ପାଠକୀୟ ସ୍ୱୀକୃତି ଲେଖକ ପାଇଁ ଶ୍ରେଷ୍ଠ ପୁରସ୍କାର

ଏକାମ୍ର ପୁସ୍ତକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ଚନ୍ଦ୍ରଶେଖରପୁର: ଯୁଗେ ଯୁଗେ ଲେଖକ ଓ ପାଠକ ମଧ୍ୟରେ ନିବିଡ଼ ସମ୍ପର୍କ ରହିଆସିଛି। ଉଭୟ ଉଭୟଙ୍କ ପାଇଁ ପରିପୂରକ। ଜଣଙ୍କ ବିନା ଅନ୍ୟଜଣଙ୍କ ଅସ୍ତିତ୍ୱ ନାହିଁ। ଯେକୌଣସି ଆନୁଷ୍ଠାନିକ ପୁରସ୍କାର ଅପେକ୍ଷା ପାଠକୀୟ ସ୍ୱୀକୃତି ଓ ଭଲପାଇବା ହିଁ ଜଣେ ଲେଖକ ପାଇଁ ଶ୍ରେଷ୍ଠ ପୁରସ୍କାରର ମାନ୍ୟତା ପାଇଥାଏ। ପାଠକ ଓ ଲେଖକଙ୍କ ମଧ୍ୟରେ ରହିଥିବା ନିରୁତା ଭଲପାଇବାକୁ ପରିପ୍ରକାଶ କରିବା ନିମନ୍ତେ ସପ୍ତମ ଏକାମ୍ର ସାହିତ୍ୟ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଏକ ନିଆରା ପ୍ରୟାସ କରାଯାଇଥିଲା।

ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଯଶସ୍ୱୀ କବି, ଲେଖକ, ନାଟ୍ୟକାର, ଔପନ୍ୟାସିକମାନଙ୍କ ଉପସ୍ଥିତିରେ ସେମାନଙ୍କ ଗୁଣମୁଗ୍ଧ ପାଠକ, ପାଠିକା ତଥା ଦର୍ଶକଙ୍କର ମୂଲ୍ୟବାନ ମତାମତ ଏହି ସନ୍ଧ୍ୟାକୁ ମହିମାମଣ୍ଡିତ କରିଥିଲା। ପାଠକ/ପାଠିକାଙ୍କର ଭଲପାଇବା, ମତାମତ, ଆଲୋଚନା, ସମାଲୋଚନା ବିନା ଲେଖକୀୟ ସ୍ୱୀକୃତି ଯେ ଅସମ୍ଭବ ତାହା ଉପସ୍ଥିତ ସାଧକ ମଣ୍ଡଳୀ ମତ ଦେଇଥିଲେ।

ଏହି ସନ୍ଧ୍ୟାରେ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ମନ୍ତ୍ରମୁଗ୍ଧ ଦର୍ଶକ ରମାକାନ୍ତ ମହାପାତ୍ର ଓ ପ୍ରଫୁଲ୍ଲ ମହାନ୍ତି ତାଙ୍କର ପ୍ରିୟ ନାଟ୍ୟକାରଙ୍କ ବଳିଷ୍ଠ ରଚନା ଉପରେ ମତରଖିଥିଲେ। ସେହିପରି ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରାଙ୍କ ଗୁଣମୁଗ୍ଧ ପାଠକ ପ୍ରକାଶ ଚନ୍ଦ୍ର ଦାଶ ଓ ପାଠିକା ତନ୍ଦ୍ରାଳସା ଦାସ ସେମାନଙ୍କର ପ୍ରିୟ ଲେଖକଙ୍କ ରଚନା ଉପରେ ଅଭିମତ ରଖିଥିଲେ। ସୁନାମଧନ୍ୟ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କ କାଳଜୟୀ ରଚନା ଉପରେ ମତ ରଖିଥିଲେ ପାଠକ ତାପସ କୁମାର ରାଉତ ଓ ପାଠିକା ମଧୁଛନ୍ଦା ପଟ୍ଟନାୟକ। ବିଶିଷ୍ଟ କବି ରମାକାନ୍ତ ରଥଙ୍କ କବିତାର ଗାଥା ସମ୍ପର୍କରେ ଅଭିମତ ଦେଇଥିଲେ ତାଙ୍କର ଗୁଣମୁଗ୍ଧ ପାଠକ ଅସିତ୍‌ ମହାନ୍ତି ଏବଂ ପାଠିକା ଚିରଶ୍ରୀ ଇନ୍ଦ୍ରସିଂ। ବିଶିଷ୍ଟ କଥାକାର ତଥା ଲେଖକ ଡ. ଗୌରହରି ଦାସଙ୍କ ସୃଜନଶୀଳ ରଚନା ସମ୍ପର୍କରେ ହୃଦୟର ଅଭିବ୍ୟକ୍ତି ରଖିଥିଲେ ସୁଦୂର ହିଞ୍ଜିଳିକାଟୁରୁ ଆସିଥିବା ପାଠକ ହୃଷିକେଶ ରଥ ଓ ପାଠିକା ହିରଣ୍ମୟୀ ମିଶ୍ର। ଆୟୋଜନ କମିଟିର ସଭାପତି ପୀତବାସ ରାଉତରାୟ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସଂଯୋଜକ ଅରବିନ୍ଦ ରାୟ ମଞ୍ଚ ପରିଚାଳନା କରିଥିଲେ। ଉପସଭାପତି ଅଭୟ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ଭାସ୍କର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ବିମଳା ସିଂ ମଞ୍ଚ ପରିଚାଳନାରେ ସାହାଯ୍ୟ କରିଥିଲେ। ଉପସ୍ଥିତ ସାରସ୍ୱତ ସାଧକମାନେ ସେମାନଙ୍କର ପ୍ରିୟ ପାଠକ ପାଠିକାଙ୍କୁ ଉପଢ଼ୌକନ ମାନପତ୍ର ଦେଇ ସମ୍ବର୍ଧିତ କରିଥିଲେ।

ସମ୍ବନ୍ଧିତ ଖବର