ରାଜ୍ୟ ସଂଗ୍ରହାଳୟରେ ଖୋଲିବ ହାତୀଦାନ୍ତ ଗ୍ୟାଲେରି

ଭୁବନେଶ୍ୱର : ଗୋଟିଏ କୋଠରିରେ ଝଟକିବ ହାତୀ ଦାନ୍ତରେ ନିର୍ମିତ କଳା ଚାତୁରି। ରାଜ୍ୟ ସଂଗ୍ରହାଳୟରେ ଶୋଭା ପାଇବ ଖୋଲିବ ହାତୀଦାନ୍ତର ସ୍ୱତନ୍ତ୍ର ଗ୍ୟାଲେରି। ହଳଦିଆ ରାଜବାଟିର ହାତୀଦାନ୍ତ ନିର୍ମିତ ଖଟ ହେଉ କି ହାତୀଦାନ୍ତରେ ନିର୍ମିତ ହୋଇଥିବା ମଧୁ ବାରିଷ୍ଟରଙ୍କ ଖଟ। ୪୦ରୁ ଊର୍ଧ୍ୱ ହାତୀଦାନ୍ତ କଳା ଚାତୁରିକୁ ନେଇ ଆସନ୍ତା ୨୯ ତାରିଖ ରାଜ୍ୟ ସଂଗ୍ରହାଳୟର ପ୍ରତିଷ୍ଠା ଦିବସରେ ଖୋଲିବ ହାତୀଦାନ୍ତ ଗ୍ୟାଲେରି।

୨୦୧୪ରେ ଜୟପୁର ରାଜପ୍ରାସାଦରୁ ଆସିଥିବା ୨ଟି ଅତି ମୂଲ୍ୟବାନ ହାତୀଦାନ୍ତ ମଧ୍ୟ ଏହି ଗ୍ୟାଲେରିରେ ପ୍ରଦର୍ଶିତ ହେବ। ଗୋଟିଏ ହାତୀ ଦାନ୍ତରେ ରାମଲୀଳା ଓ କୃଷ୍ଣଲୀଳାର ବର୍ଣ୍ଣନା ରହିଥିବା ବେଳେ ଅନ୍ୟଟିରେ ବାମନ, ମତ୍ସ୍ୟ, ନୃସିଂହ, କୃମ ଓ ବରାହ ଅବତାରର ବର୍ଣ୍ଣନା ରହିଛି। ସେହିପରି ମଧୁବାବୁ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ଦେଇ ଦେଇଥିବା ମୂଲ୍ୟବାନ ଜିନିଷ ମଧ୍ୟରୁ ମଧୁବାବୁଙ୍କ ହାତୀଦାନ୍ତ ଖଚିତ ଖଟ ମଧ୍ୟ ଆକର୍ଷଣ ସାଜିବ। ୧୯୬୪ରେ ଶୈଳବାଳା ମହାବିଦ୍ୟାଳୟର ତତ୍କାଳୀନ ଅଧ୍ୟକ୍ଷା ପ୍ରେମଶୀଳା ଦେବୀ ଏହାକୁ ରାଜ୍ୟ ସଂଗ୍ରହାଳୟକୁ ଦାନ କରିଥିବା ବେଳେ ଏହା ହାତୀଦାନ୍ତ ଗ୍ୟାଲେରିରେ ଏହା ଶୋଭା ପାଇବ।

ଏଥିସହିତ ରାଜା ଓ ଜମିଦାରମାନେ ବ୍ୟବହାର କରୁଥିବା ହାତୀଦାନ୍ତର ବଙ୍କୁଲିବାଡ଼ି, କଉଡ଼ି ବାକ୍ସ, ହାତୀଦାନ୍ତରେ ନିର୍ମିତ କଳାକୃତି ଶଗଡ଼, ସରସ୍ୱତୀ, ଛୁରି, ବାନି, ଯୌତୁକ ପେଡ଼ି ମଧ୍ୟ ଗ୍ୟାଲେରିରେ ଦେଖିବାକୁ ମଳିବ ବୋଲି ସଂଗ୍ରହାଳୟର ଅଧୀକ୍ଷକ ଜୟନ୍ତୀ ରଥ କହିଛନ୍ତି। ଏଥିସହିତ ୨ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ସଂଗ୍ରହାଳୟ ଦିବସ ପରିପ୍ରେକ୍ଷୀରେ ଚିତ୍ର, ପଟ୍ଟଚିତ୍ର, ପୋଥିଚିତ୍ରର ପ୍ରଦର୍ଶନୀ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର