ଆହତ ଗୋରୁଙ୍କ ସେବାରେ ଇଞ୍ଜିନୟରିଂ ଛାତ୍ରଗୋଷ୍ଠୀ

୪ ବର୍ଷ ହେଲା ରାଜଧାନୀରେ ଗଢ଼ିଛନ୍ତି ‘ଗୋ କୃପା ସେବା ସମିତି’

ଭୁବନେଶ୍ୱର: ଆଜିକାଲି ଶିକ୍ଷିତ ଯୁବପିଢ଼ି ଧୀରେ ଧୀରେ କୃଷି, ଗୋ ସେବା ଆଦିରୁ ଦୂରେଇ ଯାଉଥିବା ଦେଖାଯାଉଛି। ଏପରିକି ଗାଁଗହଳିରେ ମଧ୍ୟ କେହି ଆଉ ଗାଇ, ଗୋରୁ ରଖିବାକୁ ପସନ୍ଦ କରୁନାହାନ୍ତି। ଏହି ପରିପ୍ରେକ୍ଷୀରେ ଖୋଦ୍‌ ରାଜଧାନୀର ଛାତି ଉପରେ ଇଞ୍ଜିନୟରଂ ଛାତ୍ର ଓ ବୃତ୍ତିଧାରୀଙ୍କ ଗୋସେବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସ୍ଥାନୀୟ ଗୋପବନ୍ଧୁ ଛକ ନିକଟରେ ଏପରି ଗୋଶାଳା ଅନୁଷ୍ଠାନ ‘ଗୋ କୃପା ସେବା ସମିତି’ ଦେଖିବାକୁ ମିଳିଛି। ଯେଉଁଠି ରାସ୍ତା ଦୁର୍ଘଟଣାରେ ଶିକାର ଏବଂ ରୋଗଗ୍ରସ୍ତ ଅନେକ ଗାଈ, ଗୋରୁ, ଷଣ୍ଡଙ୍କୁ ରଖି ଚିକିତ୍ସା କରାଯିବା ସହ ସେବା କରାଯାଉଛି। ଏପରି ଅନୁଷ୍ଠାନ କିପରି ଆରମ୍ଭ କଲେ ପଚାରିବାରୁ ବିଟେକ୍‌ କରିଥିବା ଅନୁଷ୍ଠାନର ସଦସ୍ୟ ସୁଶୀଲ ଶୁକ୍ଳା କହିଛନ୍ତି, ୨୦୧୩ ମସିହାରେ ଏକ ଗାଡ଼ି ଗୋଟିଏ ଗାଈକୁ ଗୋପବନ୍ଧୁ ଛକ ନିକଟରେ ଧକ୍କା ଦେଇ ଚାଲିଗଲା। ଗାଈଟି ଗୁରୁତର ଆହତ ହୋଇ ରାସ୍ତା ଉପରେ ଛଟପଟ ହେଉଥାଏ। ସମସ୍ତେ ଦେଖୁଥିଲେ ମଧ୍ୟ କେହି ତା’ର ଚିକିତ୍ସା ବ୍ୟବସ୍ଥା କରୁନଥିଲେ। ଆମେ କିଛି ସାଙ୍ଗ ସେଇ ରାସ୍ତାକଡ଼ରେ ଡାକ୍ତର ଡକାଇ ତା’ର ଚିକିତ୍ସା କଲୁ। ତା’ ପରଠାରୁ ଏକ ଅସ୍ଥାୟୀ ଗୁହାଳ କରି ଗୋ ସେବା କରିବା ଆମର ନିଶା ପାଲଟିଗଲା। ଆମର ଏପରି ସେବା କାର୍ଯ୍ୟ ନେଇ ଓୟୁଏଟିର କିଛି ପଶୁଡାକ୍ତରଙ୍କର ମଧ୍ୟ ଅନେକ ସହଯୋଗ ରହିଛି। ସେମାନେ ଆମକୁ କିପରି ରାସ୍ତା ଦୁର୍ଘଟଣା ତଥା ଅନ୍ୟାନ୍ୟ ରୋଗରେ ଶିକାର ହୋଇଥିବା ଗୋମାତାଙ୍କ ଚିକିତ୍ସା କରାଯିବ ସେ ନେଇ ତାଲିମ ଦେଇଛନ୍ତି। ଗୋ ଖାଦ୍ୟ ସହ ସେମାନଙ୍କ ଚିକିତ୍ସା ପାଇଁ ଖର୍ଚ ହେଉଥିବା ସମସ୍ତ ଅର୍ଥ ଆମେ ନିଜ ପକେଟ୍‌ରୁ ଦେଇଥାଉ। ବେଳେ ବେଳେ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ମିଳିଥାଏ ବୋଲି ମଧ୍ୟ ଅନୁଷ୍ଠାନର ସଦସ୍ୟମାନେ କହିଛନ୍ତି। ସେଫ୍ଟି ଇଞ୍ଜିନୟରିଂ ପଢୁଥିବା ଛାତ୍ର ସୁରେନ୍ଦ୍ର କୁମାର ଖରସେଲ, ସନ୍ତୋଷ କୁମାର ଦେବ, ତପନ ପ୍ରସାଦ ଦାସ, ଆଇଟିସିରେ କାର୍ଯ୍ୟରତ ସୁମନ୍ତ କୁମାର ଘଡ଼େଇ, ସ୍ୱରୂପ ସ୍ୱାଇଁ, ଧୀରେନ୍ଦ୍ର କୁମାର ସ୍ୱାଇଁ, କବିରାଜ ବିଶ୍ୱାଳ, ନିର୍ମଳ ରାଉତ,ସତ୍ୟ ନାରାୟଣ ସାହୁ, ଆଇନ ଛାତ୍ର ସ୍ମୃତିସ୍ୱାଗତ ମିଶ୍ର ପ୍ରମୁଖ ସକାଳ ଓ ସଞ୍ଜରେ ଗୋଶାଳା ପହଞ୍ଚି ଆହତ ଗୋରୁ,ଗାଈଙ୍କ ଯତ୍ନ ନିଅନ୍ତି। ଦିନେ ଗୋଶାଳା ନଗଲେ ଦିନଟା ଭଲ ଲାଗେନି ବୋଲି ସମସ୍ତେ କହିଛନ୍ତି।

