ଦୁର୍ଘଟଣାରେ ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

ବାଲିଅନ୍ତା : ଗତ ଶୁକ୍ରବାର ରାତିରେ ଭୁବନେଶ୍ୱର-କଟକ ଜାତୀୟ ରାଜପଥର ପାହାଳ ଛକ ନିକଟରେ ଏକ କାର ଓ ବାଇକ୍‌ ମଧ୍ୟରେ ଧକ୍କା ଲାଗିଛି। ଘଟଣାସ୍ଥଳରେ ସ୍ଥାନୀୟ ଅନନ୍ତପୁରସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜ୍‌ର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳ ତାଙ୍କ ସହିତ ଥିବା ଅନ୍ୟ ଜଣେ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି। ପାହାଳ ଫାଣ୍ଡି ପୁଲିସ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି କଟକ ବଡ଼ ମେଡିକାଲ୍‌ରେ ଭର୍ତି କରିଥିଲା। ହେଲେ ଡାକ୍ତର ସେଠାରେ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି। ପାହାଳଫାଣ୍ଡିର ଜଣେ କର୍ମଚାରୀଙ୍କ କହିବାନୁଯାୟୀ ଉଭୟ ଛାତ୍ର ଶେଷ ବର୍ଷର ଇଜିଂନିୟରିଂ ଛାତ୍ର। ମୃତ ଛାତ୍ରଙ୍କ ଘର ବିହାର। ସେ ଗତକାଲି କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦିଲ୍ଲୀ ଯାଉଥିଲେ। ଉଭୟ ବାଇକ୍‌ରେ ଭୁବନେଶ୍ୱର ବିମାନବନ୍ଦର ଅଭିମୁଖେ ବାହାରିଥିଲେ। କଲେଜରୁ ବାଇକ୍‌ ନେଇ ଜାତୀୟ ରାଜପଥରେ ଯିବା ବେଳେ ପାହାଳ ଛକ ନିକଟରେ ଏକ କାର ସହ ଧକ୍କା ହୋଇଥିଲା। ସେମାନଙ୍କ ନାଁ ଓ ପ୍ରକୃତ ଠିକଣା ଜଣାପଡ଼ିନି। ଅନ୍ୟପକ୍ଷରେ ଖବର ପାଇ ମୃତ ଛାତ୍ରଙ୍କ ପରିବାର ଲୋକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲରେ ପହଞ୍ଚିଥିବା ଫାଣ୍ଡି ପୁଲିସ କହିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଦୁଇଟିକୁ ଜବତ କରିଛି ।

ସମ୍ବନ୍ଧିତ ଖବର