ସାର୍‌ଙ୍କୁ ଅଣ୍ଡା ଅଡ଼ୁଆ

ଖଣ୍ତଗିରି: ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ଆଜିଠାରୁ ପୁଣି ସିଝା ଅଣ୍ତା ବଣ୍ଟନ ଆରମ୍ଭ ହୋଇଛି। ଏହା ଏବେ ଶିକ୍ଷକମାନଙ୍କୁ ଅଡ଼ୁଆରେ ପକାଇଛି। ଅଣ୍ତା କିଣିବାଠାରୁ ଆରମ୍ଭ କରି ସିଝାଇବା ଓ ବାଣ୍ଟିବା ଭଳି ଜଞ୍ଜାଳ ମୁଣ୍ତାଇଛନ୍ତି ଶିକ୍ଷକମାନେ। ମଧ୍ୟାହ୍ନ ଭୋଜନ ଦାୟିତ୍ବରୁ ବେଶ୍ କିଛି ଦିନ ହେଲା ବିରତ ରହି ଜଞ୍ଜାଳମୁକ୍ତ ହୋଇଥିବା ଶିକ୍ଷକମାନେ ପୁଣି ଥରେ ବିଭିନ୍ନ ବାଟରେ ଘାଣ୍ଟିଚକଟି ହେଲେ ବୋଲି ଅଭିଯୋଗ ହେଲାଣି। ସରକାର ପିଲାପିଛା ୫ ଟଙ୍କା ବରାଦ କରିଥିବାବେଳେ ଶିକ୍ଷକମାନେ କିଭଳି ବଜାରରୁ ୬ ଟଙ୍କାରେ କଞ୍ଚା ଅଣ୍ତା କିଣି ସିଝା ଅଣ୍ତା ବାଣ୍ଟିବେ ବୋଲି ପ୍ରଶ୍ନ କରିଛନ୍ତି। ପ୍ରଥମତଃ ଅଣ୍ତା ଦରକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଶିକ୍ଷକମାନେ। ବଜାରରେ ଅଣ୍ତାର ପାଇକାରୀ ଦର ୪ ଟଙ୍କା ୮୩ ପଇସା ରହୁଛି। ବିଜୟୱଡ଼ାରେ ଏହି ଦର ୪ଟଙ୍କା ୫୩ ପଇସା ଥିବାବେଳେ ପରିବହନ ଖର୍ଚ୍ଚ ହିସାବରେ ଓଡ଼ିଶାରେ ୪ ଟଙ୍କା ୮୩ ପଇସା ହେଉଛି। ତେଣୁ ଏହି ଦାମରେ ଅଣ୍ତା କିଣି ଶିକ୍ଷକମାନେ ବିଦ୍ୟାଳୟରେ ବାଣ୍ଟିବାକୁ ବାଧ୍ୟ। ମାତ୍ର ସରକାର ପିଲା ପିଛା ୫ ଟଙ୍କା ବରାଦ କରିଛନ୍ତି। ତେଣୁ ଜାଳେଣି ଖର୍ଚ୍ଚ କିଏ ବହନ କରିବ ବୋଲି ଶିକ୍ଷକମାନେ ପ୍ରଶ୍ନ କରିଛନ୍ତି। ସେହିଭଳି ବହୁ ଛୋଟ ଛୋଟ ବିଦ୍ୟାଳୟ ପାଇକାରୀ ଦରରେ ଅଣ୍ତା କିଣିବା ସମ୍ଭବ ନୁହେଁ ବୋଲି ଅଭିଯୋଗ ହେଉଛି। ବହୁ ବିଦ୍ୟାଳୟ ଅଛି ଯେଉଁଠି ୨୫/୩୦ ପିଲା ଅଛନ୍ତି। ସେଭଳି ବିଦ୍ୟାଳୟମାନେ ପାଇକାରୀ ଦରରେ ଅଣ୍ତା କିଣି ପାରିବେ ନାହିଁ। ସେମାନଙ୍କୁ ଖୁଚୁରା ଦର ୬ ଟଙ୍କାରେ କିଣିବାକୁ ପଡ଼ିବ। ତେଣୁ ସେମାନେ କିଭଳି ପିଲାଙ୍କୁ ଅଣ୍ତା ବାଣ୍ଟିବେ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି। ଭୁବନେଶ୍ବର ବ୍ଲକ ଓ ମ୍ୟୁନିସିପାଲିଟି ଭଳି ବହୁ ବିଦ୍ୟାଳୟରେ ଯେଉଁଠି ଘରୋଇ ସଂସ୍ଥା ମଧ୍ୟାହ୍ନ ଭୋଜନ ଦାୟିତ୍ବ ବହନ କରିଛି, ସେଠାରେ ଶିକ୍ଷକମାନେ ନିଜ ପକେଟ୍‌ରୁ କ୍ଷତି ଭରଣା କରିବାକୁ ବାଧ୍ୟ ହେବେ ବୋଲି ସ୍ପଷ୍ଟ ହୋଇଛି। ତେଣୁ ସରକାର ଏହାର ପୁନର୍ବିଚାର କରିବାକୁ ବହୁ ଶିକ୍ଷକ ଦାବି କରିଛନ୍ତି। ଏ ନେଇ ଭୁବନେଶ୍ବର ବିଇଓ ସସ୍ମିତା ମାଳିଙ୍କ କହିବା କଥା ବହୁ ଶିକ୍ଷକ ପରୋକ୍ଷରେ ଏଭଳି ଅଭିଯୋଗ କରିଛନ୍ତି ଓ ଏହା ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ତେଣୁ ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର