ଆଜି ସରିବ ପ୍ରଚାର, ଶେଷ ଦିନ ପାଇଁ ପ୍ରସ୍ତୁତ କଲେ ବ୍ଲୁ ପ୍ରିଣ୍ଟ୍‌

ଭୁବନେଶ୍ବର : ମଙ୍ଗଳବାର ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ଅପରାହ୍‌ଣରେ ପ୍ରଚାର ଶେଷ ହେବ। ରବିବାର ସଂଧ୍ୟା ୬ଟା ପରେ ପ୍ରଚାର ବନ୍ଦ ଥିବାରୁ ପ୍ରାର୍ଥୀଙ୍କ ହାତରେ ବେଶି ସମୟ ନାହିଁ। ତେଣୁ ପ୍ରାର୍ଥୀମାନେ ଆଜି ଜୋରଦାର୍ ପ୍ରଚାର କରିଛନ୍ତି। ବିନା ବିଶ୍ରାମରେ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରଚାର କରିଛନ୍ତି। ପଦଯାତ୍ରା, ବାଇକ୍‌ ଶୋଭାଯାତ୍ରା, ଖୋଲା ଜିପ୍‌ରେ ବୁଲି ବୁଲି ପ୍ରଚାର କରିଛନ୍ତି। ଦୁଇ ଦିନରେ ନିର୍ବାଚନମଣ୍ଡଳୀର ସବୁ ଅଞ୍ଚଳରେ ପହଞ୍ଚିବାକୁ ପ୍ରାର୍ଥୀମାନେ ଉଦ୍ୟମ କରିଛନ୍ତି।

ପ୍ରଚାର ସରିବାକୁ ଆଉ କେଇ ଘଣ୍ଟା ଥିବାରୁ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସମେତ ଅନ୍ୟ ପ୍ରାର୍ଥୀମାନେ ବସ୍ତି, କଲୋନି, ପଞ୍ଚାୟତ ସବୁ ଅଞ୍ଚଳରେ ବୁଲି ବୁଲି ପ୍ରଚାର କରିଛନ୍ତି। ଯେଉଁଠିକୁ ନିଜେ ଯାଇ ପାରିନାହାନ୍ତି ସେଠାକୁ ଅନ୍ୟ ନେତା, ସମର୍ଥକଙ୍କୁ ପଠାଇ ପ୍ରଚାର କରିଛନ୍ତି। ମଧ୍ୟାହ୍ନରେ ଖରା କମ୍‌ ଥିବାରୁ ଆଜି ଦିନତମାମ୍‌ ପ୍ରାର୍ଥୀମାନେ ପ୍ରଚାରରେ ଲାଗି ପଡ଼ିଥିଲେ।

ସେହିପରି ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରାର୍ଥୀମାନେ ବସି ‌େଶଷ ଦିନର ପ୍ରଚାର ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ରବିବାର ସଂଧ୍ୟାରୁ ଯଦିଓ ପ୍ରାର୍ଥୀମାନେ ‌ଖୁଲମଖୁଲା ପ୍ରଚାର କରିପାରିବେନି କି ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରିବେନି। ତେଣୁ ରବିବାର ସବୁ ଅଞ୍ଚଳରେ ଯେପରି ଥରଟିଏ ହେଉ ପଛେ ପ୍ରଚାର ଗାଡ଼ି ବୁଲିବ ଏବଂ ଦଳର ଜଣେ ନେତା ବୁଲି ବୁଲି ଭୋଟ୍‌ ଦେବାକୁ ଅନୁରୋଧ କରିବେ ସେଥିପାଇଁ ଯୋଜନା ପ୍ରସ୍ତୁତ ହୋଇଛି।

ଅପରପକ୍ଷେ ଆଜି ବିଭିନ୍ନ ବସ୍ତି, କଲୋନିର ବାସିନ୍ଦା ଏବଂ କ୍ଲବର ସଦସ୍ୟମାନେ ପ୍ରାର୍ଥୀଙ୍କୁ ଭେଟି ଭୋଟ୍‌ ଦେବେ ବୋଲି ଆଶ୍ବାସନା ଦେଇଛନ୍ତି। କେହିକେହି ସେମାନଙ୍କ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟ ପାଇଁ ଦାବି କରିଥିବାବେଳେ ଆଉ ‌େକତେକ ରବିବାର ଭୋଜି କରିବାକୁ ଚାନ୍ଦା ନେଇଛନ୍ତି। ରବିବାର ଆମିଷ ବାର ଥିବାରୁ ପ୍ରାର୍ଥୀମାନେ ବି ଭୋଜି କରିବାକୁ କେତେକ ସ୍ଥାନରେ ଆଗୁଆ ପ୍ରସ୍ତାବ ଦେଇଛନ୍ତି। ଭୋଟ୍‌ ହାତେଇବାକୁ ପ୍ରାର୍ଥୀମାନେ କୌଣସି ସୁଯୋଗ ଛାଡ଼ୁ ନଥିବାବେଳେ ଭୋଟ୍‌ ଆଳରେ ନେତାଙ୍କୁ ଚନ୍ଦାଇବାକୁ ବି କିଛି ଲୋକ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି।

ସମ୍ବନ୍ଧିତ ଖବର