ଚନ୍ଦ୍ରଶେଖରପୁର : ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବା ପରେ ସରଗରମ ହୋଇଉଠିଛି ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ। ଭୋଟ୍ ହାତେଇବା ପାଇଁ ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଚଳାଇଛନ୍ତି। ପ୍ରଚାରର ପ୍ରଥମ ଦିନରୁ ସଭା, ଶୋଭାଯାତ୍ରା, କର୍ମୀ ସମ୍ମିଳନୀ ମାଧ୍ୟମରେ ଭୋଟରଙ୍କ ନିକଟତର ହୋଇଛନ୍ତି ପ୍ରାର୍ଥୀ। ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଉତ୍ତର ଭୁବନେଶ୍ବର ମଇଦାନରେ ଏବେ ୧୬ ଜଣ ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ଯେଉଁମାନଙ୍କୁ ଏପର୍ଯ୍ୟନ୍ତ କୌଣସି ଚିହ୍ନ ମିଳି ନ ଥିବାରୁ ସେମାନେ ଲୋକଙ୍କ ପାଖକୁ ଯିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେଡିର ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ଆଜି ପଟିଆଗଡ଼ରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ସୁଶାନ୍ତ ନିଜ ସମର୍ଥକଙ୍କ ସହ ପଟିଆ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିଥିଲେ। ସେଠାରେ ଗ୍ରାମର ମହିଳା, ଯୁବକ, ବୟସ୍କ ବ୍ୟକ୍ତିମାନେ ତାଙ୍କୁ ସ୍ବାଗତ କରିଥିଲେ। ଶୋଭାଯାତ୍ରାରେ ଜିଲ୍ଲା ସଭାପତି ଅମରେଶ ଜେନା, ସମ୍ପାଦକ ରବି ସାମଲ, ପୂର୍ବତନ କର୍ପୋରେଟର ଜୟନ୍ତୀ ଜେନା, ଅମରଜିତ୍ ସେନାପତି, ନୃସିଂହ ରାଉତ, ଭୁବନାନନ୍ଦ ଜେନା, ସୁବାସ ପାତ୍ର, ସଞ୍ଜୟ ସେଠୀ, ସମରେନ୍ଦ୍ର ସାହୁ ପ୍ରମୁଖ ସାମିଲ ହୋଇ ସୁଶାନ୍ତ ଏବଂ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ।
ବିଜେପି ବି ପ୍ରଚାରରେ ପଛରେ ପଡ଼ିନି। ଦୁଇ ଅପରାଜିତା ଆଜି ବିଏମ୍ସିର ୩ଟି ୱାର୍ଡରେ ପଦଯାତ୍ରା କରି ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରିଛନ୍ତି। ବିଧାୟକ ପ୍ରାର୍ଥିନୀ ଅପରାଜିତା ମହାନ୍ତି, ଲୋକସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଆଜି ଗାଡ଼କଣ, ରଙ୍ଗମାଟିଆ, ମଞ୍ଚେଶ୍ବର, ଧୀରୁକୁଟି ସାହି, ଆଦିମାତା କଲୋନି, ପାତ୍ର ସାହି, ଡମଣା ଆଦି ଅଞ୍ଚଳରେ ପ୍ରଚାର କରିଥିଲେ। ମହିଳାମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏଥର ଦୁଇ ଅପରାଜିତାଙ୍କୁ ଭୋଟ୍ ଦେବାକୁ ସେ ଅନୁରୋଧ କରିଥିଲେ।
କଂଗ୍ରେସ ପ୍ରାର୍ଥୀ ଇତିଶ୍ ପ୍ରଧାନ ନୂଆ ଚେହେରା ହୋଇଥିଲେ ହେଁ ଭୁବନେଶ୍ବର ଉତ୍ତରର ସର୍ବାଙ୍ଗୀନ ବିକାଶ ନାରା ଦେଇ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ସେ ଓ ତାଙ୍କ ସମର୍ଥକମାନେ ଆଜି ରସୁଲଗଡ଼ ସମେତ ଜିଜିପି କଲୋନି, ଜଗନ୍ନାଥ ବିହାର, ହାଇଟେକ୍, ପାଣ୍ଡରା, ମଞ୍ଚେଶ୍ବର ପ୍ରଭୃତି ସ୍ଥାନରେ ପଦଯାତ୍ରା କରିଥିଲେ। ଲୋକଙ୍କୁ ଭେଟିବା ସହ କଂଗ୍ରେସକୁ ଭୋଟ ଦେବାକୁ ନିବେଦନ କରିଥିଲେ।