ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଦେଖି ଗଣଶିକ୍ଷା ମନ୍ତ୍ରୀଙ୍କ ହୋସ୍‌ ଉଡ଼ିଲା

କାଗଜ କଲମରେ ନିର୍ଦେଶ, କେହି ମାନୁନାହାନ୍ତି, ଦୁଇ ପ୍ରଧାନଶିକ୍ଷକଙ୍କୁ କୈଫିୟତ ତଲବ, ୧୦ରୁ ଅଧିକ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ

ଭୁବନେଶ୍ବର/ବାଲିଅନ୍ତା/ବାଲିପାଟଣା : ଥରେ କି ଦୁଇଥର ନୁହେଁ। ଅନେକ ଥର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଓ ସ୍କୁଲଗୁଡ଼ିକୁ ଗସ୍ତ କରିଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଗିଦ୍‌ ବି କରିଛନ୍ତି। ନିର୍ଦ୍ଧାରିତ ସମୟରେ ସ୍କୁଲ ନ ଆସି‌େଲ, କାର୍ଯ୍ୟାନୁଷ୍ଠାନ ଭୟ ବି ଦେଖାଇଛନ୍ତି। ତା’ପରେ ବି ମନ୍ତ୍ରୀଙ୍କ ନିର୍ଦେଶକୁ ମାନୁନାହାନ୍ତି ସରକାରୀ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ବ୍ଲକ କର୍ମଚାରୀ। ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୦ଟାରେ ସ୍କୁଲରେ ପହଞ୍ଚୁ ନାହାନ୍ତି କି କାର୍ଯ୍ୟ କରୁନାହାନ୍ତି। ଉପରସ୍ତରରେ ହେଉଥିବା ନିଷ୍ପତ୍ତି ତ‌ଳସ୍ତରରେ କିଭଳି କାର୍ଯ୍ୟକାରୀ ହେଉଛି ତାହା ଦେଖି ଆଜି ମନ୍ତ୍ରୀ ଶ୍ରୀ ଦାଶଙ୍କ ହୋସ୍‌ ଉଡ଼ି ଯାଇଥିଲା। କାର୍ଯ୍ୟରେ ଅବହେଳା ପାଇଁ ଖୋର୍ଧା ଓ କଟକ ଜିଲ୍ଲାର ଦୁଇ ଜଣ ପ୍ରଧାନ ଶିକ୍ଷକଙ୍କୁ କୈଫିୟତ ତଲବ ଓ ୧୦ରୁ ଅଧିକ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ମନ୍ତ୍ରୀ ଶ୍ରୀ ଦାଶ ନିର୍ଦେଶ ଦେଇଛନ୍ତି।

ପୂର୍ବାହ୍ନ ୧୦ଟା ୧୦ରେ ମନ୍ତ୍ରୀ ଶ୍ରୀ ଦାଶ ବାଲିଅନ୍ତା ବିଇଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏଠାରେ ଶିକ୍ଷା ଅଧିକାରୀ, କିରାଣି, ପିଅନ ଆଦିକୁ ମିଶାଇ ମୋଟ ୧୫ଜଣ ରହିଛନ୍ତି। ତେବେ ମନ୍ତ୍ରୀ ପହଞ୍ଚିବା ବେଳକୁ କାହାର ବି ଦେଖା ମିଳି ନଥିଲା। ମନ୍ତ୍ରୀ ପ୍ରାୟ ୩୦ ମିନିଟ୍‌ ଧରି ଅପେକ୍ଷା କରିଥିଲେ ମଧ୍ୟ କେହି ନ ଆସିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ନିକଟରେ ଥିବା ନୂଆପାଟଣା ପ୍ରାଥମିକ ସ୍କୁଲକୁ ଯାଇଥିଲେ। ସେଠାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ପାଇଥିଲେ। ବିଦ୍ୟାଳୟରେ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଥିବା ବେଳେ ଉପସ୍ଥିତ ଥିଲେ ମାତ୍ର ୨ ଜଣ। ବିଦ୍ୟାଳୟର ଏଭଳି ସ୍ଥିତି ଦେଖି ମନ୍ତ୍ରୀ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ। ରାଜଧାନୀଠାରୁ ମାତ୍ର ୮ କିମି ଦୂରରେ ଯଦି ଏମିତି ସ୍ଥିତି ତେବେ ଉପାନ୍ତରେ ଅବସ୍ଥା କିଭଳି ଥିବ ତାହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ।

