‌‌ମେଣ୍ଢାଶାଳରେ ହାତୀ ଆତଙ୍କ, ଘର ଭାଙ୍ଗି ଧାନ ଖାଇଲା ଦନ୍ତା

‌ମେଣ୍ଢାଶାଳ: ମେଣ୍ଢାଶାଳ ପଞ୍ଚାୟତରେ ଗତ କିଛି ଦିନ ହେଲା ହାତୀ ଆତଙ୍କ ଦେଖାଦେଇଛି। ଏକ ବିରାଟକାୟ ଏକୁଟିଆ ଦନ୍ତା ହାତୀ ଖାଦ୍ୟ ଅନ୍ବେଷଣରେ ଏହି ଅଞ୍ଚଳରେ ଘୂରି ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀ ଭୟରେ ସଂଧ୍ୟା ହେଲେ ମେଣ୍ଢାଶାଳ ସମେତ ହୁଲ, ମାଜଣା, ମିନିସିଙ୍ଗିପାଟଣା, ଗୁପ୍ତପଡ଼ା, ଜାମୁଝରୀ, ହରିଡାମଡ଼ା, ମେଣ୍ଢାଶାଳ, କଳାଜର, ବାରାପିଠା, ଗିରିଙ୍ଗାପୁଟ, କଣ୍ଟାବାଡ଼, ଭଗବତୀପୁର ଓ ଚନ୍ଦକା ଆଦି ଗ୍ରାମ ଓ ଆଖପାଖ ଅଞ୍ଚଳବାସୀଙ୍କ ତାଟି କବାଟ ପଡ଼ି ଯାଉଛି। ଗତକାଲି ବିଳମ୍ବିତ ରାତିରେ ଏହି ଦନ୍ତାଟି ପଖି ପ୍ରଧାନଙ୍କ ପାଚେରି ଭାଙ୍ଗି ଘରେ ପଶିଥିଲା। ଘରେ ଥିବା ଧାନ ବସ୍ତା ଟାଣି ଆଣି ଖାଇବା ସହ ନଷ୍ଟ କରି ଦେଇଥିଲା। ସେହିପରି ଦନ୍ତାଟି ଗୁପ୍ତପଡ଼ା ଗ୍ରାମର ଅକ୍ଷୟ ପ୍ରଧାନଙ୍କ ଘର ମଧ୍ୟ ଭାଙ୍ଗି ଦେଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଖରାଦିନିଆ ଧାନଚାଷକୁ ଦେଖି ଏହି ହାତୀଟି ଏବେ ଅଞ୍ଚଳ ଛାଡ଼ି ଯିବାକୁ ନାରାଜ। ଦିନ ସାରା ଜଙ୍ଗଲରେ ଲୁଚି ରହୁଥିବା ବେଳ ସଂଧ୍ୟାରେ ହାତୀଟି ଜନବସତି ଆଡ଼କୁ ମାଡ଼ି ଆସୁଛି। ତେଣୁ ହାତୀଟିକୁ ଅଞ୍ଚଳରୁ ଘଉଡ଼ାଇ ଦେବା ପାଇଁ ବନ ବିଭାଗକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର