ଶ୍ରୀଲିଙ୍ଗରାଜ ମନ୍ଦିରରେ ବୈଦ୍ୟୁତିକ ଡିସ୍‌ପ୍ଲେ ବୋର୍ଡ ପାଇଁ ଦାବି

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଅଧିଷ୍ଠାତା ମହାଦେବ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତ୍ୟହ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଆସିଥାନ୍ତି। କିନ୍ତୁ ମନ୍ଦିର ବାହାରେ କୌଣସି ସୂଚନା ଉପଲବ୍ଧ ହେଉନଥିବାରୁ ମନ୍ଦିର ଭିତରେ ହେଉଥିବା ନୀତିକାନ୍ତି ବିଷୟରେ ଭକ୍ତ ଜାଣିପାରନ୍ତି ନାହିଁ। ଏଥିପାଇଁ ବୈଦ୍ୟୁତିକ ଡିସ୍‌ପ୍ଲେ ବୋର୍ଡ ଜରିଆରେ ସୂଚନା ପ୍ରଦାନ ପାଇଁ ଦାବି ହେଉଛି। ସୂଚନା ଅନୁଯାୟୀ, ଅନେକ ସମୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିରହିଥାନ୍ତି। ପ୍ରତ୍ୟହ ଠାକୁରଙ୍କ ନୀତିକାନ୍ତି କେତେବେଳେ ଆରମ୍ଭ ହୁଏ ଓ କେତେ ସମୟ ପର୍ଯ୍ୟନ୍ତ ଚାଲେ ତାହା ଜଣାପଡ଼େ ନାହିଁ। ସେହିପରି କେଉଁ ସମୟରେ ପହୁଡ଼ ହୁଏ ଭକ୍ତ ଓ ଶ୍ରଦ୍ଧାଳୁମାନେ ଜାଣି ପାରିନଥାନ୍ତି। ଡିସ୍‌ପ୍ଲେ ବୋର୍ଡ ଜରିଆରେ ମହାପ୍ରଭୁଙ୍କ ନୀତିକାନ୍ତି ସୂଚନା ପ୍ରଦାନ କରିବା ପାଇଁ ସମାଜସେବୀ ସୁଶାନ୍ତ ସାହୁ ମନ୍ଦିର ପ୍ରଶାସନକୁ ଲିଖିତ ଭାବେ ଦାବି ଜଣାଇଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ ଏପରି କରାଗଲେ ଭକ୍ତମାନଙ୍କୁ ଠାକୁରଙ୍କ ବିନା ଦର୍ଶନରେ ଫେରିବାକୁ ପଡନ୍ତା ନାହିଁ। ସେହିପରି ଗାଁ ଗହଳିରୁ ମହାପ୍ରସାଦ ନେବା ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ମହାପ୍ରସାଦ ପାଇବାର ସୂଚନା ଡିସ୍‌ପ୍ଲେ ବୋର୍ଡରୁ ପାଇପାରେନ୍ତ ବୋଲି ଶ୍ରୀସାହୁ ପତ୍ର ମାଧ୍ୟମରେ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର