ମହାପର୍ବର ଉତ୍ସାହ, ଜଣଙ୍କ ନାମରେ ଆଉ ଜଣେ ଦେଇଛନ୍ତି ଭୋଟ୍‌

ଉତ୍ସାହିତ ନୂଆ ଭୋଟର

ପ୍ରଥମ ଥର ଲାଗି ଗଣତନ୍ତ୍ରର ମହାପର୍ବ‌ରେ ସାମିଲ ହୋଇଥିବା ଯୁବ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଭୋଟ ଗ୍ରହଣ କେନ୍ଦ୍ରକୁ ଯିବାଠାରୁ ‌ଆରମ୍ଭ କରି ଫେରିବା ପର୍ଯ୍ୟନ୍ତ ପ୍ରତିଟି କ୍ଷଣର ଅନୁଭୂ୍ତିକୁ ନିଆରା ଢ଼ଙ୍ଗରେ ସାଉଁଟିଥିଲେ ନୂଆ ଭୋଟର। ସାଙ୍ଗମାନଙ୍କ ସହ ମିଶି ବୁଥ୍‌କୁ ଯିବା ଲାଗି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ରହିଥିଲେ। ଦୁଇରୁ ତିନି ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲେ ମଧ୍ୟ ସେମାନଙ୍କ ମନରେ ଟିକିଏ ବି ହେଲେ ଦୁଃଖ ଦେଖିବାକୁ ମିଳି ନଥିଲା। ଭୋଟ ଦେଇ ଆସି ନୂଆ ଭୋଟର ଖୁସି ବ୍ୟକ୍ତ କରିଥିଲେ।

‌ସୋସିଆଲ ମିଡିଆରେ ସେଲ୍‌ଫି
ମତଦାନ ସାବ୍ୟସ୍ତ କରି ଭୋଟର କେତେ ଉତ୍ସାହିତ ଅଛନ୍ତି ତାହା ଆଜି ସୋସିଆଲ୍‌ ମିଡିଆରୁ ବାରି ହୋଇପଡ଼ୁଥିଲା। ମତଦାନ କେନ୍ଦ୍ରରେ ଭୋଟ ଦେବା ପରେ ପରେ ତାହାକୁ ସୋସିଆଲ୍‌ ମିଡ଼ିଆରେ ଛାଡ଼ିଥିଲେ ଭୋଟର। ନୂଆଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ। ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ସମାନ ଉତ୍ସାହ। କିଏ ସେଲ୍‌ଫିରେ ଆଙ୍ଗୁଠିରେ ଲାଗିଥିବା କଳା ଦାତାକୁ ଦେଖାଇଥିଲେ ତ ଆଉ କିଏ ସାଙ୍ଗ ଓ ପରିବାର ସହ ଫଟୋ ଉଠାଇଥିଲେ। କେହି କେହି ମତଦାନ ସମୟର ଦୃଶ୍ୟକୁ ଫେସ୍‌ବୁକ୍‌ରେ ଲାଇଭ୍‌ କରୁଥିବା ଦେଖିବାକୁ ମିଳିଥିଲା। ବିଗତବର୍ଷ ଗୁଡ଼ିକ ଅପେକ୍ଷା ଏଥର ରାଜଧାନୀର ମତଦାତାଙ୍କ ମଧ୍ୟରେ ନିଆରା ଉତ୍ସାହ ଭରିଥିଲା।

