ମଣିଷର ପ୍ରକୃତି ବଦଳିଲେ, ପ୍ଲାଷ୍ଟିକ୍‌ ବ୍ୟବହାର କମିବ

ଓଇଏସ୍‌ରେ ପରିବେଶ ଦିବସ

ଭୁବନେଶ୍ୱର: ସଂପ୍ରତି ବିଶ୍ୱରେ ବାର୍ଷିକ ୩୦ ହଜାର ଟନ୍‌ ପ୍ଲାଷ୍ଟିକ୍‌ ଉତ୍ପାଦିତ ହେଉଛି। ଅଥଚ ଏହାର ମାତ୍ର ୧୦ ଶତାଂଶରୁ କମ୍‌ ପୁନଃଚକ୍ରଣ ହୋଇ ବ୍ୟବହୃତ ହେଉଛି। ଅବଶିଷ୍ଟ ପ୍ଲାଷ୍ଟିକ୍‌ ମାଟି ଓ ଜଳ ଭାଗରେ ଶହଶହ ବର୍ଷ ପଡ଼ି ରହି ସମଗ୍ର ଜୀବଜଗତ ପାଇଁ ବିପଦ ସୃଷ୍ଟି କରୁଛି। ଉତ୍ତାପ ଓ ଘର୍ଷଣ ଯୋଗୁଁ ଏଥିରୁ ନିର୍ଗତ ହେଉଥିବା ବିଷାକ୍ତ ଗ୍ୟାସ୍‌ ମଣିଷ ଓ ଅନ୍ୟ ଜୀବଙ୍କ ଶରୀରର କ୍ଷତି କରୁଛି। ତେଣୁ ପ୍ଲାଷ୍ଟିକ୍‌ର ଉତ୍ପାଦନ, ବିକ୍ରି ଓ ବ୍ୟବହାରରେ ଅଙ୍କୁଶ ଲଗାଇବା ବର୍ତମାନ ସମୟର ଆହ୍ଵାନ। ଓଡ଼ିଶା ପରିବେଶ ସମିତି (ଓଇଏସ୍‌)ରେ ଆନୁକୂଲ୍ୟରେ ସମିତି ପରିସରରେ ଆୟୋଜିତ ବିଶ୍ୱ ପରିବେଶ ଦିବସ ଅବସରରେ ଏଭଳି ଆଲୋକପାତ କରିଛନ୍ତି ଅତିଥିବୃନ୍ଦ। ସମିତିର ସଭାପତି ଡ. ସୁନ୍ଦର ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜୀବ) ଡ. ସନ୍ଦୀପ ତ୍ରିପାଠୀ ମୁଖ୍ୟ ଅତିଥି ଏବଂ ହିରୋସିମା ବିଶ୍ୱବିଦ୍ୟାଳୟର ଭିଜିଟିଂ ପ୍ରଫେସର ଡ. ନଚିକେତା ଦାସ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ମଣିଷର ପ୍ରକୃତି ବଦଳିଲେ ହିଁ ପ୍ଲାଷ୍ଟିକ୍‌ ବ୍ୟବହାର ନିୟନ୍ତ୍ରିତ ହୋଇପାରିବ ବୋଲି ଅତିଥିମାନେ କହିଥିଲେ। ପ୍ରାରମ୍ଭରେ ଉପସଭାପତି ଡ. ଲାଲା ଏକେ ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଡ. ଜୟକୃଷ୍ଣ ପାଣିଗ୍ରାହୀ ‘ପ୍ଲାଷ୍ଟିକ୍‌ ପ୍ରଦୂଷଣ ପ୍ରତିହତ କର’ ବିଷୟ ଉପରେ ପାଓ୍ଵାର ପଏଣ୍ଟ୍‌ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ପରିବେଶ ଆନ୍ଦୋଳନରେ ବିଶେଷ ଅବଦାନ ପାଇଁ ସୁଦର୍ଶନ ଦାସଙ୍କୁ ପରିବେଶବିତ୍‌ ପୁରସ୍କାର, ଗଂଜାମ କୁକୁଡ଼ା ଖଣ୍ଡିସ୍ଥିତ ଆଞ୍ଚଳିକ ବିକାଶ ପରିଷଦକୁ ବନ୍ୟଜୀବ ସଂରକ୍ଷଣ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଯୁଗ୍ମ ସମ୍ପାଦକ ଇଂ ପ୍ରକାଶ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର