କାଜୁଆଲ୍‌ଟି ନୁହେଁ, ଏମର୍ଜେନ୍‌ସି ମେଡିସିନ୍‌କୁ ଗୁରୁତ୍ବ ଦିଆଯାଉ-ଡା. ନରେନ୍ଦ୍ରନାଥ ଜେନା

ଏମର୍ଜେନ୍‌ସି ମେଡିସିନ୍‌ ହେଉଛି ସମୟର ଆବଶ୍ୟକତା ବା ନିଡ୍‌ ଅଫ୍ ଦି ଆୱାର। ପୁରୁଣାକାଳିଆ ଢଙ୍ଗରେ ଚାଲି ଆସୁଥିବା କାଜୁଆଲ୍‌ଟିକୁ ଏବେ ଏମର୍ଜେନ୍‌ସି ମେଡିସିନ୍‌ ବିଭାଗରେ ପରିଣତ କରିବା ଜରୁରୀ ହୋଇପଡ଼ିଛି। ଦେଶର ଅନେକ ବଡ଼ ବଡ଼ ଡାକ୍ତରଖାନାରେ ଏବେ କାଜୁଆଲ୍‌ଟିକୁ ବାଦ୍ ଦେ‌ଇ ଏମର୍ଜେନ୍‌ସି ମେଡିସିନ୍ ବିଭାଗ ଖୋଲିଛନ୍ତି। କେବଳ ଏମର୍ଜେନ୍‌ସି ମେଡିସିନ୍ ବିଭାଗ ଖୋଲିଦେଲେ ହେବ ନାହିଁ, ଏହାପାଇଁ ଆବଶ୍ୟକ ସ୍ବତନ୍ତ୍ର ଭାବେ ତାଲିମପ୍ରାପ୍ତ ଡାକ୍ତର ଓ ପାରାମେଡିକ୍ କର୍ମଚାରୀ ନିଯୁକ୍ତ କରିବା ଉପରେ ମଧ୍ୟ ଗୁରୁତ୍ବ ଦିଆଯିବା ଜରୁରୀ। ମଦୁରାଇସ୍ଥିତ ମିନାକ୍ଷୀ ମିସନ୍ ହସ୍ପିଟାଲ ଏଣ୍ଡ ରିସର୍ଚ ସେଣ୍ଟର ଏ କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏହାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଏମର୍ଜେନ୍‌ସି ମେଡିସିନ୍‌ର ନିର୍ଦେଶକ ତଥା ମୁଖ୍ୟ ଅଛନ୍ତି ଓଡ଼ିଆ ଡାକ୍ତର ନରେନ୍ଦ୍ରନାଥ ଜେନା। ଏମେର୍ଜନ୍‌ସି ଫିଜିସିଆନ୍ ଅଫ ଇଣ୍ଡିଆ ବା ଇପିଆଇର ସଭାପତି ଓ ଆଇଏମ୍‌ଏସିଜିପିର ଅନରାରି ଜାତୀୟ ପ୍ରଫେସର ଥିବା ଡା. ଜେନା ସିଏମ୍‌ସି ଭେଲୋରରୁ ଏମର୍ଜେନ୍‌ସି ମେଡିସିନ୍‌ରେ ପିଜି କରିଛନ୍ତି। ଗତ ୧୮ବର୍ଷ ଧରି ଏମର୍ଜେନ୍‌ସି ମେଡିସିନ୍‌ରେ କାର୍ଯ୍ୟ କରୁଥିବା ଡା. ନରେନ୍ଦ୍ର ୧୨ବର୍ଷ ଧରି ମୀନାକ୍ଷି ମିସନ୍ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି। ନିକଟରେ ଭୁବନେଶ୍ବର ଆସିଥିବା ସମୟରେ ‘ସମ୍ବାଦ’ ସହିତ ଏମର୍ଜେନ୍‌ସି ମେଡିସିନ୍ ନେଇ ଡା. ଜେନା ସ୍ବତନ୍ତ୍ର ଭାବେ ଆଲୋଚନା କରିଛନ୍ତି।

।ଗୋଲଡେନ୍ ଆୱାର କ’ଣ?
।ଭାରତରେ ପ୍ରତି ୪ମିନିଟ୍‌ରେ ଜଣେ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। କୌଣସି ଘଟଣା/ଦୁର୍ଘଟଣା ଘଟିବାର ପ୍ରଥମ ୧ ଘଣ୍ଟାକୁ ଗୋଲଡେନ୍ ଆୱାର ବା ଗୁରୁତ୍ବପୂର୍ଣ୍ଣ ସମୟ ବୋଲି ବିବେଚନା କରାଯାଏ। ମାତ୍ର ଅନେକ ସମୟରେ ଆମେ ଏହାକୁ ଗୁରୁତ୍ବ ଦେଇନଥାଉ। ଗୋଲଡେନ୍ ଆୱାର ଟ୍ରମା ସହିତ ଅଧିକ ଜଡ଼ିତ। ଯଦି ଦୁର୍ଘଟଣା ହେଉଛି, ତାହାକୁ ଠିକ୍‌ ସମୟରେ ଚିକିତ୍ସା କରିବାର ଆବଶ୍ୟକତା ରହିଛି। ଟ୍ରମା ମେଡିସିନ୍‌କୁ ବିକାଶ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ତାଲିମ୍ ଦେଇ ଜୀବନ ବଞ୍ଚାଇବା ଉପରେ ଗୁରୁତ୍ବ ଦେବାକୁ ହେବ।
।କେଉଁ ଘଟଣା/ଦୁର୍ଘଟଣା ‌ଗୋଲଡେନ୍ ଆୱାରରେ ଅନ୍ତର୍ଭୁକ୍ତ?
।ସଡ଼କ ଦୁର୍ଘଟଣା, ଉଚ୍ଚସ୍ଥାନରୁ ଖସି ପଡ଼ିବା, ଗଣ୍ଡଗୋଳ ସମୟରେ ମାଡ଼, ଛୁରି ମାରିଦେବା ଭଳି ଘଟଣା ଟ୍ରମା ଇଞ୍ଜ୍ୟୁରିର ଅନ୍ତର୍ଭୁକ୍ତ। ଟ୍ରମା ହେଲେ ୨ବିକୁ ଗୁରୁତ୍ବ ଦିଆଯାଇଥାଏ। ଗୋଟିଏ ବି ହେଉଛି ବ୍ଲିଡିଂ ଓ ଅନ୍ୟଟି ହେଉଛି ବ୍ରିଦିଂ ବା ନିଃଶ୍ବାସ-ପ୍ରଶ୍ବାସ। ମଣିଷ ଶରୀରରେ ୬/୭ଲିଟର ରକ୍ତ ରହିଥାଏ। ତେଣୁ ରକ୍ତ ବୋହିବାକୁ କିଭଳି ତୁରନ୍ତ ରୋକି ହେବ, ତାହା ଉପରେ ଗୁରୁତ୍ବ ଦେବା ଦରକାର। ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ କ୍ଷତକୁ ଗାମୁଛା, ଓଢ଼ଣୀ କିମ୍ବା ରୁମାଲରେ ତୁରନ୍ତ ବାନ୍ଧି ଦେବା ଆବଶ୍ୟକ। ପରେ ୧୦୮ ଆମ୍ବୁଲାନ୍‌ସର ପାରାମେଡିକ୍କ ର୍ମଚାରୀଙ୍କ ଜରିଆରେ କ୍ଷତର ବ୍ୟାଣ୍ଡେଜ୍ କରାଯାଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିହେବ। ପ୍ରତି ସରକାରୀ ଡାକ୍ତରଖାନାରେ ଏମର୍ଜେନ୍‌ସି ମେଡିସିନ୍ ରହିବା ଦରକାର। ସରକାରୀ ଡାକ୍ତରଖାନାରେ ଏହା କାଜୁଆଲ୍‌ଟି ଭାବେ କାର୍ଯ୍ୟ କରୁଛି। ପାଶ୍ଚାତ୍ୟ ଦେଶରେ ସ୍ବତନ୍ତ୍ର ଭାବେ ତାଲିମ୍‌ପ୍ରାପ୍ତ କର୍ମଚାରୀ ରହିଛନ୍ତି। ସେହିଭଳି ତାଲିମ୍ ସରକାରୀ ଡାକ୍ତରଖାନାରେ ଆବଶ୍ୟକ।
।ଏମର୍ଜେନ୍‌ସି ମେଡିସିନ୍ କ’ଣ? ଏହା କେତେ ଜରୁରୀ?