ଭିନ୍ନକ୍ଷମ ‌ଭୋଟରଙ୍କ ପାଇଁ ‘ସକ୍ଷମ ବାହାନ’
ଲୟୋଲା ସ୍କୁଲରେ ହୋଇଥିବା ମଡେଲ୍‌ ବୁଥ୍‌ରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଲାଗି ‘ସକ୍ଷମ ବାହାନ’(ଅଟୋ)ର ବ୍ୟବସ୍ଥା ହୋଇଥିଲା। ଭୋଟରଙ୍କ ସମ୍ପର୍କୀୟ ଫୋନ୍‌ କରିବା କ୍ଷଣି ଭିନ୍ନକ୍ଷମ ଓ ବୟସ୍କ ଭୋଟରଙ୍କୁ ଘରୁ ଆଣିବା ଲାଗି ଅଟୋ ଯାଉଥିଲା। ମତଦାନ କେନ୍ଦ୍ରରେ ନିୟୋଜିତ ଭଲ୍ୟୁଣ୍ଟରମାନେ ମଧ୍ୟ ଏଥିରେ ସହାୟତା କରୁଥିଲେ। ‌ଭୋଟରମାନେ କିଭଳି ବିନା ବିଧାରେ ନିଜର ଭୋଟ ଦେଇପାରିବେ ସେଦିଗରେ ପଦକ୍ଷେପ ନିଆଯାଉଥିଲା। ଲୟୋଲା ସ୍କୁଲ ସମେତ ଏହା ନିକଟରେ ଥିବା ରାଷ୍ଟ୍ରୀୟ ବୈଷୟିକ ଶିକ୍ଷକ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ କେନ୍ଦ୍ରରେ ହୋଇଥିବା ବୁଥ୍‌ଗୁଡ଼ିକ ପାଇଁ ସ୍ବତନ୍ତ୍ର ଭଲ୍ୟୁଣ୍ଟର ନିୟୋଜିତ ହୋଇଥିଲେ। ଯେଉଁମାନେ ଭୋଟରଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଥିଲେ।

ଗ୍ରାମାଞ୍ଚଳ ଭୋଟରଙ୍କ ମଧ୍ୟରେ ଉତ୍ସାହ
ମତଦାନ ଲାଗି ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ଭୋଟରଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ଘଣ୍ଟା ଘଣ୍ଟା ଅପେକ୍ଷା କରି ‌ଭୋଟର ମତଦାନ ସାବ୍ୟସ୍ତ କରିଥିଲେ। ଉତ୍ତର ଭୁବନେଶ୍ବରର କଳାରାହାଙ୍ଗ, ଦାଢ଼ା, ରଘୁନାଥପୁର, କଲ୍ୟାଣପୁର, ବରିମୁଣ୍ଡ ପଞ୍ଚାୟତର ମହିଳା ଓ ପୁରୁଷମାନେ ଶାନ୍ତିଶୃଙ୍ଖଳା ଭାବେ ଭୋଟ ଦେବାକୁ ଧାଡ଼ିରେ ଛିଡ଼ା ହୋଇଥିଲେ। ଗଣ୍ଡରପୁର, କଳାରାହାଙ୍ଗଠାରେ ହୋଇଥିବା ମତଦାନ କେନ୍ଦ୍ରରେ ମହିଳା ଓ ପୁରୁଷଙ୍କ ଲମ୍ବା ଧାଡ଼ି କରାଯାଇଥିଲା। ଭୋଟରଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଏହି ସବୁ ସ୍ଥାନରେ ବନ୍ଧୁକଧାରୀ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ପ୍ରତି ୧୦ରୁ ୧୫ ମିନିଟ୍‌ ବ୍ୟବଧାନରେ ପିସିଆର ଭ୍ୟାନ୍‌ ବୁଥ୍‌ ନିକଟରେ ପହଞ୍ଚୁଥିବା ଦେଖିବାକୁ ମିଳିଥିଲା।

ମଡେଲ୍‌ ବୁଥ୍‌ରେ ନିୟମ ମାନିଲେନି
ଉତ୍ତର ଭୁବନେଶ୍ବରରେ ୬ଟି ମଡେଲ୍‌ ବୁଥ୍‌ କରାଯାଇଥିଲା। ସେଠାରେ ଭୋଟରଙ୍କ ବସିବା ପାଇଁ ଚେୟାର ପଡ଼ିଥିଲା। ପିଇବା ପାଇଁ ଜଲଜିରା ଓ ଦହି ପାଣିର ବ୍ୟବସ୍ଥା ହୋଇଥିଲା। ମହିଳା ଓ ପୁରୁଷଙ୍କ ଲାଗି ଅଲଗା ଅଲଗା ଧାଡ଼ି କରିବାକୁ ଯୋଜନା ହୋଇଥିଲେ ମଧ୍ୟ ତାହା ହୋଇପାରି ନଥିଲା। ଲୟୋଲା ମଡେଲ୍‌ ବୁଥ୍‌ରେ ଅଲଗା ଅଲଗା ଧାଡ଼ି ହୋଇଥିବା ବେଳେ ଡିଏଭି ଚନ୍ଦ୍ରଶେଖରପୁର ମଡେଲ୍‌ ବୁଥ୍‌ରେ କେହି ବି ନିୟମ ମାନି ନଥିଲେ। ମହିଳା ଓ ପୁରୁଷଙ୍କ ଲାଗି ଗୋଟିଏ ଧାଡ଼ି ହୋଇଥିବାରୁ ମହିଳା ଭୋଟରମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ମଧ୍ୟ ଭୁବନେଶ୍ବରର ୟୁନିଟ୍‌-୨ ୟୁପି ସ୍କୁଲରେ ହୋଇଥିବା ମଡେଲ୍‌ ବୁଥ୍‌ରେ ଦିବ୍ୟାଙ୍ଗଙ୍କ ଗାଡ଼ି ଯିବା ପାଇଁ ବ୍ୟବସ୍ଥା ନଥିଲା।

ଇଭିଏମ୍‌ ଅଚଳ, ଫେରିଲେ ଅଚ୍ୟୁତ
ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ନୀଳାଦ୍ରିବିହାରଠାରେ ହୋଇଥିବା ୭୫ ନମ୍ବର ବୁଥ୍‌ରେ ଇଭିଏମ୍‌ ଅଚଳ ପାଇଁ ବିଜେଡି ସାଂସଦ ଅଚ୍ୟୁତ୍‌ ସାମନ୍ତଙ୍କୁ ହଟହଟା ହେବାକୁ ପଡ଼ିଛି। ସକାଳ ୭ଟାରେ ଭୋଟ ଗ୍ରହଣ ଆରମ୍ଭ ହେବା ପରେ ଶ୍ରୀ ସାମନ୍ତ ଭୋଟ ଦେବା ପାଇଁ ବୁଥ୍‌ରେ ପହଞ୍ଚିଥିଲେ। ସେଠାରେ ଇଭିଏମ୍‌ ଅଚଳ ଥିବାରୁ ଭୋଟ ଦେଇପାରି ନଥିଲେ। ପ୍ରାୟ ୩୦ ମିନିଟ୍‌ ଧରି ଅପେକ୍ଷା ପରେ ବି ଇଭିଏମ୍‌ ସ୍ବାଭାବିକ୍‌ ନ ହେବାରୁ ଭୋଟ ନ ଦେଇ ସେ ଫେରିଯାଇଥିଲେ। ଦୁଇ ଘଣ୍ଟା ପରେ ଇଭିଏମ୍‌ ମରାମତି ହୋଇଥିଲା। ଏହାପରେ ଭୋଟରମାନେ ମତଦାନ ସାବ୍ୟସ୍ତ କରିଥିଲେ। ଭୋଟଦାନ ସ୍ବାଭାବିକ୍‌ ହେବା ପରେ ଶ୍ରୀ ସାମନ୍ତ ପୁଣିଥରେ ବୁଥ୍‌କୁ ଆସି ଭୋଟ ଦେଇଥିଲେ।

କର୍ମୀଙ୍କୁ ଉଠାଇନେଲା ପୁଲିସ
ଖାରବେଳ ନଗର ଅଞ୍ଚଳର ଏକ ବୁଥ୍‌ରେ ନିର୍ଦ୍ଦିଷ୍ଟ ରାଜ‌ନୈତିକ ଦଳର ଜଣେ କର୍ମୀଙ୍କ ଉତ୍ପାତ ଦେଖିବାକୁ ମିଳିଥିଲା। ଭୋଟ ଗ୍ରହଣ କେନ୍ଦ୍ରକୁ ପ୍ରବେଶ କରି ସମ୍ପୃକ୍ତ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ଭୋଟରଙ୍କୁ ବାଧ୍ୟ କରୁଥିଲେ। ଏପରିକି ବଡ଼ ପାଟିରେ ଚିତ୍କାର କରିବାରୁ ଲୋକେ ଏହାର ପ୍ରତିବାଦ କରିଥିଲେ। ଭୋଟଦାନ ଚାଲିଥିବା ବେଳେ ସମ୍ପୃକ୍ତ କର୍ମୀଙ୍କ ଏଭଳି ଉତ୍ପାତ ଦେଖି ପୁଲିସ ତାଙ୍କୁ ସେଠାରୁ ଉଠାଇ ନେଇଥିଲା।