ବିଇଓ ସ୍ନିଗ୍ଧା ମିଶ୍ରଙ୍କ ଅନୁପସ୍ଥିତି ନେଇ ମନ୍ତ୍ରୀ ତାଙ୍କୁ ଫୋନ୍‌ କରି ପଚାରିଥିଲେ। ଏହି ସମୟରେ ସ୍କୁଲ ବ୍ୟାଗ୍‌ ଯାଞ୍ଚ ଲାଗି ନିକଟରେ ଥିବା ଏକ ଘରୋଇ ସ୍କୁଲକୁ ଯାଇଥିବା ନେଇ ବିଇଓ କହିଥିଲେ। ଏହାପରେ ମନ୍ତ୍ରୀ ଶ୍ରୀ ଦାଶ ପ୍ରତାପ ଶାସନ ନୋଡାଲ୍‌ ସ୍କୁଲ ଗସ୍ତ କରିଥିଲେ। ସେଠାରେ ୧୫୦ତମ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନ ପ୍ରସ୍ତୁତି କାର୍ଯ୍ୟ ଓ ଶ୍ରେଣୀଗୃହରେ ପାଠପଢ଼ା ଠିକ୍‌ ‌ସମୟରେ ହେଉ ନଥିବା ଜାଣି ପ୍ରଧାନଶିକ୍ଷୟିତ୍ରୀ ଭାରତୀ ରଥଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିବାକୁ ବାଲିଅନ୍ତା ବିଇଓଙ୍କୁ ନିର୍ଦେଶ ଦେଇଥିଲେ। ଏଥିସହ ଉକ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଶ୍ରେଣୀଗୃହର ଆବଶ୍ୟକତା ଦୃଷ୍ଟିରୁ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଚିଠି ଲେଖିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

ଏହାପରେ ମନ୍ତ୍ରୀ ଶ୍ରୀ ଦାଶ ବାଲିପାଟଣା ବ୍ଲକର ବନମାଳିପୁର ହାଇସ୍କୁଲ ଯାଇଥିଲେ। ସେଠାରେ ପହଞ୍ଚିଲା ବେଳକୁ ପ୍ରଧାନଶିକ୍ଷକ ଅନୁପସ୍ଥିତ ଥିବାରୁ ତାଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିବାକୁ ବିଇଓଙ୍କୁ କହିଥିଲେ। ସେଠାରେ କ୍ଲାସରେ ବୁଲି ପିଲାଙ୍କୁ ସ୍କୁଲର ସୁବିଧା ଅସୁବିଧା ବିଷୟରେ ପଚାରିଥିଲେ। ଖେଳ ଶିକ୍ଷକ ନାହାନ୍ତି, ଆଇସିଟି ପଢ଼ାଯାଉନି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ୩ ଦିନ ଭିତରେ କ୍ରୀଡ଼ା ଶିକ୍ଷକ ନିଯୁକ୍ତି କରିବାକୁ ବିଇଓଙ୍କୁ ନିର୍ଦେଶ ଦେଇଥିଲେ।

ସେହିପରି ଭା‌ପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗସ୍ତ କରିବା ସମୟରେ ଜଣେ ଶିକ୍ଷକ ଛୁଟିରେ ରହିଥିବା ଜାଣିବାକୁ ପାଇଥିଲେ। ମଧ୍ୟାହ୍ନ ୧୨ଟା ଯାଏ ୫ମ ଶ୍ରେଣୀ କ୍ଲାସ୍‌ ଆରମ୍ଭ ହୋଇ ନଥିଲା। ତେଣୁ ଯେଉଁମାନେ ଅବହେଳା ପ୍ରଦର୍ଶନ କରିଛନ୍ତି ସେମାନଙ୍କ ଦରମା ବନ୍ଦ ସହ କାରଣଦର୍ଶାଅ ନୋଟିସ୍‌ ଜାରି କରିବାକୁ ବିଇଓଙ୍କୁ ନିର୍ଦେଶ ଦେଇଥିଲେ। କଟକ ଜିଲ୍ଲାର ନିଆଳି ବ୍ଳକର ସାଜନଗରପାଟଣା ପ୍ରାଥମିକ ବିଦ୍ୟାଳୟ ଗସ୍ତ ବେଳେ ପିଲାଙ୍କ ଉପସ୍ଥାନ କମ୍‌ ଥିଲା। ୫ଟି ଶ୍ରେଣୀରେ ୨୧ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତ। ଆଜି ସେମାନଙ୍କ ମଧ୍ୟରୁ ୧୦ ଜଣ ସ୍କୁଲ ଆସିଥିଲେ। ଏହାପରେ ସେ ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନିଆଳି ହାଇସ୍କୁଲ, କପିଳେଶ୍ବର ବିଦ୍ୟାପୀଠ, କୁରାଙ୍ଗ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲକ୍ଷେଶ୍ବର ନୋଡାଲ ହାଇସ୍କୁଲ, କାଚରାମାଳ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟଳୟ ପରିଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର