ମାୟା ଲଗେଇ ଚାଲିଗଲା ‘କମଳା’ : ଗାତରୁ ବଞ୍ଚିଥିଲା, ଭାଇରସ୍‌ ନେଇଗଲା

ଭୁବନେଶ୍ବର, (‌କେଶବ ପାଣି): ଦିନେ କି ମାସେ ନୁହେଁ। କମଳାର କାହାଣୀ ଦୀର୍ଘ ୬ବର୍ଷର। ଦିନେ କୋରାପୁଟ ନାରାୟଣପାଟଣା ଜଙ୍ଗଲରେ ଏକ ଗାତରେ ଗଳି ପଡ଼ିଥାଏ କୁନି ହାତୀଟିଏ। ଖବର ପାଇ ଜଙ୍ଗଲ ବିଭାଗର କର୍ମଚାରୀମାନେ ତାକୁ ଉଦ୍ଧାର କଲେ। ମାତ୍ର ସେତେବେଳକୁ ତା’ କଅଁଳ ଦେହରେ ୨୫ରୁ ଅଧିକ କ୍ଷତ ଚିହ୍ନ। ଆଖି ଫାଟି ଯାଇଥାଏ, ମୁହଁ ଆଞ୍ଚୁଡ଼ି ହୋଇ ରକ୍ତ ଝରୁଥାଏ। ସମ୍ଭବତଃ ସେ ମରିଯିବ ବୋଲି ସମ‌ସ୍ତେ ‌ଧରି ନେଇଥିଲେ। ତଥାପି ତାକୁ କୋରାପୁଟରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଅଧୀନ ପ୍ରାଣୀ ଚିକିତ୍ସାଳୟ ମହାବିଦ୍ୟାଳୟକୁ ଅଣାଗଲା। ଡାକ୍ତରୀ ଦଳର ଆନ୍ତରିକ ପ୍ରଚେଷ୍ଟା ତାକୁ ନୂଆ ଜୀବନ ଦେଲା। ସୁସ୍ଥ ହେବା ପରେ ସେ ପାଲଟି ଯାଇଥିଲା ନନ୍ଦନକାନନର ସଦସ୍ୟା। ମାତ୍ର ଜୀବନ-ମରଣର ଦୋଛକି ଭିତରେ ଶେଷରେ ହାର୍‌ ମାନିଲା କମଳା। ସେଦିନ ‌ସିନା ମୃତ୍ୟୁମୁଖରୁ ବଞ୍ଚି ଯାଇଥିଲା, ଏଥର ଭାଇରସ୍‌ କିନ୍ତୁ ତାକୁ ଜୀବନଯୁଦ୍ଧରେ ହରାଇଦେଲା। ୬ବର୍ଷର ମଧୁର ସ୍ମୃତିକୁ ନେଇ ସବୁ ଦିନ ପାଇଁ ଚାଲି ଯାଇଛି କମଳା।

୨୦୧୩ ଅଗଷ୍ଟ ୧୩ର ଘଟଣା। କୋରାପୁଟରୁ ଓୟୁଏଟି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆସିବା ପରେ ସପ୍ତାହେ ପର୍ଯ୍ୟନ୍ତ କମଳା ଜୀବନ ପ୍ରତି ବିପଦ ଥିଲା। ସେତେବେଳକୁ ତା’ ଓଜନ ଥିଲା ୭୪ କେଜି। ଚଲାବୁଲା ତ ଦୂରର କଥା, ଅଙ୍ଗପ୍ରତ୍ୟଙ୍ଗ ବି ଅଚଳ ହୋଇଯାଇଥିଲା। ନିସ୍ତେଜ ହୋଇ ୧୫ଦିନ ଚଟାଣରେ ପଡ଼ି ରହିଲା। ତା’ର ଖାଇବା, ପିଇବା ଓ ବଞ୍ଚିବା ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଥିଲା। କଣ’ ଖୁଆଇବେ, କେମିତି ସୁସ୍ଥ କରିବେ, ସେନେଇ ଚିନ୍ତାରେ ପଡ଼ିଥିଲେ ଡାକ୍ତରୀ ଦଳ। ଏଣେ କ୍ଷତ ସ୍ଥାନ ଶୁଖୁନଥିବାରୁ ଡାକ୍ତରମାନଙ୍କ ଚିନ୍ତା ବଢ଼ି ଚାଲିଥାଏ। ସେପ୍ଟେମ୍ବର ପ୍ରଥମ ସପ୍ତାହ ବେଳକୁ ସ୍ବାସ୍ଥ୍ୟାବସ୍ଥା ସୁଧୁରିବା ଆରମ୍ଭ ହେଲା। ବୋତଲରେ ତାକୁ ଲାକ୍ଟୋଜେନ୍‌ ଦିଆଗଲା। ପରେ ସେଓ ଓ ନଡ଼ିଆ ଜୁସ୍‌ ପିଇବା ଆରମ୍ଭ କଲା। ଶହେ ଦିନ ଧରି ଡାକ୍ତରଙ୍କ କଠିନ ପରିଶ୍ରମର ଫଳସ୍ବରୂପ ସେ ଚାଲିବା ଆରମ୍ଭ କଲା। ଡାହାଣ ଗୋଡ଼ ଭାଙ୍ଗି ଯାଇଥିବାରୁ ଛୋଟେଇ ଚାଲିଲା। ଏହା ଭିତରେ ଚିକିତ୍ସା କରୁଥିବା ଡାକ୍ତର ଓ ସେବା କରୁଥିବା କର୍ମଚାରୀ ପାଲଟି ଯାଇଥିଲେ ତା’ର ଅତି ନିଜର। ସେଇ ଘନିଷ୍ଠତାରୁ ହିଁ ତା ନାଁ ଦିଆଯାଇଥିଲା କମଳା।

