ଚମକିବ ଏକାମ୍ର କ୍ଷେତ୍ର: ବିଡିଏ ପ୍ରସ୍ତୁତ କଲା ସାଇନ୍‌ଏଜ୍‌ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର: ଚମକିବ ଏକାମ୍ର କ୍ଷେତ୍ର। ପୁରୁଣା ଭୁବନେଶ୍ୱର ଅଞ୍ଚଳ ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଐତିହ୍ୟ କୋଠାଗୁଡ଼ିକର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ଆସିବ ହେରିଟେଜ୍‌ ସାଇନ୍‌ଏଜ୍‌ ଗାଇଡ୍‌ଲାଇନ୍‌। ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ)ର ୧୩୬ତମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଗାଇଡ୍‌ଲାଇନ୍‌କୁ ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କ ଅନୁମୋଦନ ଲାଗି ପଠାଯିବ ବୋଲି ଜଣାପଡ଼ିଛି।

ଗାଇଡ୍‌ଲାଇନ୍‌ ଅନୁଯାୟୀ ପୁରୁଣା ଭୁବନେଶ୍ୱରକୁ ‘ନୋ ହୋଡିଂ ଜୋନ୍‌’ ଭାବେ ଘୋଷଣା କରାଯିବ। ସ୍ଥପତ୍ୟ ଭରି ରହିଥିବା କୋଠାର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା ସମସ୍ତ ହୋଡିଂ ଏବଂ ସାଇନ୍‌ଏଜ୍‌ ହଟାଯିବ। ବିଲଡିଂ ସାଇନ୍‌ କିଭଳି ହେବ ସେନେଇ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି। ଯଦି କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ନିୟମ ଉଲ୍ଲଂଘନ କରନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଐତିହ୍ୟ କୋଠାର ରକ୍ଷଣାବେକ୍ଷଣ ତଥା ଏହାର ଯତ୍ନ ଦିଗରେ ଅବହେଳା ପ୍ରଦର୍ଶନ ହେଉଥିବା ନଜର ଆସିଲେ ବିଡିଏ ପକ୍ଷରୁ ଆକ୍ସନ ନିଆଯିବ। ସାଇନ୍‌ଏଜ୍‌ର ଫ୍ରଣ୍ଟ, ଲାଇନ୍‌ ଦୂରତା, ଲେଆଉଟ୍‌/ପାରାଗ୍ରାଫ୍ସ ଷ୍ଟାଇଲ୍‌, ଲେଟର ହାଇଟ୍‌ ଆଦି ବି ସ୍ଥିର ହୋଇଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ବିଏମ୍‌ସି ପକ୍ଷରୁ ପୁରୁଣା ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୫୨୧ଟି ରୁଟ୍‌ ସାଇନ୍‌ଏଜ୍‌ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ଏଗୁଡ଼ିକ ମନ୍ଦିର ସ୍ଥାପତ୍ୟର କଳିଙ୍ଗାନା ଷ୍ଟାଇଲ୍‌ ଅନୁଯାୟୀ ରହିଛି।

ସମ୍ବନ୍ଧିତ ଖବର