କାମରେ ଆସିଲାନି ଟେଣ୍ଟ୍‌
ତାତିରୁ ରକ୍ଷା ପାଇବା ପାଇଁ ଭୋଟରଙ୍କ ପାଇଁ ବୁଥ୍‌ଗୁଡ଼ିକରେ ଟେଣ୍ଟ୍‌ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା କାମରେ ଲାଗିପାରିନି। ଦୂରଦୃଷ୍ଟି ଅଭାବ ସାଙ୍ଗକୁ ଆବଶ୍ୟକୀୟ ସ୍ଥାନରେ ଟେଣ୍ଟ କରାଯାଇ ନଥିବାରୁ ଲୋକେ ଖରାରେ ଆଉଟୁପାଉଟୁ ହୋଇଥିଲେ। ସ୍କୁଲଗୁଡ଼ିକର ଶ୍ରେଣୀଗୃହରେ ହୋଇଥିବା ବୁଥ୍‌ଠାରୁ ଲମ୍ବା ଧାଡ଼ିରେ ଭୋଟର ଛିଡ଼ା ହୋଇ ରହିଥିଲେ। ତେବେ ଯେଉଁ ସ୍ଥାନରେ ଭୋଟର ଛିଡ଼ା ହୋଇଥିଲେ ସେହି ଅଞ୍ଚଳରେ ଟେଣ୍ଟ୍‌ ବ୍ୟବସ୍ଥା‌ ହୋଇ ନଥିଲା। ଅନ୍ୟ ସ୍ଥାନରେ ଟେଣ୍ଟ ହୋଇଥିବାରୁ ଲୋକେ ଧାଡ଼ିରୁ ବାହାରି ଟେଣ୍ଡରେ ଛିଡ଼ା ହେବାକୁ ଆଗ୍ରହ ପ୍ରକାଶ କରୁ ନଥିବା ଦେଖିବାକୁ ମିଳିଥିଲା।

ଜଣଙ୍କ ନାମରେ ଆଉ ଜଣେ ଦେଇଛନ୍ତି ଭୋଟ୍‌
କେତେକ ମତଦାନ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ଭୋଟର ମତଦାନ ପାଇଁ ବୁଥ୍‌ରେ ପହଞ୍ଚିବା ପୂର୍ବରୁ ତାଙ୍କ ନାମରେ ଆଉ କେହି ମତଦାନ କରି ସାରିଥିଲେ। ଏହାକୁ ନେଇ ଭୋଟର ଅସନ୍ତୋଷ ପ୍ରକାଶ କରିବା ସହ ବୁଥ୍‌ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭୁବନେଶ୍ବର ମଧ୍ୟ, ଉତ୍ତର, ଏକାମ୍ର ଓ ଜୟଦେବ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍‌ରେ ଏଭଳି ସମସ୍ୟା ଉପୁଜିଥିଲା। ‌ଭୋଟ ଦାନରୁ ବଞ୍ଚିତ ହେଉଥିବା ଭୋଟର ସିଧା ସିଧା ଏହାର ପ୍ରତିବାଦ ଜଣାଇଥିଲେ। କହିଁକି ଆମ ଭୋଟ୍‌ ଆଉ କିଏ ଦେଲା ବୋଲି ନିର୍ବାଚନ ଦାୟୀତ୍ବରେ ଥିବା ଅଧିକାରୀମାନଙ୍କୁ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର