ଜମିଲା କୁଆଁରୀଙ୍କ ଉତ୍ସବ, କୁଆଁର ପୂନେଇଁ ଜହ୍ନ ଗୋ…

ଭୁବନେଶ୍ୱର: କୁଆଁର ପୂନେଇଁ ଜହ୍ନ ଗୋ.. ଫୁଲ ବଉଳବେଣୀ…। ଜହ୍ନର ଶୀତଳ କିରଣ ତଳେ କୁମାରୀମାନଙ୍କ ଏହି ଗୀତ ଆଜିର ସଂଧ୍ୟାକୁ ବେଶ୍‌ ନିଆରା କରିଦେଇଥିଲା। ଅବସର ଥିଲା, କୁମାରୀଙ୍କ ଉତ୍ସବ କୁଆଁର ପୂନେଇଁର। କୁମାରୀମାନଙ୍କୁ ସମର୍ପିତ ଦିନଟିଏ। ଏନେଇ କୁମାରୀ ମନରେ ଅଦମ୍ୟ ଉତ୍ସାହ ଭରି ଯାଇଥିଲା। ଏପଟେ ମଣ୍ଡପରେ ବିରାଜମାନ କରିଛନ୍ତି ସମୃଦ୍ଧିର ଦେବୀ ମା’ ଗଜଲକ୍ଷ୍ମୀ। ଅନ୍ୟପକ୍ଷେ କୁଆଁରୀମାନଙ୍କ ସୂର୍ଯ୍ୟଚନ୍ଦ୍ର ପୂଜା ଆଜି ସହରକୁ ପୂରା ଉତ୍ସବମୁଖର କରିଦେଇଛି। ଆଜି ବେଶ୍‌ ଜାକଜମକରେ ପାଳିତ ହୋଇଯାଇଛି କୁଆଁର ପୂନେଇଁ। ସକାଳ ୫ଟାରୁ ଆରମ୍ଭ ହୋଇଯାଇଥିଲା କୁମାରୀମାନଙ୍କ ସଜବାଜ। ଗାଧୋଇପାଧୋଇ ନିଜେ ନୂଆ ଲୁଗା ପିନ୍ଧିବା ସହ ନୂଆ କୁଲାରେ ଖଇ, ଗୁଆ, କଦଳୀ, ନଡ଼ିଆ, କସି କାକୁଡ଼ି, କସି ଜହ୍ନି ଓ ଆଖୁ ଆଦି ଆଞ୍ଜୁଳି ସାମଗ୍ରୀ ଯୋଗାଡ଼ କରିଥିଲେ। ଚଉରା ମୂଳ ଲିପାଲିପି କରି ମୁରୁଜ ପକାଇ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା। ସୂର୍ଯ୍ୟୋଦୟ ପୂର୍ବରୁ ସୂର୍ଯ୍ୟଦେବତାଙ୍କୁ ଆଞ୍ଜୁଳି ଟେକିଥିଲେ କୁଆଁରୀ ଓ ନବବିବାହିତାମାନେ। ଅପେକ୍ଷା କରି ରହିଥିଲେ ପୂନେଇଁ ଚାନ୍ଦକୁ। ଦିନ ଯେତିକି ଗଡ଼ୁଥିଲା ଉତ୍ସାହ ସେତିକି ବଢ଼ୁଥିଲା।

ଏହି ଦିନର ସବୁଠାରୁ ଆକର୍ଷଣୀୟ ଥିଲା ସନ୍ଧ୍ୟାର ଚାନ୍ଦ ପୂଜା। କୁମାରୀମାନେ ଚଉରା ମୂଳେ ଏକତ୍ର ହୋଇ ଅପେକ୍ଷା କରି ରହିଥିଲେ ଜହ୍ନ ଉଇଁବାକୁ। ଜହ୍ନ ଉଇଁବା ମାତ୍ରେ ଆରମ୍ଭ ହୋଇଯାଇଥିଲା ଏହି ପୂଜା। କୁମାରୀଙ୍କ ହୁଳହୁଳି ଶବ୍ଦରେ କମ୍ପି ଉଠିଥିଲା ପରିବେଶ। ଖଇ, ନଡ଼ିଆ, କଦଳୀ, ଛେନା ଓ ଗୁଡ଼ ଆଦିରେ ପ୍ରସ୍ତୁତ ଚାନ୍ଦ ଚକଟା ପୂନେଇଁ ଜହ୍ନକୁ ଭୋଗ ଲଗାଇଥିଲେ। ଅର୍ପଣ ହୋଇଥିବା ଚାନ୍ଦ ଚକଡ଼ା ଖାଇବା ବେଳେ କାଳେ କେହି ଦେଖି ଦେଲେ ବୁଢ଼ା ବର ମିଳିବ ବୋଲି ବିଶ୍ୱାସ ଥିବାରୁ ଏହାକୁ ସମସ୍ତଙ୍କଠାରୁ ଲୁଚେଇ ଖାଇଥିଲେ କୁମାରୀମାନେ। ପରସ୍ପରକୁ ଖୁଆଇ ଚାନ୍ଦ ମଧ୍ୟ ବସିଥିଲେ। ଏହା ପରେ ଆରମ୍ଭ ହୋଇଯାଇଥିଲା କୁମାର ପୁନେଇଁ ଜହ୍ନ ଗୋ…. ଠିଆ ପୁଚି ନାରଙ୍ଗ….. ଆଦି ଗୀତ। ଏହା ସାଙ୍ଗକୁ ବେଶ୍‌ ଜମିଥିଲା ପୁଚି ଖେଳ ଓ ବୋହୂଚୋରି ଖେଳ। ସହରର କିଛି ଆବାସିକ କଲୋନିର ଝିଅମାନେ ମିଶି ପରମ୍ପରା ମୁତାବକ ମିଳିତ ହୋଇ ଏହି ପୂଜା କରିଥିବା ଦେଖାଯାଇଥିଲା। ସହର ଉପକଣ୍ଠରେ କୁମାରୀ ବିବାହ ଭଳି ଅନନ୍ୟ ପରମ୍ପରା ମଧ୍ୟ ବେଶ୍‌ ଜମିଥିଲା। ସମ୍ପୂର୍ଣ୍ଣ ବିଧି ମୁତାବକ ମିଛିମିଛିକା ବରକନିଆଁଙ୍କୁ ନେଇ ମିଛି ମିଛିକା ବାହାଘର ହୋଇଥିଲା। ବିଳମ୍ବିତ ରାତି ଯାଏଁ ସାଙ୍ଗସାଥୀ ମେଳରେ ଦିନଟିକୁ କାଟି ଝିଅମାନେ ନିଜ ନିଜ ଘରକୁ ଫେରିଥିଲେ।

ସମ୍ବନ୍ଧିତ ଖବର