ଟ୍ରେନ୍‌ରେ କଟି ଇଂଜିନିୟର ମୃତ

ଭୁବନେଶ୍ବର: ବମିଖାଲ ରେଳ ଫାଟକ ନିକଟ ରେଳ ଧାରଣାରୁ ଜଣେ ଇଂଜିନିୟରଙ୍କ ମୃତଦେହକୁ ରେଳବାଇ ଥାନା ପୁଲିସ ଜବତ କରିଛି। ତାଙ୍କ ନାଁ ତନ୍ମୟ ଦାସ(୩୧)। ଘର ଅନୁଗୁଳ ଜିଲ୍ଲା ହାକିମ୍‌ପଡ଼ା ଅଞ୍ଚଳରେ। ଏଠାରେ ଜଗନ୍ନାଥନଗରସ୍ଥିତ ହେରିଟେଜ୍‌ ପ୍ରପର୍ଟି ଆପାର୍ଟମେଣ୍ଟରେ ରହୁଥିଲେ। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ସୂଚନା ମୁତାବକ, ବର୍ଷେ ହେବ ତନ୍ମୟ ବିବାହ କରିଥିଲେ। ବିବାହ ପରେ ସେ ଦୁବାଇରୁ ଚାକିରି ଛାଡ଼ି ଭୁବନେଶ୍ବର ଚାଲି ଆସିଥିଲେ। ତେବେ ପାରିବାରିକ କଳହକୁ ନେଇ ସେ ବିବ୍ରତ ଥିଲେ। ଆଜି ଦିନ ପ୍ରାୟ ୪ଟାରେ ବାଇକ୍‌ ଧରି ଘରୁ ବାହାରି ଆସିଥିଲେ। ଅପରାହ୍‌ଣ ସାଢ଼େ ୪ଟାରେ ତାଙ୍କ ବାଇକ୍‌ ବମିଖାଲ ରେଳ ଫାଟକ ନିକଟରେ ରଖା ଯାଇଥିବା ବେଳେ ତାଙ୍କ ଶବ ରେଳ ଧାରଣାରେ ଖଣ୍ଡବିଖଣ୍ଡିତ ହୋଇ ପଡ଼ି ରହିଥିଲା। କେହି ଜଣେ ବ୍ୟକ୍ତି ରେଳ ଧାରଣାରେ କଟିଥିବା ପୁଲିସ ଖବର ପାଇଥିଲା। ରେଳବାଇ ଥାନା ପୁଲିସର ଏକ ଟିମ୍‌ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ତେବେ ତନ୍ମୟଙ୍କ ମୃତ୍ୟୁକୁ ନେଇ ପୁଲିସ ସନ୍ଦେହ କରିଛି। ଏନେଇ ପୁଲିସ ବିଭିନ୍ନ ଦିଗ ଉପରେ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର