ପଦୋନ୍ନତିରେ ପାତରଅନ୍ତର : ଏମ୍‌ଏସ୍‌ଏମଇର ୭ ଯନ୍ତ୍ରୀ ସ୍ୟାଟ୍‌ ଗଲେ

ଭୁବନେଶ୍ୱର : ପଦୋନ୍ନତିରେ ହୋଇଛି ପାତରଅନ୍ତର। ରାଜ୍ୟ ସରକାରଙ୍କ ଶିଳ୍ପ (ବର୍ତମାନ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ) ବିଭାଗରେ ଦୀର୍ଘ ୧୮ବର୍ଷ ଧରି ଆଡହକ୍‌ ଭାବେ କାର୍ଯ୍ୟ କରିବା ପରେ ୨୦୧୭ ମସିହାରେ ସ୍ଥାୟୀ ନିଯୁକ୍ତି ପାଇଥିବା ୭ଜଣ ଯନ୍ତ୍ରୀ ଆଣିଛନ୍ତି ଏହି ଅଭିଯୋଗ। ଜଳସଂପଦ ବିଭାଗରୁ ଡେପୁଟେସନରେ ଆସିଥିବା ୨୬ ଜଣ ଯନ୍ତ୍ରୀ ନିଯୁକ୍ତିି ଭିତ୍ତିରେ କନିଷ୍ଠ ହୋଇ ସୁଦ୍ଧା ସେମାନଙ୍କୁ ପଦୋନ୍ନତି ଢେର ପୂର୍ବରୁ ମିଳି ସାରିଥିବା ବେଳେ ଏହି ୭ଜଣଙ୍କୁ ପଦୋନ୍ନତି, ବକେୟା ଦରମା ପ୍ରଦାନ ଓ ଆର୍‌ଏସିପି ଆଦି ସୁବିଧା ପ୍ରଦାନରେ ପାତରଅନ୍ତର ନୀତି ଅବଲମ୍ବନ କରାଯାଇଛି। ଏହାର ପ୍ରତିବାଦରେ ଏହି ୭ଜଣ ଯନ୍ତ୍ରୀ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ(ସ୍ୟାଟ୍‌)ର ଦ୍ୱାରସ୍ଥ ହୋଇଛନ୍ତି।

ଅଭିଯୋଗ ଅନୁଯାୟୀ, ୧୯୯୧ରୁ ୧୯୯୩ ମସିହା ମଧ୍ୟରେ ଏହି ୭ଜଣ ଶିଳ୍ପ ବିଭାଗରେ ଷ୍ଟାଇପେଣ୍ଡାରି ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ୧୯୯୮ ମସିହାରେ ଜଳସମ୍ପଦ ବିଭାଗରୁ ୨୬ଜଣ ଷ୍ଟାଇପେଣ୍ଡାରି ଯନ୍ତ୍ରୀଙ୍କୁ ଡେପୁଟେସନ୍‌ରେ ଆଣି ଶିଳ୍ପ ବିଭାଗରେ ଅବସ୍ଥାପିତ କରାଗଲା। ୧୯୯୯ ମସିହାରେ ଜଳସମ୍ପଦ ବିଭାଗ ଶିଳ୍ପ ବିଭାଗରେ ଅବସ୍ଥାପିତ ସମସ୍ତ ଷ୍ଟାଇପେଣ୍ଡାରି ଯନ୍ତ୍ରୀଙ୍କ ଚାକିରିର ବୈଧକରଣ ପାଇଁ ପତ୍ରସଂଖ୍ୟା ୨୭୬୩୪/୩୧.୭.୧୯୯୯ରେ ଜଣାଇଥିଲା। ୨୦୦୩ ମସିହାରେ ଏହି ୨୬ ଷ୍ଟାଇପେଣ୍ଡାରି ଯନ୍ତ୍ରୀଙ୍କ ଚାକିରି ଜଳସମ୍ପଦ ବିଭାଗ ପକ୍ଷରୁ ବୈଧ କରାଯାଇଥିଲା। ହେଲେ ସେମାନଙ୍କ ଢେର୍‌ ପୂର୍ବରୁ ଶିଳ୍ପ ବିଭାଗରେ ଷ୍ଟାଇପେଣ୍ଡାରି ଯନ୍ତ୍ରୀ ପଦରେ ନିଯୁକ୍ତ ତଥା ୧୯୯୮ ଡିସେମ୍ବର ୩୦ ତାରିଖରେ ଆଡହକ ନିଯୁକ୍ତି ପାଇ କାର୍ଯ୍ୟରତ ୭ ଜଣ ଯନ୍ତ୍ରୀଙ୍କୁ ଏଥିରେ ଉପେକ୍ଷା କରାଗଲା। ଖାଲି ସେତିକି ନୁହେଁ, ବରିଷ୍ଠତାକୁ ଉପେକ୍ଷା କରି ଏମଏସଏମଇ ବିଭାଗ ବିଭାଗୀୟ ପଦୋନ୍ନତି କମିଟି ମାଧ୍ୟମରେ ୨୦୧୪ ମସିହାରେ ଗ୍ରାଚ୍ୟୁଇଟି ଫାଇନାଲ ନକରି କନିଷ୍ଠ ୨୬ଜଣଙ୍କୁ ପଦୋନ୍ନତି ମଧ୍ୟ ପ୍ରଦାନ କରାଗଲା। ଅନ୍ୟପକ୍ଷରେ ଦୀର୍ଘ ୧୮ ବର୍ଷ ପରେ ୨୦୧୭ ଜାନୁଆରି ୩୦ ତାରିଖରେ ଏହି ୭ ଯନ୍ତ୍ରୀଙ୍କ ଚାକିରିର ବୈଧକରଣ କରାଗଲା। ଏତେ ପରେ ବି ଏବେ ଏହି ଯନ୍ତ୍ରୀମାନଙ୍କୁ ପଦୋନ୍ନତି, ପ୍ରାପ୍ୟ ବକେୟା ଦରମା ପ୍ରଦାନ ଓ ଆର୍‌ଏସିପି ସୁବିଧା ପ୍ରଦାନରେ ପାତରଅନ୍ତର କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଏଥିସଂକ୍ରାନ୍ତ ରାୟ ବଳରେ ସେମାନଙ୍କୁ ମଧ୍ୟ ନିର୍ଧାରିତ ସମୟରେ ପଦୋନ୍ନତି ତଥା ଅନ୍ୟାନ୍ୟ ସୁବିଧାସୁଯୋଗ ପ୍ରଦାନ କରିବାକୁ ଏହି ୭ ଯନ୍ତ୍ରୀ ଟ୍ରିବ୍ୟୁନାଲଙ୍କୁ ନିବେଦନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର