ସରକାରୀ ଅଧିକାରୀ ଦମ୍ପତିଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା

ଇଡି ନେଲା ତଦନ୍ତ ଭାର

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଚଢ଼ଉର ସମ୍ମୁଖୀନ ହୋଇଥିବା ଓପେପାର ମହିଳା ଅଧିକାରୀ ଓ ତାଙ୍କ ତହସିଲଦାର ସ୍ୱାମୀଙ୍କ ଅକଳରେ ପଡ଼ିଛନ୍ତି। ଭିଜିଲାନ୍‌ସ ଚଢ଼ଉ ବେଳେ ତାଙ୍କର ୬ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଥିବା ଜଣାପଡ଼ିଥିଲା। ଏବେ ଏହାର ତଦନ୍ତ ଭାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନେଇଛି। ନଳିନୀ କୁମାର ପୃଷ୍ଟି ଓପେପାର ଆର୍ଥିକ ପରାମର୍ଶଦାତା ଆକାଉଣ୍ଟସ୍ ଅଫିସର(ସିଏଓ) ଭାବେ କାମ କରୁଥିବା ବେଳେ ଓ ତାଙ୍କ ସ୍ବାମୀ ଛତ୍ରପୁର ବ୍ଲକର ତହସିଲଦାର ଥିଲେ। ଉଭୟ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର କରିଥିବା ନେଇ ଅଭିଯୋଗ ହେବା ପରେ ରାଜ୍ୟ ଭିଜିଲାନ୍‌ସ୍‌ ବିଭାଗ ଗତ ବର୍ଷ ଅଗଷ୍ଟ ୨୯ ତାରିଖରେ ଚଢ଼ଉ କରିଥିଲା। ଏକସଙ୍ଗରେ ୭ଟି ସ୍ଥାନରେ ହୋଇଥିବା ଚଢ଼ଉ ବେଳେ ୬ କୋଟି ୮୭ ଲକ୍ଷ ୧୮ ହଜାର ୯୩୯ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା। ଏହାର ତଦନ୍ତ ଭିଜିଲାନ୍‌ସ୍‌ କରୁଥିବା ବେଳେ ଏବେ ଇଡି ଏହି ଭାର ନେଇଛି। ଏତେଗୁଡ଼ାଏ ଟଙ୍କା ଏହି ସରକାରୀ ଅଧିକାରୀଦ୍ବୟ କେଉଁଠୁ ଆଣିଲେ ସେ ନେଇ ଇଡି ତଦନ୍ତ କରିବ। ଉତ୍କଳ ଭିଲ୍ଲାରେ ୧.୮ କୋଟି ଟଙ୍କାର ତାଙ୍କର ଦୁଇଟି ପ୍ଲଟ ଥିବା ବେଳେ ଘର ସଜ୍ଜା ଓ ଆସବାବପତ୍ରରେ ହୋଇଥିବା ଖର୍ଚ୍ଚର ଅଟକଳ ହୋଇଥିଲା ୧.୩୪ କୋଟି। ସେହିଭଳି ପୁରୀ ବଡ଼ଦାଣ୍ଡରେ ଥିବା ଗ୍ରାଣ୍ଡ ଆସିଆନାରେ ଥିବା ଘରର ମୂଲ୍ୟ ୨୧.୪ ଲକ୍ଷ ଟଙ୍କା ଅଟକଳ କରାଯାଇଥିଲା। ସେଠାରେ ଥିବା ଏକ ତିନିମହଲା କୋଠାର ମୂଲ୍ୟ ୪୯.୬ ଲକ୍ଷ ଟଙ୍କା ଅଟକଳ କରାଯାଇଥିବା ବେଳେ ବିଭିନ୍ନ ଜାଗାରେ ୬ଟି ପ୍ଲଟ୍‌ର ମୂଲ୍ୟ ୫୮ଲକ୍ଷ ଅଟକଳ କରାଯାଇଥିଲା। ୧.୨୪ କୋଟିର ଫିକ୍ସଡ୍‌ ଡିପୋଜିଟ ଥିବା ବେଳେ ସେଭିଙ୍ଗ୍‌ ବ୍ୟାଙ୍କ୍‌ ଖାତାରେ ୨୨ ଲକ୍ଷ ଥିଲା। ଘରର ଆସବାବପତ୍ର ୪୬ ଲକ୍ଷ ହୋଇଥିବା ବେଳେ ସୁନା ଗହଣା ୪୦ ଲକ୍ଷର ହେବ ବୋଲି ଭିଜିଲାନ୍ସ ଅଟକଳ କରିଥିଲା।

ସମ୍ବନ୍ଧିତ ଖବର