ଅନୁଷ୍ଠାନର ସଦସ୍ୟମାନଙ୍କ କହିବା ଅନୁଯାୟୀ ରାସ୍ତାକଡ଼ରେ ଏହି ଗୁହାଳ ଆମେ ନିର୍ମାଣ କରିଥିବାରୁୁ ନାନା ସମସ୍ୟାର ସମ୍ମୁଖୀନ ହେଉଛୁ। ବିଏମ୍‌ସି ଅନେକ ସମୟରେ ଉଚ୍ଛେଦ ପାଇଁ ଚେତାବନୀ ଦେଉଛି। ଅନେକ ଲୋକ ଏଠାରେ ଆଣି ଆହତ, ରୋଗିଣା ଗାଈ,ଗୋରୁ ପିଙ୍ଗି ଦେଇ ଯାଉଛନ୍ତି। ସ୍ଥାନାଭାବ ଯୋଗୁଁ ସମସ୍ତଙ୍କୁ ରଖିବା ମୁସ୍କିଲ ହୋଇପଡ଼ିଲାଣି। ତେଣୁ ଏକ ସ୍ଥାୟୀ ଗୁହାଳ ନିର୍ମାଣ ପାଇଁ ଯଦି ବିଏମ୍‌ସି କିମ୍ବା ରାଜ୍ୟ ସରକାର ଜାଗା ଯୋଗାଇଦେବାକୁ ଅନୁଷ୍ଠାନର କର୍ମକର୍ତା ନିବେଦନ କରିଛନ୍ତି। ଏହା ହେଲେ ଆମେ ସହରସାରା ଦୁର୍ଘଟଣାର ଶିକାର ହେଉଥିବା ଗୋମାତାଙ୍କ ଚିକିତ୍ସା କରିପାରନ୍ତୁ ବୋଲି ଅନୁଷ୍ଠାନର ସଦସ୍ୟମାନେ କହିଛନ୍ତି।

ସମ୍ବନ୍ଧିତ ଖବର