ବିସିଡିଡି-୨ରେ ବିଦ୍ୟୁତ୍‌ ବିଭ୍ରାଟ, ଆନ୍ଦୋଳନରେ ସାମିଲ ହେଲେ କର୍ମଚାରୀ

ଚନ୍ଦ୍ରଶେଖରପୁର: ଅଧା ରାଜଧାନୀରେ ସୃଷ୍ଟି ହୋଇଛି ବିଦ୍ୟୁତ୍‌ ବିଭ୍ରାଟ। ଘଣ୍ଟା ଘଣ୍ଟା ଧରି ଲୋକେ ଅନ୍ଧାରରେ ରହିଛନ୍ତି। ସଜାଡ଼ିବାକୁ ଉପଭୋକ୍ତାମାନେ ଯେତେ ଫୋନ୍‌ କଲେ ମଧ୍ୟ କର୍ମଚାରୀଙ୍କ ଦେଖା ମିଳୁନି। ଖଣ୍ଡଗିରିରେ ଫ୍ୟୁଜ୍‌ କଟି ଯାଇଥି‌ଲେ ମଧ୍ୟ ଯୋଡ଼ିବାକୁ କେହି ଆସି ନଥିଲେ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲେ ହେଁ ସଜଡ଼ା ହୋଇ ନଥିଲା। ଭୁବନେଶ୍ବର ସିଟି ଡିଷ୍ଟ୍ରିବ୍ୟୁସନ ଡିଭିଜନ୍‌(ବିସିଡିଡି-୨)ରେ ଏଭଳି ଅବ୍ୟବସ୍ଥା ଦେଖା‌ଦେଇଛି। ଡିଭିଜନ୍‌ ଅଧୀନରେ ଥିବା ୧୩ଟି ସେକ୍ସନରେ କାର୍ଯ୍ୟ କରୁଥିବା ସମସ୍ତ କାର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିବାରୁ ସମସ୍ୟା ଜଟିଳ ହେବାରେ ଲାଗିଛି। ବିସିଡିଡି-୨ ଡିଭିଜନ୍‌ରେ ଖାଲିଥିବା କର୍ମଚାରୀ ପଦବି ପୂରଣ ଦାବିରେ କର୍ମଚାରୀମାନେ ଆଜିଠାରୁ ନୟାପଲ୍ଲୀସ୍ଥିତ ଡିଭିଜନ୍‌ର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରଖିଛନ୍ତି। ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର, ସଭାପତି ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ନେତୃତ୍ବରେ କର୍ମଚାରୀମାନେ ସକାଳୁ ଆନ୍ଦୋଳନରେ ବସିବା ପରେ ପରିସ୍ଥିତି ଜଟିଳ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅପରାହ୍‌ଣରେ ସେସୁର ମାନବ ସମ୍ବଳ ଅଧିକାରୀ ସୁବ୍ରତ କୁମାର ମିଶ୍ର, ସିନିୟର ଜିଏମ୍‌(ଟେକ୍ନିକାଲ) ସୁକାନ୍ତ କୁମାର ସ୍ବାଇଁ, ଇଞ୍ଜିନିୟର ଜେ କେ ମିଶ୍ର ସଂଘର ନେତାଙ୍କ ସହ ଆଲୋଚନା କରିଥି‌ଲେ ମଧ୍ୟ କିଛି ଫଳ ବାହାରି ନଥିଲା। ଅନ୍ୟପକ୍ଷରେ ବିସିଡିଡି-୨ କର୍ମଚାରୀଙ୍କ ଦାବିକୁ ସମର୍ଥନ ଜଣାଇ ବିସିଡିଡି-୧ ଓ ଭୁବନେଶ୍ବର ଇଲେକ୍ଟ୍ରିକାଲ ଡିଭିଜନ୍‌(ବିଇଡି)ର କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଲେଣି। ସେମାନେ ଆନ୍ଦୋଳନରେ ସାମିଲ ହେଲେ ସମ୍ପୂର୍ଣ୍ଣ ରାଜଧାନୀରେ ବିଦ୍ୟୁତ ବିଭ୍ରାଟ ସୃଷ୍ଟି ହେବ। ପରିସ୍ଥିତି ବିଗିଡ଼ୁଥିଲେ ମଧ୍ୟ ବିଦ୍ୟୁତ୍‌ ବିଭାଗର ବରିଷ୍ଠ ଅଧିକାରୀ ଚୁପ୍‌ ବସିବା, ଦାବି ପୂରଣ ନେଇ ପଦକ୍ଷେପ ନ ନେବା ସନ୍ଦେହ ସୃଷ୍ଟି କରିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର