ପ୍ରତି ଶ୍ରେଣୀ ପାଇଁ ଜଣେ ଶିକ୍ଷକ ରଖାଯାଉ

୬ ପ୍ରତିଭାଙ୍କୁ ଅବନୀ ବରାଳ ସମ୍ମାନ

ଭୁବନେଶ୍ୱର: ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବାକୁ ହେଲେ ଶିକ୍ଷା ଅଧିକାର ଆଇନ (ଆର୍‌ଟିଇ)ରେ ପରିବର୍ତନ ଆଣିବା ଦରକାର।  ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତି ଶ୍ରେଣୀରେ ଜଣେ ଲେଖାଏଁ ଶିକ୍ଷକ ରଖି ପାରିଲେ ସମସ୍ୟାର ସମାଧାନ ହୋଇପାରିବ। ଜୟଦେବ ଭବନରେ ଅବନୀ ବରାଳ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଅବନୀ ବରାଳ ସମ୍ମାନ ପ୍ରଦାନ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଅତିଥି ଭାବେ ଯୋଗଦେଇ ଏପରି କହିଛନ୍ତି। ଅବନୀ ବରାଳ ଜଣେ ବାସ୍ତବବାଦୀ ଶିକ୍ଷକ ନେତା ଥିଲେ ବୋଲି ସେ କହିଥିଲେ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ତଥା ଫାଉଣ୍ଡେସନ୍‌ର ସଭାପତି ନିରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରି ସର୍ବଭାରତୀୟସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଓଡ଼ିଆ ପିଲାଙ୍କ ବିଫଳତାର କାରଣ ନେଇ ପ୍ରଶ୍ନ କରିଥିଲେ। ଆଗରୁ ଓଡ଼ିଶାରୁ ୧୦ ପ୍ରତିଶତ ପିଲା ସର୍ବଭାରତୀୟ ପରୀକ୍ଷାରେ କୃତକାର୍ଯ୍ୟ ହେଉଥିବା ବେଳେ ଏବେ ଏହା ୧ ପ୍ରତିଶତକୁ ଖସି ଆସିଛି। ତେଣୁ ଆମ ଶିକ୍ଷା ବ୍ୟବସ୍ଥାରେ କି ଅଭାବବୋଧ ରହିଥିବାରୁ ଏଭଳି ହେଉଛି, ସେ ଦିଗରେ ଧ୍ୟାନ ଦେବାକୁ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ। ବିଶିଷ୍ଟ ଆଲୋଚକ ପ୍ରଫେସର ବୈଷ୍ଣବ ଚରଣ ସାମଲ ଓଡ଼ିଆ ଉପନ୍ୟାସର ବିଭିନ୍ନ ଦୃଷ୍ଟିକୋଣ ସହିତ ଅବନୀ ବରାଳଙ୍କ ମନସ୍ତାତ୍ତ୍ୱିକ ତଥା ସଂସ୍କାର ଭାବର ତୁଳନାତ୍ମକ ଚିତ୍ର ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସମାଜସେବା ପାଇଁ ସୋମନାଥ ପାତ୍ର, ଅଭିନୟ ପାଇଁ ଝରଣା ଦାସ, ସାହିତ୍ୟ ଓ ଆଲୋଚନା ପାଇଁ ବୈଷ୍ଣବ ଚରଣ ସାମଲ, ସ୍ତମ୍ଭକାର ସୁନିଲ୍‌ ବୋଷ, କର୍ମଚାରୀ ସଂଗ୍ରାମୀ କ୍ଷେତ୍ରମୋହନ ଦାସ ଏବଂ ଶିକ୍ଷା ଓ ସଂଗ୍ରାମ କ୍ଷେତ୍ରରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଅବନୀ ବରାଳ ସମ୍ମାନ ପ୍ରଦାନ କରାଯାଇଥିଲା। ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ବାସୁଦେବ ସାହୁ, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ପ୍ରକାଶ ଜେନା, ମାଧ୍ୟମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ପ୍ରକାଶ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ସଂଘର ସଭାପତି ମାଧବ ବିଶ୍ୱାଳ ଏବଂ ବିନୋଦ ବିହାରୀ ପାଣିଗ୍ରାହୀ ପ୍ରମୁଖ ସ୍ମୃତିଚାରଣ କରିଥିଲେ। ମହେନ୍ଦ୍ର ଜେନା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପ୍ରେମାଞ୍ଜନ ଜେନା ଅତିଥି ପରିଚୟ ଦେଇଥିଲେ। ଟ୍ରଷ୍ଟି ଅକ୍ଷୟ କୁମାର ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅନିଲ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର