ଇଭିଏମ୍‌ ଅଚଳ, ବିଳମ୍ବରେ ସରିଲା ମତଦାନ: ଭରତପୁର ଓ ଯଦୁପୁରରେ ରାତି ୮ ବାଜିଲା

ଖଣ୍ଡଗିରି: ଇଭିଏମ୍‌ ଅଚଳ କାରଣରୁ ଆଜି ସ୍ଥାନୀୟ ଅଞ୍ଚଳରେ ଭୋଟ୍‌ ଗ୍ରହଣ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। କିଛି କିଛି ସ୍ଥାନ‌ରେ ମତଦାତାମାନେ ଭୋଟ୍‌ ନଦେଇ ଫେରି ଯାଇଥିବା ବେଳେ ଭରତପୁର ଭଳି ସ୍ଥାନରେ ଲୋକେ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ମତଦାନ କରିଛନ୍ତି। ଜଟଣୀ ନିର୍ବାଚନ ମଣ୍ଡଳୀର ଭୁବନେଶ୍ବର ବ୍ଲକ ଏବଂ ଏକାମ୍ର ନିର୍ବାଚନମଣ୍ଡଳୀର ଖଣ୍ଡଗିରି ଓ ଭରତପୁର ଆଦି ଅଞ୍ଚଳରେ ଇଭିଏମ୍‌ ‌ଅଚଳ ମତାଦାତାମାନଙ୍କୁ ବେଶ୍ ହନ୍ତସନ୍ତ କରିଥିବା ଜଣାପଡ଼ିଛି। ତଥାପି ପାଇକରାପୁର, ଭରତପୁର, ଯଦୁପୁର ଓ ଡୁମୁଡୁମା ରଘୁନାଥନଗର ଆଦି ବହୁ ଅଞ୍ଚଳରେ ରାତି ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିଥିଲା ଓ ଏଠାରେ ମତଦାନ ୭୫ ପ୍ରତିଶତରୁ ଅଧିକ ହୋଇଥିବାରୁ ‌ଲୋକେ ଅଧିକ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଛି।

ଏକାମ୍ର ନିର୍ବାଚନମଣ୍ଡଳୀର ଜାଗମରା ହାଇସ୍କୁଲରେ ଚାଲିଥିବା ବୁଥ୍‌ ନମ୍ବର ୪୨, ୪୩, ୪୪, ୪୫ରେ ଇଭିଏମ୍‌ ଅଚଳ ହୋଇପଡ଼ିଥିଲା। ମତଦାନର ପ୍ରାୟ ଦେଢ଼ ଘଣ୍ଟା କିମ୍ବା ଦୁଇ ଘଣ୍ଟା ପରେ ଏଭଳି ଅଚଳାବସ୍ଥା ସୃଷ୍ଟି ହେବାରୁ ଭୋଟ ଗ୍ରହଣ ବିଳମ୍ବିତ ହୋଇଥିଲା। ପ୍ରାୟ ସବୁ ମେସିନ୍ ୩୦/୪୦ ମିନିଟ୍‌ ପର୍ଯ୍ୟନ୍ତ ଅଚଳ ହୋଇ ପଡ଼ିଥିଲା। ତେଣୁ ଭୋଟ ଦାନ ପାଇଁ ଲାଇନ୍‌ରେ ଅପେକ୍ଷା କରିଥିବା ବହୁ ଭୋଟର୍‌ ପରେ ଆସିବେ ବୋଲି କହି ଫେରି ଯାଇଥିଲେ। ସେହିଭଳି ଭରତପୁରର ଅଞ୍ଚଳରେ ଜୋକଲଣ୍ଡି ଓ ଗୋପବନ୍ଧୁ ପ୍ର‌ାଥମିକ ବିଦ୍ୟାଳୟର ୧୧୧ ଓ ୧୦୭ ନମ୍ବର ବୁଥ୍‌ରେ ଇଭିଏମ୍‌ ଖରାପ ହୋଇପଡ଼ିଥିଲା। ସକାଳ ପ୍ରାୟ ୧୦ଟା ବେଳେ ଏଠାରେ ଇଭିଏମ୍‌ ଅଚଳ ହୋଇପଡ଼ିବାରୁ ଭୋଟର୍‌ମାନେ ଫେରି ଯାଇଥିଲେ। କିନ୍ତୁ ସେମାନେ ଅପରାହ୍ଣ ପ୍ରାୟ ୪ଟା ପରେ ପୁଣି ବୁଥ୍‌କୁ ଭୋଟ ଦେବା ପାଇଁ ଫେରିଥିଲେ। ଫଳରେ ଅପରାହ୍ଣରେ ଭୋଟର୍‌ଙ୍କ ପରିମାଣ ବେଶ୍ ବୃଦ୍ଧି ପାଇଥିଲା। ତେଣୁ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ମତଦାନ ଜାରି ରହିଥିଲା। କିନ୍ତୁ ଏଠାରେ ୧୦୬, ୧୦୮, ୧୦୯ ଓ ୧୧୦ ଆଦି ବୁଥ୍‌ରେ ମଧ୍ୟ ମତଦାନ ସନ୍ଧ୍ୟା ପ୍ରାୟ ୭ଟା ପର୍ଯ୍ୟନ୍ତ ଚାଲିଥିଲା। ଖରା କମିବା ପରେ ଅପରାହ୍‌ଣରେ ମତଦାତାମାନଙ୍କ ଭିଡ଼ ବଢ଼ିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିଭଳି ଅପରାହ୍‌ଣର ଭିଡ଼ ପାଇଁ ଯଦୁପୁର ପ୍ରାଥମିକ ବିଦ୍ୟାଳୟର ୧୩୫, ୧୩୬ ଓ ୧୩୭ ନମ୍ବର ବୁଥ୍‌ରେ ମଧ୍ୟ ରାତି ପ୍ରାୟ ୮ ଟା ପର୍ଯ୍ୟନ୍ତ ମତଦାନ ଜାରି ରହିଥିଲା। ଜଟଣୀ ନିର୍ବାଚନମଣ୍ଡଳୀ ଭୁବନେଶ୍ବର ବ୍ଲକର ସୁଆଙ୍ଗ ବୁଥ୍‌ ନମ୍ବର ୧୬୮, ସରକନ୍ତରା ବୁଥ୍‌ ନମ୍ବର ୨୩୨ରେ ଇଭିଏମ୍‌ ଅଚଳ ଭୋଟରମାନଙ୍କୁ ବଡ଼ ବ୍ୟତିବ୍ୟସ୍ତ କରିଥିଲା। ୧୧ଟା ପରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା ଓ ଲୋକେ ଲାଇନ୍‌ରେ ଅପେକ୍ଷା କରି ବିରକ୍ତ ହୋଇଥିଲେ। ସକାଳ ପ୍ରାୟ ସାଢ଼େ ୮ଟା ପରେ ତମାଣ୍ଡୋ ବୁଥ୍‌ ନମ୍ବର ୧୨୪ରେ ମଧ୍ୟ ଇଭିଏମ୍‌ ଅଚଳ ହୋଇପଡ଼ିଥିଲା। ପ୍ରାୟ ୪୦ମିନିଟ୍‌ ପର୍ଯ୍ୟନ୍ତ ମେସିନ୍ ଅଚଳ ହୋଇ ରହିବାରୁ କଳିଙ୍ଗବିହାର ଅଞ୍ଚଳର କିଛି ଭୋଟର୍‌ ଫେରି ଯାଇଥିଲେ।

ସମ୍ବନ୍ଧିତ ଖବର