ଲଟକିଛି ଦୟା ପଶ୍ଚିମ କେନାଲ ସେତୁ

ନିମ୍ନମାନର କାମ, ପିସି କାରବାର ଅଭିଯୋଗ, ଆନ୍ଦୋଳନକୁ ଓହ୍ଲାଇବେ ସ୍ଥାନୀୟ ବାସିନ୍ଦା

ଚନ୍ଦ୍ରଶେଖରପୁର: ରାଜଧାନୀକୁ କଳାରାହଙ୍ଗ ପଞ୍ଚାୟତ ସହ ଯୋଡ଼ିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଦୟା ପଶ୍ଚିମ କେନାଲ ସେତୁ କାମ ଅଧାରେ ଲଟକିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ୨୦୧୬ ଡିସେମ୍ବରରେ ପ୍ରାୟ ୪୪ଲକ୍ଷ ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ ନିମନ୍ତେ ଶୁଭ ଦିଆଯାଇଥିଲା। ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଉପସ୍ଥିତିରେ ସେତୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସେତୁ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମାପ୍ତ କରାଯିବ ବୋଲି ସେତେବେଳେ ଦୃଢ଼ୋକ୍ତି ପ୍ରକାଶ କରାଯାଇଥିଲା। ମାତ୍ର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏହି ସେତୁ ନିର୍ମାଣ କାର୍ଯ୍ୟ ଏଯାବତ୍‌ ସମାପ୍ତ ହୋଇପାରିନାହିଁ। ନିର୍ମାଣ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲୁଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଏହି ସେତୁ କାମ ନିମ୍ନମାନର ତଥା ବ୍ୟାପକ ପିସି କାରବାର ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହାକୁ ନେଇ ଆଗାମୀ ଦିନରେ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।

କଳାରାହଙ୍ଗକୁ ରାଜଧାନୀ ସହ ଯୋଡ଼ିବାରେ ଏହି ସେତୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏହି ସେତୁ ହେବା ପରେ କଳାରାହଙ୍ଗ ବାସିନ୍ଦା ଆଉ ଅଯଥାରେ ଦୀର୍ଘ ପଥ ଯିବାକୁ ପଡ଼ିବ ନାହିଁ। ସେହିପରି କଳାଝରି, ଓସ୍ତପଡ଼ା, ବରିମୁଣ୍ଡ, କଲ୍ୟାଣପୁର ଓ ପାଖାପାଖି ଅଞ୍ଚଳ ସହ ମଧ୍ୟ ଯୋଗଯୋଗ ସୁଗମ ହେବ। କିନ୍ତୁ ଏହି ବିଜୁ ବାବୁଙ୍କ ସ୍ମୃତିରେ ନିର୍ମାଣ ହେଉଥିବା ସେତୁ କାମ ଅହେତୁକ ବିଳମ୍ବ ହେଉଥିବା ଓ ନିମ୍ନମାନର ହେଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନି।
ଜୟ ପ୍ରକାଶ ମିଶ୍ର, ସ୍ଥାନୀୟ ବାସିନ୍ଦା

କେନାଲ୍‌ରେ ପାଣି ଆସିଯିବା ଓ ଅନ୍ୟାନ୍ୟ କିଛି କାରଣରୁ ଏହି ସେତୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଛି। ଏହି ସେତୁରେ ଦୁଇଟି ପିଅର୍‌ ଓ ଦୁଇଟି ଆବଟମେଣ୍ଟ ହେବ। ଆବଟମେଣ୍ଟ ଉପରେ ଦୁଇ ଫୁଟ୍‌ ଢଳେଇ ହେବ। ତେଣୁ ରାସ୍ତା ପତନରୁ ଆଦୌ ତଳକୁ ହେବ ନାହିଁ। ସେହିପରି ନିର୍ମାଣରେ ଗୁଣବତା ସହିତ ବୁଝାମଣା କରାଯାଉନାହିଁ।
କମଳଲୋଚନ ପ୍ରଧାନ, ବିଭାଗୀୟ ଜେଇ

ସେତୁର ପିଲର୍‌ ଉଭୟପଟ ରାସ୍ତାଠାରୁ ଯଥେଷ୍ଟ ନିମ୍ନରେ ରହିଛି। ଭବିଷ୍ୟତରେ ରାସ୍ତା ନିର୍ମାଣ ହୋଇ ଆଉ ଉଚ୍ଚା ହେଲେ ସାଧାରଣ ଲୋକ ହଇରାଣ ହେବେ। ଏହି ସେତୁ ନିର୍ମାଣ କାର୍ଯ୍ୟରେ ବ୍ୟାପକ ପିସି କାରବାର ହୋଇଛି। ବିଭାଗୀୟ ଯନ୍ତ୍ରୀ କିମ୍ବା କୌଣସି ଅଧିକାରୀ କାମ ସମୟରେ ଉପସ୍ଥିତ ରହୁନାହାନ୍ତି। ଧାର୍ଯ୍ୟ ସମୟଠାରୁ ଯଥେଷ୍ଟ ବିଳମ୍ବ ହୋଇଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମାପ୍ତ ହେବାର ନାଁ ଧରୁନି। ଏମିତି ହେଲେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବୁ।
ସୁଶାନ୍ତ ସାବତ, ବିଜେପି ନେତା

ସମ୍ବନ୍ଧିତ ଖବର