।ଏହା ହେଉଛି ହସ୍ପିଟାଲର ଦ୍ବାର। ଯେକୌଣସି ଡାକ୍ତରୀ ବିଭାଗ ବା ରୋଗର ଜରୁରୀକାଳୀନ ବ୍ୟବସ୍ଥା ଏହାର ଅନ୍ତର୍ଭୁକ୍ତ। ଆଜ୍‌ମା, ହୃଦ୍‌, ଫୁସଫୁସ୍, ସର୍ଜିକାଲ, ଶିଶୁରୋଗ, ନିଓନାଟାଲ ଭଳି ରୋଗ ପାଇଁ ଏମର୍ଜେନ୍‌ସି ମେଡିସିନ୍ ଅତ୍ୟନ୍ତ ଜରୁରୀ। ୨୦୦୯ ମସିହାରେ ମେଡିକାଲ କାଉନ୍‌ସିଲ ଅଫ୍ ଇଣ୍ଡିଆ ବା ଏମ୍‌ସିଆଇ ପକ୍ଷରୁ ୩ ବର୍ଷିଆ ଏମ୍‌ଡି ଏମର୍ଜେନ୍‌ସି ମେଡିସିନ୍ ପାଠ୍ୟକ୍ରମ ଆରମ୍ଭ ହୋଇଛି। ଓଡ଼ିଶାରେ ଏହି ପାଠ୍ୟକ୍ରମ ନାହିଁ। ଆମେରିକାର ଜର୍ଜ ୱାସିଂଟନ୍ ବିଶ୍ବବିଦ୍ୟାଳୟର ୩ବର୍ଷର ଏମ୍‌ଇଏମ୍‌ ଏମର୍ଜେନ୍‌ସି ମେଡିସିନ୍ କାର୍ଯ୍ୟକ୍ରମ ପ୍ରଦାନ କରୁଛନ୍ତି। ଏମର୍ଜେନ୍‌ସି ମେଡିସିନ୍‌ରେ ସ୍ବତନ୍ତ୍ର ଭାବେ ୩ବର୍ଷ ତାଲିମ୍ ଦିଆଯାଉଛି। ଡିଏନ୍‌ବି ବା ଡିପ୍ଲୋମା ଆଟ୍ ନେସନାଲ ବୋର୍ଡ ପକ୍ଷରୁ ମଧ୍ୟ ଏମର୍ଜେନ୍‌ସି ମେଡିସିନ୍‌ ବିଭାଗରେ ୩ବର୍ଷର ପିଜି କାର୍ଯ୍ୟକ୍ରମ ଚାଲୁଛି। ଓଡ଼ିଶାରେ ଏଭଳି ପାଠ୍ୟକ୍ରମର ବିକଶିତ ହେବା ଦରକାର। ଫଳରେ କାଜୁଆଲ୍‌ଟିରେ ଚିକିତ୍ସା କରୁଥିବା ଏମ୍‌ବିବିଏସ୍‌ ଡାକ୍ତରମାନେ ଅଧିକ ତାଲିମ୍ ପାଇପାରିବେ। ଯେଉଁ ଡାକ୍ତରମାନେ ଏମର୍ଜେନ୍‌ସି ମେଡିସିନ୍‌ରେ ସ୍ବତନ୍ତ୍ର ଭାବେ ତାଲିମ୍ ନେଇଥି‌ବେ, ସେମାନେ କାଜୁଆଲ୍‌ଟିକୁ ଆସୁଥିବା ରୋଗୀଙ୍କୁ କେଉଁ ଚିକିତ୍ସା ଦରକାର, ତାହା ଜାଣିପାରିବେ। କାଜୁଆଲ୍‌ଟିର ଏହାର ସୁପର ସ୍ପେସାଲିଷ୍ଟ ଚିକିତ୍ସା।
।କାଜୁଆଲ୍‌ଟିଠାରୁ ଏହା କିଭଳି ଭିନ୍ନ?
