ଏକାମ୍ର ନିର୍ବାଚନମଣ୍ଡଳୀ : ପୂରା ଦମ୍‌ରେ ପ୍ରଚାର ଚଳାଇଛନ୍ତି ୩ ପ୍ରାର୍ଥୀ

ପୁରୁଣା ଭୁବନେଶ୍ବର : ଗତକାଲି ପ୍ରାର୍ଥିପତ୍ର ଦାଖଲ ଶେଷ ହେଲା ପରେ ଏକାମ୍ର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର ଜମିଯାଇଛି। ଏଠାରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଉଥିଲା ବେଳେ ତିନି ପ୍ରାର୍ଥୀ ପୂରା ଦମ୍‌ରେ ପ୍ରଚାର ଆରମ୍ଭ କରିଛନ୍ତି। ଆଉ ସବୁ ପ୍ରାର୍ଥୀଙ୍କ ସହ ନିଜ ନିଜ ଦଳର ସାଂସଦ ପ୍ରାର୍ଥୀ ମଧ୍ୟ ସାମିଲ ହୋଇଛନ୍ତି। ପ୍ରାର୍ଥୀମାନଙ୍କ ପଦଯାତ୍ରା, ପ୍ରଚାରରେ କମ୍ପୁଛି ଏକାମ୍ରର ବିଭିନ୍ନ ଅଞ୍ଚଳ।

ଏକାମ୍ର ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଭାବେ ଲଗାତର ତୃତୀୟ ଥର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା। ସେ ବିଭିନ୍ନ ଅଞ୍ଚଳରେ ସମର୍ଥକମାନଙ୍କ ସହ ମାରାଥନ୍ ପ୍ରଚାର ଚଳାଇଛନ୍ତି। ତାଙ୍କ ସହ ବିଜେଡିର ଲୋକସଭା ପ୍ରାର୍ଥୀ ଅରୂପ କୁମାର ପଟ୍ଟନାୟକ ମଧ୍ୟ ସାମିଲ ହୋଇଛନ୍ତି। ପୁରୁଣା ଭୁବନେଶ୍ବର, ନୂଆଗାଁ, ବଡ଼ଗଡ଼ ଗ୍ରାମରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଗତକାଲି ୱାର୍ଡ ନଂ ୬୭ରେ ସୁନ୍ଦରପଦା ଓ କପିଳପ୍ରସାଦ ଗ୍ରାମରେ ଉଭୟ ମିଳିତ ଭାବେ ପ୍ରଚାର କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ଓ ଗତ ୧୦ ବର୍ଷରେ ଏକାମ୍ରରେ ହୋଇଥିବା ବିକାଶ କାର୍ଯ୍ୟର ନାରା ଦେଇ ପ୍ରଚାର କରାଯାଇଥିଲା। ଏଥିରେ ବହୁ ପୂର୍ବତନ କର୍ପୋରେଟରଙ୍କ ସମେତ ଦଳୀୟ କର୍ମକର୍ତା ସାମିଲ ହୋଇଥିଲେ। ଆଜି ଶ୍ରୀ ପଣ୍ଡା ନିଜ ବାସଭବନରେ ବିଭିନ୍ନ ପଞ୍ଚାୟତର ପ୍ରତିନିଧି, ପୂର୍ବତନ କର୍ପୋରେଟର୍ ଓ ପ୍ରମୁଖ ଦଳୀୟ ନେତାମାନଙ୍କୁ ଡାକି ପ୍ରଚାରର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲେ।