ତିନି ମାସ ଚିକିତ୍ସା ହୋଇ ସୁସ୍ଥ ହେବା ପରେ କମଳା କେଉଁଠି ରହିବ, ସେନେଇ ୨୦୧୩ ନଭେମ୍ବରରେ ଆଲୋଚନା ଚାଲିଲା। ଶେଷ‌‌‌ରେ ସ୍ଥିର ହେଲା, ସେ ନନ୍ଦନକାନନ ଯିବ। ନିଷ୍ପତ୍ତି ଅନୁଯାୟୀ ନଭେମ୍ବର ୨୨‌ରେ ତାକୁ ନନ୍ଦନକାନନ ପଠାଗଲା। ଏଥିପାଇଁ ଏକ ସ୍ବତନ୍ତ୍ର ଭ୍ୟାନ୍‌ର ବ୍ୟବସ୍ଥା ହେଲା। ମାତ୍ର ସେଦିନ କମଳା ଗାଡ଼ିରେ ଚଢ଼ିବା ସମୟରେ ସେଇ ଅନାବିଳ ଦୃଶ୍ୟ ସେଠାକାର ଦେଖଣାହାରୀଙ୍କୁ ଚକିତ କରିଦେଇଥିଲା। କମଳାକୁ ଚିକିତ୍ସା ଦେଇ ଆସିଥିବା ଡାକ୍ତରଙ୍କ ସମେତ କର୍ମଚାରୀମାନେ ତାକୁ କୁଣ୍ଢାଇ ପକାଇ ଗେଲ କରିଥିଲେ।

ନନ୍ଦନକାନନରେ ପହଞ୍ଚିବା ପରେ ସେଠାରେ ତାକୁ ଲାକ୍ଟୋଜେନ ପାଣି ପିଇବାକୁ ଦିଆଯାଇଥିଲା। ସେତେବେଳକୁ ତା’ ଓଜନ ୧୨୭ କେଜିରେ ପହଞ୍ଚି ସାରିଥାଏ। ଦିନକୁ ୧୬ ବୋତଲ ଲାକ୍ଟୋଜିନ୍‌ ପିଉଥାଏ। ନନ୍ଦନକାନନରେ ହାତୀଶାଳାରେ କମଳା ପାଇଁ ସ୍ବତନ୍ତ୍ର ଘରଟିଏ ଗଢ଼ାଗଲା। ସେଠାରେ କିଛି ଦିନ ଧରି ଚିକିତ୍ସା ଚାଲିବା ପରେ କମଳା ପୂରା ସୁସ୍ଥ ହୋଇଯାଇଥିଲା। ମଣିଷମାନଙ୍କ ମେଳରେ ବଢ଼ି ଥିବାରୁ ଓୟୁଏଟିରୁ ଯାଇ ନନ୍ଦନକାନରେ ବି ମାୟା ଲଗାଇ ଦେଇଥିଲା କମଳା। ଖୁବ୍‌ କମ୍‌ ଦିନରେ ମାହୁନ୍ତ ଓ କର୍ମଚାରୀଙ୍କୁ ସେ ନିଜର କରିଦେଲା। କିନ୍ତୁ ବିଧାତା ବୋଧ ହୁଏ ତା’ ଆୟୁଷ ବେଶି ଦିନ ଲେଖିନଥିଲା।

ସମ୍ବନ୍ଧିତ ଖବର