ଷଷ୍ଠ ଶ୍ରେଣୀ ପିଲାଙ୍କୁ ଆସୁନି ୧୨ ଖନ୍ଦା ପଣିକିଆ

ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ

ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ
ବିଇଓ ଅଫିସ୍‌ର ୪କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ବର : ଷଷ୍ଠ ଶ୍ରେଣୀ ପିଲାଙ୍କୁ ଡାକି ଆସିଲାନି ୧୨ ଖନ୍ଦା ପଣିକିଆ। ଚତୁର୍ଥ ଶ୍ରେଣୀ ପିଲାଙ୍କୁ ପଢ଼ି ଆସିଲା ନାହିଁ ଓଡ଼ିଆ ବହି। ଏ ହେଉଛି ରାଜଧାନୀ ଉପକଣ୍ଠ ସରକାରୀ ବିଦ୍ୟାଳୟର ପାଠପଢ଼ା ସ୍ଥିତି। ଗଣଶିକ୍ଷା ବ୍ୟବସ୍ଥାର ଏହି ଦୟନୀୟ ସ୍ଥିତି ଖୋଦ୍ ଗଣଶିକ୍ଷା ମନ୍ତ୍ରୀଙ୍କ ନଜରରେ ପଡ଼ିବା ପରେ ତ୍ବରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅଚାନକ ଜଟଣୀ ବ୍ଲକ ଅଧୀନସ୍ଥ ଯାଁଳା ଗଣ୍ଠିଳ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପ୍ରଥମେ ସେ ଷଷ୍ଠ ଶ୍ରେଣୀକୁ ଯାଇ ପିଲାଙ୍କୁ ପଣିକିଆ ଡାକିବାକୁ କହିଥିଲେ। କିନ୍ତୁ ପିଲା କହି ପାରିନଥିଲେ। ସେହିଭଳି ୪ର୍ଥ ଶ୍ରେଣୀ ପିଲାମାନେ ମଧ୍ୟ ଓଡ଼ିଆ ବହି ପଢ଼ି ପାରିନଥିଲେ। ତେଣୁ ମନ୍ତ୍ରୀ ଖୁବ୍ ଅସନ୍ତୋଷ ବ୍ୟକ୍ତ କରିଥିଲେ ଓ ଉକ୍ତ ଶ୍ରେଣୀର ଶ୍ରେଣୀ ଶିକ୍ଷକ ଯାନିନୀ ପାଣିଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ସେହିଭଳି ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ସେଠ୍‌ମାଝୀଙ୍କ ସ୍କୁଲକୁ ବିଳମ୍ବରେ ଆସିବା ଅଭିଯୋଗକୁ ନେଇ ସେ ବିରକ୍ତି ପ୍ରକାଶ କରିଥିଲେ। ପାଠପଢ଼ା ତଦାରଖରେ ଅବହେଳା କରୁଥିବା ଅଭିଯୋଗରେ ସେ ତାଙ୍କ ଦରମା ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ପୁଣି ଥରେ ସେ ଏହି ବିଦ୍ୟାଳୟକୁ ପରିଦର୍ଶନରେ ଆସିବେ ବୋଲି ଚେତାଇ ଦେଇଥିବା ସୂଚନା ମିଳିଛି। ଏହାପରେ ସେ ଉକ୍ତ ପରିସରରେ ଥିବା ଜଟଣୀ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ପଶି ଯାଇଥିଲେ। ସେତେବେଳେ ୪ଜଣ କର୍ମଚାରୀ ଅନୁପସ୍ଥିତ ଥିବା ଦେଖିବାକୁ ପାଇଥିଲେ। ସେମାନେ ହେଲେ ମୋନାଲିସା ସିଂହ, ହାଡ଼ିବନ୍ଧୁ ସାହୁ, ଆନନ୍ଦଚନ୍ଦ୍ର ପଣ୍ଡା ଓ ଚିନ୍ମୟୀ ମହାନ୍ତି। ସେମାନଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ଯାଁଳା ଗସ୍ତ ପରେ ମନ୍ତ୍ରୀ ଶ୍ରୀ ଦାସ ବାହାଦଲପୁର ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ। ଠିକ୍ ସେତିକିବେଳକୁ ରାସ୍ତାରେ ପଡ଼ୁଥିବା ଯଦୁପୁର ମମ୍‌ତାଜ ଅଲ୍ଲୀ ହାଇସ୍କୁଲରୁ ଟେଷ୍ଟ ପରୀକ୍ଷା ଦେଇ ପିଲା ବାହାରୁଥିଲେ। ମନ୍ତ୍ରୀ ରାସ୍ତାରେ ଅଟକି ଯାଇ ପିଲାଙ୍କୁ ପରୀକ୍ଷା ବାବଦରେ ପଚାରି ବୁଝିଥିଲେ। ଆଜି କି ପରୀକ୍ଷା ଥିଲା ଓ କ’ଣ କ’ଣ ପ୍ରଶ୍ନ ପଡ଼ିଥିଲା ବୋଲି ମନ୍ତ୍ରୀଙ୍କ ପ୍ରଶ୍ନରେ କିଛି ପିଲା ଉତ୍ତର ଦେଇ ପାରିନଥିଲେ। ତେବେ ଉକ୍ତ ସ୍କୁଲକୁ ନଯାଇ ମନ୍ତ୍ରୀ ବାହାଦଲପୁର ପ୍ରାଥମିକ ବିଦ୍ୟାଳୟକୁ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ ମାନ ଯାଞ୍ଚ କରିଥିଲେ।

ସମ୍ବନ୍ଧିତ ଖବର