ବାଣୀବିହାରର ଉଜୁଡ଼ା ଭିତ୍ତିଭୂମି ଦେଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବ‌ନେଶ୍ବର : ଭୁଶୁଡୁଛି ବାଣୀବିହାର ଭିତ୍ତିଭୂମି। ହଷ୍ଟେଲଠାରୁ କ୍ଲାସରୁମ୍‌ ପର୍ଯ୍ୟନ୍ତ, ପାଠାଗାରଠାରୁ ଲାବରେଟୋରି ଯାଏ; ରାଜ୍ୟର ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ୨୦୧୬ରେ ନାକ୍‌ ‘ଏ+’ ଗ୍ରେଡ୍‌ ମାନ୍ୟତା ପାଇଥିବା ଏହି ଶିକ୍ଷାନୁଷ୍ଠାନ ଗତ ଅଢ଼େଇ ବର୍ଷରେ ତଳିତଳାନ୍ତ ହୋଇଗଲାଣି। ସବୁ କିଛି ଅଚଳ। ୫ଟି କୋଠା ଭୂତକୋଠି। ଭଡ଼ାରେ ଲାଗିଲାଣି ସରକାରୀ କ୍ବାର୍ଟର। ଅସାମାଜିକଙ୍କ ଆଡ଼ା ଜମୁଛି। ଯେଉଁଥିପାଇଁ ଦୁଇଦିନ ତଳେ ଛାତ୍ରଛାତ୍ରୀମାନେ କୁଳପତିଙ୍କୁ ୫ ଘଣ୍ଟା ଘେରାଉ କରିଥିଲେ। ସମସ୍ୟାର ସମାଧାନ ନ ହେଲେ ନିଆଁ ଜାଳିବ ବୋଲି ଚେତାବନୀ ଦେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଓ ସଚିବ ଶାଶ୍ବତ ମିଶ୍ରଙ୍କ ନିଦ ଭାଙ୍ଗିଛି। ଆଜି ସକାଳୁ ବିଶ୍ବବିଦ୍ୟାଳୟର ଭୁଶୁଡ଼ା ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ହଷ୍ଟେଲ ବୁଲିଛନ୍ତି। ଅନ୍ତେବାସୀଙ୍କ ସହ ଆଲୋଚନା କରିଛନ୍ତି। ଭୂତକୋଠି ପାଲଟିଥିବା ‌କୋଠାଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରିବାକୁ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ଓ କୁଳସଚିବ ଦୟାନିଧି ନାୟକଙ୍କୁ ଦିର୍ଦେଶ ଦେଇଛନ୍ତି। ଗୋଟିଏ ଦିନ କ୍ୟାମ୍ପସରେ ରହିବା ପରେ ମନ୍ତ୍ରୀ ଓ ସଚିବ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ସାଲିସ କରାଯିବ ନାହିଁ। ଭିତ୍ତିଭୂମି ଠିକ୍‌ କରିବାକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ। ତାହାକୁ କିଭଳି ଠିକ୍‌ ଭାବେ କାର୍ଯ୍ୟକାରୀ କରାଯିବ, ସେ ଦିଗରେ ପଦ‌କ୍ଷେପ ନେବାକୁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ କହିଛନ୍ତି।

ସକାଳ ୮ଟାରେ ମନ୍ତ୍ରୀ ଶ୍ରୀ ସାହୁ, ସଚିବ ଶ୍ରୀ ମିଶ୍ର ଓ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ କ୍ୟାମ୍ପସରେ ପହଞ୍ଚିଥିଲେ। କୁଳପତିଙ୍କ କାର୍ଯ୍ୟାଳୟକୁ ନ ଯାଇ ସିଧାସଳଖ ଗୋବିନ୍ଦ ସାହୁ ମାର୍କେଟରେ ପହଞ୍ଚିଥିଲେ। ସେଠାରେ କିଛି ସମୟ ବିତାଇବା ପରେ ଏକ ନମ୍ବର ଛାତ୍ରାବାସ ନିକଟକୁ ପ୍ରବେଶ କରିଥିଲେ। ସେଠାରେ ପିଲାଙ୍କ ସହ ଆଲୋଚନା କରିଥିଲେ। ପ୍ରଥମ ହଷ୍ଟେଲରେ ପ୍ରବେଶ କରିବା କ୍ଷଣି କୁଳପତି ପ୍ରଫେସର ପଟ୍ଟନାୟକଙ୍କ ନିକଟରେ ଖବର ପହଞ୍ଚି ଯାଇଥିଲା। ତତ୍‌କ୍ଷଣାତ୍‌ ମନ୍ତ୍ରୀଙ୍କ ସହ ସାମିଲ ହୋଇଥିଲେ। ହଷ୍ଟେଲରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଲି ଦେଖିଥିଲେ। ଡାଇନିଂରେ ଗାଡ଼ି ପାର୍କିଂକୁ ନେଇ ଅସନ୍ତୋଷବ୍ୟକ୍ତ କରିଥିଲେ। ହଷ୍ଟେଲଗୁଡ଼ିକରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ବନ୍ଦ ହୋଇ ପଡ଼ିଥିବା ୭ ନମ୍ବର ଛାତ୍ରାବାସ ତୁରନ୍ତ ଖୋଲିବାକୁ କହିଥିଲେ।

ପୂର୍ବାହ୍ନ ପ୍ରାୟ ୯ଟା ୩୦ ବେଳକୁ କୁଳପତିଙ୍କ କାର୍ଯ୍ୟାଳୟ ପରିସରରେ ଏକ ରୁଦ୍ଧଦ୍ବାର ବୈଠକ ବସିଥିଲା। ଏଥିରେ ମନ୍ତ୍ରୀ, ସଚିବ, ବିଧାୟକଙ୍କ ସହ କୁଳପତିଙ୍କ ଏକ ଘଣ୍ଟା ଧରି ଆଲୋଚନା ଚାଲିଥିଲା। ମନ୍ତ୍ରୀ ଓ ସଚିବ ହଷ୍ଟେଲରେ ମଧ୍ୟାହ୍ନଭୋଜନ କରିବେ ବୋଲି ଚର୍ଚ୍ଚା ଚାଲିଥିବାରୁ ଆଜି ସମସ୍ତ ହଷ୍ଟେଲରେ ଭଲ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। ତେବେ କେହି ଖାଇ ନଥିଲେ। କୁଳପତିଙ୍କ କାର୍ଯ୍ୟାଳୟରେ ମଧ୍ୟାହ୍ନଭୋଜନ କରିବା ପରେ ପ୍ରାଶାସନିକ କୋଠା ବୁଲିଥିଲେ। କାର୍ଯ୍ୟାଳୟର ସମସ୍ତ ସେକ୍ସନ ବୁଲିଲେ। କିଭଳି ଶୀଘ୍ର ରେଜଲ୍ଟ ପ୍ରକାଶ ପାଇବ ସେନେଇ ପରୀକ୍ଷା ନିୟନ୍ତ୍ରକଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ କାମରେ ଅପେକ୍ଷା କରିଥିବା ୨ରୁ ୩ ଅଭିଭାବକଙ୍କ ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିଲା। ଏହାପରେ କିଛି ପିଜି ବିଭାଗ ବୁଲିଥି‌ଲେ। ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଅଧ୍ୟାପକମାନଙ୍କ ପାଠପଢ଼ା ଶୁଣିଥିଲେ। ଇତିହାସ ବିଭାଗରେ ଚାଲିଥିବା ରିପ୍ରେସର ପାଠ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ। ଭୂତକୋଠି ପାଲଟିଥିବା ଲାଙ୍ଗୁଏଜ୍‌ ବ୍ଲକ, ଏଚ୍‌ଆରଡି, ଇନ୍‌ଷ୍ଟ୍ରୁମେଣ୍ଟେସନ ସେଣ୍ଟର ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ ଦେଇଥିଲେ।

ଛାତ୍ରୀନିବାସକୁ ବୁଲିବାକୁ ନ ଯାଇ ଅପରାହ୍‌ଣରେ ୭ଟି ଛାତ୍ରୀନିବାସର ଛାତ୍ରୀ ପ୍ରତିନିଧି, ସୁପରିନ୍‌ଟେଣ୍ଡେଣ୍ଟ, ୫୦ଜଣ ଛାତ୍ରୀଙ୍କ ସହ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ। ହଷ୍ଟେଲରେ ଯାହା ବି କିଛି ଛୋଟ ସମସ୍ୟା ରହିଛି, ତାହାର ତୁରନ୍ତ ସମାଧାନ କରିବାକୁ ୱାର୍ଡେନ୍‌କୁ କହିଥିଲେ। ଏହାପରେ ଏମ୍‌କେସିଜି ପ୍ରେକ୍ଷାଳୟରେ ଦୁଇ ଘଣ୍ଟା ଧରି ଶିକ୍ଷକ ଓ ଅଣ-ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ୫-ଟି ସମ୍ପର୍କରେ ଗୁରୁତ୍ବ ଦେଇଥିଲେ। ଷ୍ଟାଡିୟମ୍‌, ଇନ୍‌ଡୋର ଷ୍ଟାଡିୟମ୍‌ ଓ ଜିମ୍‌ ବୁଲି ଦେଖିଥିଲେ। କ୍ୟାମ୍ପସର ନିୟମିତ ରକ୍ଷଣାବେକ୍ଷଣ କରିବାକୁ କୁଳପତି ପ୍ରଫେସର ପଟ୍ଟନାୟକଙ୍କୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର