ବାବୁ ସିଂଙ୍କ ପ୍ରାର୍ଥିତ୍ୱ ରଦ୍ଦ ପାଇଁ ମୁଖ୍ୟ ନିର୍ବାଚନ କମିସନ୍‌ଙ୍କୁ ଫେରାଦ

ଭୁବନେଶ୍ବର : ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂହଙ୍କ ପ୍ରାର୍ଥିତ୍ୱ ରଦ୍ଦ କରିବାକୁ ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ମୁଖ୍ୟ ନିର୍ବାଚନ କମିସନଙ୍କ ନିକଟ‌ରେ ଦାବି କରାଯାଇଛି। ମୁଖପାତ୍ର ହିମାଂଶୁ ହୋତାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିସନର୍‌ଙ୍କୁ ଭେଟି ଏପରି ଦାବି କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ ଜମି ହଡ଼ପ ଅପରାଧରେ ବାବୁ ସିଂ ୨୦୧୨ ମସିହାରେ ସିଭିଲ୍‌ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୦୫ ମସିହାରେ ସେ ବସନ୍ତପୁର ଗ୍ରାମର ୩ଜଣ ବ୍ୟକ୍ତିଙ୍କ ନାମରେ ଥିବା ଜମିକୁ ପାୱାର ଅଫ୍‌ ଆଟର୍ଣ୍ଣି ଦ୍ବାରା ନିଜ କବ୍‌ଜାକୁ ଆଣିଥିଲେ। କିନ୍ତୁ ୨୦୧୦ ମସିହାରେ ଜମିର ଉତ୍ତରାଧିକାରୀ କୋର୍ଟରେ ଅଭିଯୋଗ କରିଥିଲେ ଯେ‌ ଯେଉଁମାନଙ୍କୁ ଜମି ମାଲିକ ରୂପେ ଦର୍ଶାଇ ବାବୁ ସିଂ ପାୱାର ଅଫ୍‌ ଆଟର୍ଣ୍ଣି ପ୍ରସ୍ତୁତ କରିଥିଲେ, ସେମାନେ ପ୍ରକୃତ ମାଲିକ ନୁହନ୍ତି। ପ୍ରକୃତ ମାଲିକଙ୍କ ମଧ୍ୟରୁ ୨ଜଣଙ୍କ ଯଥାକ୍ରମେ ୧୯୮୭ ଓ ୧୯୯୭‌‌‌ରେ ମୃତ୍ୟୁ ହୋଇସାରିଛି। ୨୦୦୫ ମସିହାରେ ସେମାନଙ୍କ ନାମରେ ଜାଲିଆତି କରି ବାବୁ ସିଂ ଜମି ହଡ଼ପ କରିବାକୁ ଉଦ୍ୟମ କରିଥିଲେ। କୋର୍ଟ ଏ ସମ୍ବନ୍ଧରେ (କେସ ନଂ-୩୭୦/୧୦)‌‌ରେ ନିଜର ରାୟ ଦେଇ ବାବୁ ସିଂଙ୍କୁ ଜାଲ୍‌ ଦସ୍ତାବିଜ୍ ପ୍ରସ୍ତୁତ କରିଥିବା ନେଇ ଦୋଷୀ ସାବ୍ୟସ୍ତ କରିଥିଲେ।

ମଞ୍ଚ ପକ୍ଷରୁ ଆହୁରି କୁହାଯାଇଛି ଯେ ଏହି ଘଟଣାକୁ ନେଇ ଗତ ମାର୍ଚ୍ଚ ୨୯ତାରିଖରେ ଧଉଳି ଥାନାରେ ଏକ ଅଭିଯୋଗ କରାଯାଇଥିଲେ ସୁଧା ଏ ପର୍ଯ୍ୟନ୍ତ କୌଣିସ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ନିର୍ବାଚନୀ ନିୟମାବଳୀ ଅନୁସାରେ ପ୍ରାର୍ଥୀଙ୍କ ବିରୋଧରେ ଚାଲିଥିବା ମକଦ୍ଦମା ସମ୍ପର୍କରେ କେବଳ ସୂଚନା ଦେବା ପାଇଁ ନିୟମ ରହିଛି। କିନ୍ତୁ ନ୍ୟାୟାଳୟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଜନପ୍ରତିନିଧି ଭାବେ ସୁଯୋଗ ନ ଦେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ମଞ୍ଚ ଦାବି କରିଛି।

ସମ୍ବନ୍ଧିତ ଖବର