।କାଜୁଆଲ୍‌ଟିରେ ଅନେକ ସମୟରେ ଜୁନିୟର ଡାକ୍ତର ରହୁଛନ୍ତି। ଯେଉଁ କ୍ଷେତ୍ରର ରୋଗୀ କାଜୁଆଲ୍‌ଟିକୁ ଆସୁଛନ୍ତି ତୁରନ୍ତ ସେ ବିଭାଗର ଡାକ୍ତରଙ୍କୁ ଏହା ଜଣାଇ ଦିଆଯାଉଛି। କାଜୁଆଲ୍‌ଟି ରହିବା ମଧ୍ୟ ଜରୁରୀ। ତୁରନ୍ତ ଡାଏଗ୍ନୋସିସ୍ ହୋଇପାରିଲେ ଚିକିତ୍ସା ମଧ୍ୟ ଜଲ୍‌ଦି ହୋଇପାରିବ। ତେଣୁ ତୁରନ୍ତ ଡାଏଗ୍ନୋସିସ୍ ପାଇଁ ସ୍ବତନ୍ତ୍ର ଭାବେ ପାଠ୍ୟକ୍ରମ ରହିଛି। ଏହି ବିଭାଗରେ ଯେଉଁମାନଙ୍କର ଅଭିଜ୍ଞତା ରହିଥିବ ସେମାନଙ୍କୁ ଏମର୍ଜେନ୍‌ସି ମେଡିସିନ୍‌ରେ ନିଯୁକ୍ତ କରିବା ଜରୁରୀ। ବଡ଼ବଡ଼ ଡାକ୍ତରଖାନାରେ ଆଉ କାଜୁଆଲ୍‌ଟି ନାହିଁ। ଏସବୁ ଡାକ୍ତରଖାନାରେ ଏମ‌‌‌େର୍ଜନ୍‌ସି ମେଡିସିନ୍ ବିଭାଗ କାର୍ଯ୍ୟ କରୁଛି।
।ଅଂଶୁଘାତ ଓ ହୃଦ୍‌ଘାତ କ୍ଷେତ୍ରରେ ଏମର୍ଜେନ୍‌ସି ମେଡିସିନ୍‌ର ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ?
।ଅଂଶୁଘାତ ଏକ ମେଡିକାଲ ଏମର୍ଜେନ୍‌ସି। ଏହାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରଖାନାକୁ ଆଣିବା ଉଚିତ୍। ଆମେ ସାଧାରଣତଃ ସନ୍‌ଷ୍ଟ୍ରୋକ୍ ବା ବ୍ରେନ୍‌ଷ୍ଟ୍ରୋକ୍ କହିଥାଉ। ମାତ୍ର ହାର୍ଟ ବା ହୃଦ୍‌ କ୍ଷେତ୍ରରେ ଏହାକୁ ହାର୍ଟଆଟାକ୍ କୁହାଯାଇଥାଏ। ହଠାତ୍ ହାର୍ଟ ବନ୍ଦ ହେବାକୁ କାର୍ଡିଆକ୍ ଆରେଷ୍ଟ କୁହାଯାଏ। ଯେ କେହି ବ୍ୟକ୍ତି ଏହାର ଶିକାର ହୋଇପାରନ୍ତି। ହାର୍ଟଆଟାକ୍‌ ହେଲେ କାର୍ଡିଆକ୍ ଆରେଷ୍ଟ ହେବାର ଅଧିକ ଆଶଙ୍କା ରହିଛି। ହାର୍ଟଆଟାକ୍ ହେଲେ ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ମାତ୍ର ଏହାକୁ ଲୋକମାନେ ଗ୍ୟାଷ୍ଟ୍ରିକ୍ ହୋଇଛି ବୋଲି ଭାବି ଇସିଜି କରିନଥାନ୍ତି। କାର୍ଡିଆକ୍ ଆରେଷ୍ଟ ହେଲେ ୩-୫ ମିନିଟ୍‌ ମଧ୍ୟରେ ଡାକ୍ତରଖାନା ନ ନେଲେ ଆକ୍ରାନ୍ତଙ୍କୁ ବଞ୍ଚାଇବା କଷ୍ଟକର। ସିପିଆର ବା କାର୍ଡିଓପଲମୋନାରି ରେସୋସିଷ୍ଟେସନ୍ କରିପାରିଲେ ୭୦ପ୍ରତିଶତ ଲୋକଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିବ। ଏଥିରେ ଛାତି ଉପରେ କମ୍ପ୍ରେସନ୍ ସହିତ ଭେଣ୍ଟିଲେସନ୍ କରାଯାଇଥାଏ। ଏହାସହ ଏଇଡି ବା ଅଟୋମେଟେଡ୍ ଏକ୍ସଟରନାଲ ଡିଫ୍ରିବିଲେଟର ମେସିନ୍ ସହାୟତାରେ କାର୍ଡିଆକ୍ ଆରେଷ୍ଟ ହୋଇଥିବା ୧୦ଜଣଙ୍କ ମଧ୍ୟରୁ ୭ଜଣଙ୍କୁ ବଞ୍ଚାଇ ହେବ। ଏହା କରିବା ପାଇଁ କାର୍ଡିଓଲୋଜିଷ୍ଟ ମଧ୍ୟ ଜରୁରୀ ନୁହେଁ। ତାଲିମ୍ ପାଇଥିବା ଯେ କୌଣସି ବ୍ୟକ୍ତି ଏହାକୁ କରିପାରିବେ।
।ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ତାଲିମ୍ ଜରୁରୀ କି? ଏ କ୍ଷେତ୍ରରେ ମୀନାକ୍ଷି ମିସନ୍ ହସ୍ପିଟାଲ କ’ଣ ଭୂମିକା ରହିବ?