ସେହିପରି ଏଠାରୁ କଂଗ୍ରେସ ପ୍ରାର୍ଥିନୀ ରଶ୍ମୀ ମହାପାତ୍ର ସୋମବାରଠାରୁ ପର୍ଯ୍ୟାୟ କ୍ରମେ ନିଜର ଶତାଧିକ ସମର୍ଥକଙ୍କ ସହ ପଦଯାତ୍ରା କରୁଛନ୍ତି। ଗତକାଲି ଶିଶୁପାଳଗଡ଼ ଗ୍ରାମରେ ସେ ପଦଯାତ୍ରା କରିଥିଲା ବେଳେ ଆଜି କେଦାରଗୌରୀ ବିହାରରେ ପଦଯାତ୍ରା କରି ଭୋଟର୍‌ଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ସେ ପ୍ରସଙ୍ଗ କରିବା ସହ ତାହାର ସମାଧାନ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଉଥିବା ଲକ୍ଷ୍ୟ କରାଯାଉଛି। ପ୍ରଚାର ସମୟରେ ଶ୍ରୀମତୀ ମହାପାତ୍ର ଲୋକମାନଙ୍କୁ କଂଗ୍ରେସର ଇସ୍ତାହାର ବଣ୍ଟନ କରୁଛନ୍ତି। ତାଙ୍କ ସହ ଏହି ପ୍ରଚାରରେ କଂଗ୍ରେସ ସମର୍ଥିତ ସିପିଆଇ(ଏମ୍‌) ଲୋକସଭା ପ୍ରାର୍ଥୀ ଜନାର୍ଦନ ପତି ସାମିଲ ହୋଇଥିଲେ।

ଅପର ପକ୍ଷେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂହ ମଧ୍ୟ ପଛରେ ପଡ଼ିନାହାନ୍ତି। ବିଜେପି ଭୁବନେଶ୍ବର ଲୋକସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀଙ୍କ ସହ ମିଶି ସେ ଜୋର୍‌ଦାର୍ ପ୍ରଚାର ଚଳାଇଛନ୍ତି। ଗତକାଲି ଭୀମଟାଙ୍ଗି ଓ ବରମୁଣ୍ଡା ଗ୍ରାମରେ ପଦଯାତ୍ରା କରି ବିଜେପିକୁ ଭୋଟ୍‌ ଦେବା ପାଇଁ ଅନୁରୋଧ କରିଥିଲେ। ଆଜି ଜାଗମରା, ଡୁମୁଡୁମା, ଆଇଗିଣିଆ, ଏହି ଅବସରରେ ବିଭିନ୍ନ ସ୍ଥାନରେ ଚା’ ଖଟି ମଧ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ କାର୍ଯ୍ୟକୁ ସେମାନେ ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି। ଏହି ପ୍ରଚାରରେ ତାଙ୍କ ସହ ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି, ରାମରଣ ସିଂହ ପ୍ରମୁଖ ସାମିଲ ଥିଲେ। ବିଜେପି ଟିକେଟ୍‌ରୁ ବଞ୍ଚିତ ହୋଇ ଅସନ୍ତୁଷ୍ଟ ଥିବା ଅମୀୟ ଦାଶଙ୍କୁ ଏହା ମଧ୍ୟରେ ରାଜ୍ୟ ଉପସଭାପତି କରାଯାଇଥିବାରୁ ସେ ଆଗାମୀ ଦିନରେ ବାବୁ ସିଂହଙ୍କୁ ସହଯୋଗ କରୁଛନ୍ତି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସ୍ବାଧୀନ ପ୍ରାର୍ଥୀ ମଧ୍ୟ ପ୍ରଚାରରେ ପଛରେ ନାହାନ୍ତି। ଏକାମ୍ରରେ ଏକାଧିକ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଅଧିକ ଚର୍ଚାରେ ରହିଛନ୍ତି ଏକାମ୍ର ଜନଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ। ବିଭିନ୍ନ ସମୟରେ ସ୍ଥାନୀୟ ସମସ୍ୟା ପାଇଁ ଆନ୍ଦୋଳନ କରୁଥିବା ଭୀଷ୍ମ ବିଗତ ନିର୍ବାଚନରେ ଭଲ ପ୍ରାର୍ଥୀକୁ ଭୋଟ୍‌ ଦେବା ପାଇଁ ଲୋକଙ୍କୁ ସଚେତନ କରାଉଥିବା ବେଳେ ଚଳି ତ ଥର ନିଜେ ମଇଦାନକୁ ଓହ୍ଲାଇଛନ୍ତି।

ସମ୍ବନ୍ଧିତ ଖବର