥଳୀ ଗୁଡ଼ିକୁ ବିପଦ ଘେରି ରହିଛି।

ନଷ୍ଟ ହେଉଛି କୀର୍ତ୍ତିରାଜି: ବଜ୍ରପାତ ଯୋଗୁ ଗତ ବର୍ଷ ଜୁଲାଇ ୩୦ ତାରିଖରେ ଶ୍ରୀଯମେଶ୍ୱର ମନ୍ଦିରର ଦଧିନଉତିରେ ଥିବା ପଥର ନଷ୍ଟ ହେବା ସହ ପତାକା ପୋଡ଼ି ଯାଇଥିଲା। ଏଥି ସହ ଦଧିନଉତି ତଳେ ଥିବା ୪ଟି ସ୍ଥାନରେ ଅଙ୍ଗ ଶିଖର ଓ ରାହାପାଗ ଭାଙ୍ଗି ତଳେ ପଡ଼ିବା ସହ ବହୁ ସ୍ଥାପତ୍ୟ ମଧ୍ୟ ନଷ୍ଟ ହୋଇଯାଇଥିଲା। ବଜ୍ରପାତ ଯୋଗୁ ମନ୍ଦିରର ବହୁ କ୍ଷୟ ଘଟିଥିଲା। ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ସପ୍ତରଥ ଶୈଳୀରେ ନିର୍ମିତ। ପୂର୍ବରୁ ଯମେଶ୍ୱର ମନ୍ଦିରର ପାର୍ଶ୍ୱ ଗଣେଶଙ୍କ ନିଶା ମନ୍ଦିର ଭୁଶୁଡ଼ି ପଡ଼ିଥଲା। ଏଥିସହ ଗୋଟିଏ ବଡ଼ ପଥର ମଧ୍ୟ ଭାଙ୍ଗି ଖସି ପଡ଼ିବା ସହ ବହୁ ପଥର ଫାଟି ଆଁ କରି ରହିଥିଲା। ଏଏସ୍ଆଇ ଏହାର ରକ୍ଷଣାବେକ୍ଷଣ ପାଇଁ ଯତ୍ନବାନ ହେଉନଥିବାରୁ ଏହି ସମସ୍ୟ ଦେଖାଦେଇଛି। ସେହିପରି ଉକ୍ତ ଦିନ ଅନନ୍ତ ବାସୁଦେବ ମନ୍ଦରରେ ବଜ୍ରପାତ ଯୋଗୁଁ ପତାକା ପୋଡ଼ି ନଷ୍ଟ ହେବା ସହ ସଟ୍ ସର୍କିଟ୍ ହୋଇ ମନ୍ଦିରର ବିଦ୍ୟୁତ୍‌ ଉପକରଣ ନଷ୍ଟ ହୋଇଯାଇଥିଲା

କପିଳେଶ୍ୱର ମନ୍ଦିର: ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସହ କପିଳନାଥଙ୍କ ନୀତି ସଂଯୋଗ ରହିଛି। ଏହି ମନ୍ଦିରକୁ ମଧ୍ୟ ବହୁ ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି। ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭଗ ଅଧୀନରେ ଥିବା ଏହି ମନ୍ଦିରର ପୁନରୁଦ୍ଧାର ପାଇଁ ଇନ୍‌ଟାକ୍ଟ ପକ୍ଷରୁ କାମ ଚାଲିଛି। ତେବେ ମନ୍ଦିରର ଆର୍ଥିଙ୍ଗ୍ ପାଇଁ କାହାରି ଚିନ୍ତା ନାହିଁ। ଶ୍ରୀଲିଙ୍ଗରାଜ ମନ୍ଦିରରେ ଆର୍ଥିଙ୍ଗ୍ ବ୍ୟବସ୍ଥା ହୋଇପାରିଲାନି: ବଜ୍ରପାତରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ରକ୍ଷା କରିବା ପାଇଁ ଏଏସ୍ଆଇର ଚିନ୍ତା ନାହିଁ। ମନ୍ଦିର ଜଗମୋହନରେ ଲାଗିଥିବା ପୁରୁଣା ବିଦ୍ୟୁତ୍ ଆର୍ଥିଙ୍ଗ୍‌ ତାରକୁ ବଦଳାଇ ନୂଆ ଲଗାଯାଇଛି। ମୁଖ୍ୟ ମନ୍ଦିରର ଚାରିପଟେ ଆର୍ଥିଙ୍ଗ୍ ତାର ବୁଲିଥିଲେ ମଧ୍ୟ ମାଟି ତଳୁ ଆସିଥିବା ଆର୍ଥିଙ୍ଗ୍ ସହ ଏହା ସଂଯୋଗ ହୋଇ ନାହିଁ।

ଗୋସାଗରେଶ୍ୱର ମନ୍ଦିର: ଏକାମ୍ର କ୍ଷେତ୍ରର ଅନ୍ୟତମ ପ୍ରସିଦ୍ଧ ମନ୍ଦିର ଗୋସାଗରେଶ୍ୱର ମନ୍ଦିର। ଶ୍ରୀଲିଙ୍ଗରାଜ ମହାପ୍ରଭୁ ବର୍ଷର ଷୋଳ ପୂଜାର ଅଷ୍ଟମ ତିଥିରେ ଏଠାକୁ ଆସିଥାନ୍ତି। ତେବେ ଏଠାରେ ମଧ୍ୟ ଆର୍ଥିଙ୍ଗ୍ ବ୍ୟବସ୍ଥା ହୋଇନାହିଁ।

ରାମେଶ୍ୱର ମନ୍ଦିର: ନବମ ଶତାବ୍ଦୀରରେ ନିର୍ମିତ ହୋଇଥିଲା ରାମେଶ୍ୱର ମନ୍ଦିର। ଏହି ମନ୍ଦିର ନିକଟରେ ରହିଛି ଲକ୍ଷ୍ମଣେଶ୍ୱର ମନ୍ଦିର, ଭରତେଶ୍ୱର ଓ ଶତୃଘ୍ନେଶ୍ୱର ମନ୍ଦିର। ଏଏସ୍ଆଇ ଅଧୀନରେ ଥିବା ଏହି ମନ୍ଦିରରେ ମଧ୍ୟ ଆର୍ଥିଙ୍ଗ୍ ବ୍ୟବସ୍ଥା ହୋଇନାହିଁ।

ସମ୍ବନ୍ଧିତ ଖବର