କୋର୍ଟ କ୍ୟାମ୍ପସ୍‌ରେ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର

ଏକାମ୍ରରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ସୋ’, ଯୋଗଦେଲେନି ଅମୀୟ, ୪ ୱାର୍ଡରେ ସୁଶାନ୍ତଙ୍କ ପଦଯାତ୍ରା

ପୁରୁଣା ଭୁବନେଶ୍ବର : ବିଜେଡି ପକ୍ଷରୁ ଆଜି କୋର୍ଟ ପରିସରରେ ପ୍ରଚାର କରାଯାଇଥିଲା। ମଧ୍ୟାହ୍ନରେ ଦଳୀୟ କର୍ମୀ ଓ ଆଇନଜୀବୀଙ୍କ ଗହଣରେ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ, ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ, ଜଟଣୀ ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟ ପ୍ରମୁଖ ଆଇନଜୀବୀମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ସେହିପରି କଂଗ୍ରେସ ପ୍ରାର୍ଥିନୀ ରଶ୍ମୀ ମହାପାତ୍ର ଆଜି ପୁରୁଣା ଭୁବନେଶ୍ବରର ବିଭିନ୍ନ ସାହିରେ ପଦଯାତ୍ରା କରିଥିଲେ।

ଏକାମ୍ରରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ସୋ’, ଯୋଗଦେଲେନି ଅମୀୟ

ପୁରୁଣା ଭୁବନେଶ୍ୱର : ଆଜି ଏକାମ୍ର ନିର୍ବାଚନମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଡ୍ ସୋ’କରିଥିଲେ। ଦଳୀୟ କର୍ମୀଙ୍କ ଗହଣରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବଡ଼ଦାଣ୍ଡ, ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ଦେଇ ସାମନ୍ତରାପୁର ଛକ ପର୍ଯ୍ୟନ୍ତ ଯାଇଥିଲେ। ବିଧାୟକ ପ୍ରାର୍ଥୀ ବାବୁ ସିଂ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ ଅନ୍ୟ ଅଞ୍ଚଳରେ ପ୍ରଚାର ଯୋଗୁଁ ବିଜେପି ଲୋକସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ସନ୍ଧ୍ୟାରେ ଏଥିରେ ସାମିଲ୍‌ ହୋଇଥିଲେ। ତେବେ ଦଳୀୟ ଟିକଟରୁ ବଞ୍ଚିତ ଅମୀୟ ଦାଶ କି ତାଙ୍କ ସମର୍ଥକମାନେ ଅନୁପସ୍ଥିତ ଥିଲେ। ସେହିପରି ଏହି ଅଞ୍ଚଳରେ ରହୁଥିବା ଦଳର କୃଷକ ମୋର୍ଚା ରାଜ୍ୟ ସଂଯୋଜକ ମଦନ ମୋହନ ପ୍ରଧାନ, ଜିଲ୍ଲା ଉପସଭାପତି ଶିବ ପ୍ରସାଦ ବେ‌ହେରା, ମଣ୍ଡଳ ସଭାପତି ଶେଷ ଶେଖର ଗରାବଡ଼ୁ, ଉପସଭାପତି ଅନିକେତ ବଟୁ ଆଦି ବହୁ ସ୍ଥାନୀୟ କର୍ମୀ ଆଜିର ଶୋଭାଯାତ୍ରାରେ ଅନୁପସ୍ଥିତ ଥିଲେ। ଯାହା ଚର୍ଚାର ବିଷୟ ହୋଇଥିଲା। ଅମୀୟଙ୍କ ସହ ସେମାନେ ପୁରୀରେ ପ୍ରଚାର କରୁଥିବା ଜଣାପଡ଼ିଛି।

୪ ୱାର୍ଡରେ ସୁଶାନ୍ତଙ୍କ ପଦଯାତ୍ରା

ଚନ୍ଦ୍ରଶେଖରପୁର : ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ପଦଯାତ୍ରା କରି ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ଶକ୍ତି ପ୍ରଦର୍ଶନ କରିଛନ୍ତି। ଗତ ଦୁଇ ଦିନ ଧରି ଡମଣା, ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର, ନୀଳାଦ୍ରିବିହାର ଅଞ୍ଚଳରେ ଶୋଭାଯାତ୍ରା କରିଥିବା ଶ୍ରୀ ରାଉତ ଆଜି ପଦାଯାତ୍ରା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିଥିଲେ। ବିଏମ୍‌ସିର ୪ଟି ୱାର୍ଡରେ ପଦଯାତ୍ରା କରିଛନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରୀ ରାଉତ ପଳାସୁଣୀ, ପାଣ୍ଡରା, ରସୁଲଗଡ଼, ମଞ୍ଚେଶ୍ବର ଶିଳ୍ପାଞ୍ଚଳ, ମଞ୍ଚେଶ୍ବର, ଚକେଇସିଆଣି, ଭୋଟପଡ଼ା, ତାରିଣୀ ବସ୍ତି, ଭିଏସ୍‌ଏସ୍‌ ନଗର ପ୍ରଭୃତି ଅଞ୍ଚଳ ବୁଲିଥିଲେ। ଲୋକଙ୍କୁ ଭେଟିବା ସହ ସେମାନଙ୍କ ଭଲ ମନ୍ଦ ବୁଝିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ କରାଯାଇଥିବା ବିଭିନ୍ନ ଯୋଜନା ବସ୍ତିରେ ପହଞ୍ଚୁଛି କି ନାହିଁ ତାହାର ଟିକିନିଖି କଥା ପଚାରି ବୁଝିଥିଲେ। ଲୋକମାନେ ମଧ୍ୟ ସେମାନଙ୍କ ସମସ୍ୟା ସମ୍ପର୍କ‌ରେ ଅବଗତ କରିଥିଲେ। ସମସ୍ୟା ଶୁଣିବା ପରେ ଶ୍ରୀ ରାଉତ ବିକାଶ ଧାରାକୁ ବଜାୟ ରଖିବା ସହ ନିର୍ବାଚନମଣ୍ଡଳୀର ଅଧୁରା କାର୍ଯ୍ୟ ପୂରଣ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ପଦଯାତ୍ରାରେ ଯିବା ସମୟରେ ଲୋକମାନେ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇ ସମ୍ବର୍ଦ୍ଧନା ଦେଇଥିଲେ।

ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ଅପରାଜିତା ମହାନ୍ତି ଓ କଂଗ୍ରେସ ପ୍ରାର୍ଥୀ ଇତିଶ୍‌ ପ୍ରଧାନ ବି ନିଜର ଢଙ୍ଗରେ ପ୍ରଚାର ଜାରି ରଖିଛନ୍ତି। ବିଜେପି ପ୍ରାର୍ଥୀ ଅପରାଜିତା ମହାନ୍ତି ଆଜି ପଳାସୁଣୀ, ରସୁଲଗଡ଼, ପାଣ୍ଡରା ଗ୍ରାମ ବୁଲିଥିଲେ। ଲୋକଙ୍କୁ ଭେଟିବା ସହ ସମସ୍ୟା ବିଷୟରେ ଅବଗତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ଇତିଶ୍‌ ପ୍ରଧାନ ବି ଆଜି ସକାଳୁ ପଳାସୁଣୀ ବସ୍ତିରେ ବୁଲିବା ସହ ଲୋକଙ୍କ ନିକଟତର ହେବାକୁ ଉଦ୍ୟମ କରିଥିଲେ।

ସମ୍ବନ୍ଧିତ ଖବର