।ମୀନାକ୍ଷି ମିସନ୍ ହସ୍ପିଟାଲ ଏହା ଉପରେ ସ୍ବତନ୍ତ୍ର ଭାବେ ତାଲିମ୍ ଦେଉଛି। ଦକ୍ଷିଣ ତାମିଲନାଡ଼ୁର ୫୦ହଜାର ଛାତ୍ରଛାତ୍ରୀଙ୍କୁ ତାଲିମ୍ ଦିଆଯାଉଛି। ସିଆଇଏସ୍‌ଏଫ୍, ଆଇଟିବିପି, ରେଡକ୍ରସ୍, ଆୟକର ବିଭାଗ ଓ ତାମିଲନାଡ଼ୁ ପୁଲିସକୁ ସେ ନିଜେ ଓ ହସ୍ପିଟାଲର ଛାତ୍ରମାନେ ଏହି ତାଲିମ୍ ଦେଉଛନ୍ତି। ଓଡ଼ିଶାରେ ଯଦି ଏଭଳି ତାଲିମ୍ ପାଇଁ ସୁଯୋଗ ମିଳିବ, ହସ୍ପିଟାଲ ପକ୍ଷରୁ ଏହି ତାଲିମ୍ ଦିଆଯିବ। ମେଡିକାଲ କଲେଜରେ ଏସବୁ ସଂପର୍କରେ ତାଲିମ୍ ଦିଆଯାଉନାହିଁ। ସରକାରୀ/ବେସରକାରୀ ଡାକ୍ତରଖାନାରେ ଉନ୍ନତମାନର ତାଲିମ୍ ଦିଆଯାଇ କାଜୁଆଲ୍‌ଟିରେ ଥିବା ଡାକ୍ତର, ପାରାମେଡିକ୍ କର୍ମଚାରୀଙ୍କୁ ଏମର୍ଜେନ୍‌ସି ମେଡିସିନ୍‌ରେ ରଖାଯାଉ।
।ଏକ ଆଦର୍ଶ ଟ୍ରମା କେୟାର ସେଣ୍ଟର କାହାକୁ କୁହାଯିବ?
।ଟ୍ରମା ସେଣ୍ଟର ଜାତୀୟ ରାଜପଥ କିମ୍ବା ତୁରନ୍ତ ରୋଗୀଙ୍କୁ ଯେଉଁ ସ୍ଥାନରୁ ଡାକ୍ତରଖାନାକୁ ପହଞ୍ଚାଇ ହେବ, ସେଠାରେ ଖୋଲିବା ଉଚିତ୍। ଏହି କେନ୍ଦ୍ରରେ ନିଯୁକ୍ତ କର୍ମଚାରୀ ସ୍ବତନ୍ତ୍ର ଭାବେ ତାଲିମ୍ ନେଇଥିବା ଆବଶ୍ୟକ। ଭିତ୍ତିଭୂମି ସହିତ ତାଲିମ୍‌ପ୍ରାପ୍ତ କର୍ମଚାରୀ ନିଯୁକ୍ତ ହେଲେ ଏକ ଆଦର୍ଶ ଟ୍ରମା ସେଣ୍ଟର ହୋଇପାରିବ।
ସାକ୍ଷାତକାର: କ୍ଷିତୀଶ ରାୟ

ସମ୍ବନ୍ଧିତ ଖବର