ଶ୍ରୀଲିଙ୍ଗରାଜଙ୍କ ଐତିହ୍ୟ ପ୍ରକଳ୍ପ : ଆଜିଠୁ ଉଚ୍ଛେଦ

ଭୁବନେଶ୍ବର : ଶୁକ୍ରବାରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉନ୍ନତୀକରଣ ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ଆଜି କ୍ଷେତ୍ର ପରିଦର୍ଶନ କରିଛନ୍ତି। ପ୍ରାୟ ଅଢ଼େଇ ମାସ ପରେ ବିଏମ୍‌ସି କର୍ତ୍ତୃପକ୍ଷ ଆଜି ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳକୁ ବୁଲି ଦେଖିଛନ୍ତି। ଯେଉଁମାନେ ପ୍ରଶାସନକୁ ଜମି ହସ୍ତାନ୍ତର କରିଛନ୍ତି ଓ କ୍ଷତିପୂରଣ ପାଇସାରିଛନ୍ତି ସେମାନଙ୍କୁ ତୁରନ୍ତ ଘର ଖାଲି କରିବାକୁ କୁହାଯାଇଛି। ଶୁକ୍ରବାର (ଆସନ୍ତାକାଲି)ଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଆଜି ବିଏମ୍‌ସି ଅତିରିକ୍ତ କମିସନର ଅବନିକାନ୍ତ ପଟ୍ଟନାୟକ ଏବଂ ଡେପୁଟି କମିସନର କମଲଜିତ୍‌ ଦାସଙ୍କ ସମେତ ବିଏମ୍‌ସିର ଇଞ୍ଜିନିୟରିଂ ଓ ଜମି ବିଭାଗର ଅଧିକାରୀମାନେ ମନ୍ଦିର ଚତୁଃପାର୍ଶ୍ବ ବୁଲି ଦେଖିଥିଲେ। ଏହାସହ ଯେଉଁ ୬୨ଜଣ ଜମି ହସ୍ତାନ୍ତର କରିଛନ୍ତି ସେଗୁଡ଼ିକୁ କିପରି ଉଚ୍ଛେଦ ହେବ, କେଉଁଠି ଆଗ କାମ ଆରମ୍ଭ ହେବ, ବାକି କାମ କିପରି ତୁରନ୍ତ ଶେଷ ହେବ ସେନେଇ ଆଲୋଚନା କରିଥିଲେ। ଏହାସହ ଆସନ୍ତାକାଲି ଠାରୁ ବିଏମ୍‌ସି କର୍ତ୍ତୃପକ୍ଷ ଆଉ ୪୨ଜଣଙ୍କ ଠାରୁ କିପରି ଯଥାସମ୍ଭବ ଶୀଘ୍ର ଜମି ଅଧିଗ୍ରହଣ ହେବ ସେନେଇ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅଗଷ୍ଟ ମାସ ସୁଦ୍ଧା ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର