ଛାତ୍ରଛାତ୍ରୀ କୁଳପତିଙ୍କୁ ଘେରାଉ କରିଥିବା ବେଳେ ନଷ୍ଟ ହେବାର ଦିନକ ପୂର୍ବରୁ ବଣ୍ଟା ହେଲା ଫଳ ରସ

ଛାତ୍ରଛାତ୍ରୀ କୁଳପତିଙ୍କୁ ଘେରାଉ କରିଥିବା ବେଳେ ହଠାତ୍ କ୍ୟାମ୍ପସ୍‌ରେ ଲାଗିଥିଲା ଏକ ପିକ୍‌-ଅପ୍ ଭ୍ୟାନ୍। ସେଥିରେ ବସିଥିବା ଦୁଇଜଣ ଯୁବକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଆକ୍ବାରିଅସ୍ ପ୍ୟାକେଟ୍ ଫଳ ରସ ବାଣ୍ଟି ଚାଲିଥିଲେ। ଛାତ୍ରଛାତ୍ରୀମାନେ ମାଗଣାରେ ମିଳୁଥିବାରୁ ଏକସଙ୍ଗେ ଦୁଇ ତିନିଟା ପ୍ୟାକେଟ୍ ନେଇ ପିଇ ଚାଲିଥିଲେ। ଏତିକିବେଳେ କିଛି ଛାତ୍ର ଏହି ପ୍ୟାକେଟ୍‌ ଫଳ ରସର ଏକ୍ସପାରି ଡେଟ୍ ଚାଲି ଯାଇଛି ବୋଲି ଅଭିଯୋଗ କରିଥିଲେ। କିନ୍ତୁ ଅନ୍ୟ ଛାତ୍ରଛାତ୍ରୀ ଏହାକୁ ଭ୍ରୂକ୍ଷେପ ନକରି ମାଗଣାରେ ମିଳୁଥିବା ଫଳ ରସ ପିଇ ଚାଲିଥିଲେ। ଏହି ପ୍ୟାକେଟ୍ ଫଳ ରସ ୧୮ଏପ୍ରିଲ, ୨୦୧୯ରେ ପ୍ରସ୍ତୁତ ହୋଇଥିବା ବେଳେ ଏହାର ଏକ୍ସପାରି ୫ ମାସରେ ସରିବ ବୋଲି ଲେଖା ଥିଲା। ୧୭ ସେପ୍ଟେମ୍ବର ପରେ ଏହି ଫଳ ରସ ବଜାରରେ ବିକ୍ରି ହୋଇପାରିବନି ବୋଲି କମ୍ପାନି କର୍ତ୍ତୃପକ୍ଷ ଜାଣିବା ପରେ ଏହାକୁ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବଣ୍ଟାଯାଉଥିବା ହଲ୍ଲା ହୋଇଥିଲା। ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ଗାଡ଼ି କ୍ୟାମ୍ପସ ଛାଡ଼ି ପଳାଇଥିଲା।

ଡିସିପି କହିଲେ ‘ସରି’
ଆନ୍ଦୋଳନ ଚାଲିଥିବା ‌ବେଳେ ଛାତ୍ରୀମାନଙ୍କୁ ପୁଲିସ ଅଧିକାରୀ ଟଣାଓଟରା କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ କାହିଁକି ଟଣାଓଟରା କଲା? ଉକ୍ତ ଅଧିକାରୀ ଜଣକ ଭୁଲ୍‌ ମାଗିବାକୁ ଛାତ୍ରୀମାନେ ଦାବି କରିଥିଲେ। କିନ୍ତୁ କେହି ଶୁଣି ନଥିଲେ। ‌ଯେଉଁଥିପାଇଁ କୁଳପତିଙ୍କ ପ୍ରତିଶ୍ରୁତି ପରେ ବି ଛାତ୍ରୀମାନେ ଆନ୍ଦୋଳନରୁ ହଟି ନଥିଲେ। ଏହାପରେ ଭୁବନେଶ୍ବର ଡିସିପି ଅନୁପ ସାହୁ ଛାତ୍ରୀମାନଙ୍କ ସହ ଆଲୋଚନା କରିବା ସହ ଭୁବ‌ନେଶ୍ବର ପୁଲିସର ମୁଖ୍ୟ ଭାବେ ମୁଁ ‘ସରି’ କହୁଛି ବୋଲି କହିଥିଲେ।

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧିଦଳ
ଅପରାହ୍‌ଣରେ ଆନ୍ଦୋଳନରୁ ଓହରିଥିଲେ ମଧ୍ୟ ସନ୍ଧ୍ୟାରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ଭେଟିଥିଲେ। ଏଥିରେ ଛାତ୍ର ବିଜେଡି, ଏବିଭିପି ଓ ଛାତ୍ର କଂଗ୍ରେସର ୧୫ଜଣ ସଦସ୍ୟ ରହିଥିଲେ। କୁଳପତିଙ୍କ ମନମାନି ସମେତ ବାଣୀବିହାରର ବିକାଶ କିଭଳି ଭୁଶୁଡ଼ୁଛି ସେନେଇ ମନ୍ତ୍ରୀ ଓ ସଚିବଙ୍କୁ ଅବଗତ କରାଇଥିଲେ। ସମସ୍ୟାଗୁଡ଼ିକ ସମ୍ପର୍କରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ଚାଲିଥିଲା। ମନ୍ତ୍ରୀ ଶ୍ରୀ ସାହୁ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ବିକାଶ କାର୍ଯ୍ୟର ତର୍ଜମା ହେବ। ହଷ୍ଟେଲ ମରାମତି, ପିଲାଙ୍କୁ ଭଲ ଖାଦ୍ୟ, ଇ-ଲାଇବ୍ରେରି କାର୍ଯ୍ୟକ୍ଷମ ଆଦି ବିଷୟରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ।

ଋଷା ଓ ବିଶ୍ବବ୍ୟାଙ୍କ ସଂଯୋଜକଙ୍କୁ ବଦଳାଯାଉ
ଋଷା ଫଣ୍ଡ୍‌ ଓ ବିଶ୍ବବ୍ୟାଙ୍କ ଫଣ୍ଡ୍‌ରେ ବ୍ୟାପକ ଅନିୟମିତତା ହେଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। କୁଳପତି ପ୍ରଫେସର ପଟ୍ଟନାୟକ ନିଜ ଅନୁଗତମାନଙ୍କୁ ଉକ୍ତ ଦୁଇ ଫଣ୍ଡ୍‌ର ସଂଯୋଜକ ଭାବେ ନିଯୁକ୍ତ ଦେଇଛନ୍ତି। ଅଭିଜ୍ଞ ତଥା ବରିଷ୍ଠ ପ୍ରଫେସରଙ୍କୁ ଅଣଦେଖା କରାଯାଇ କନିଷ୍ଠମାନଙ୍କୁ ସଂଯୋଜକ କରାଯାଇଛି। ଯେଉଁଥିପାଇଁ ପ୍ରଚୁର ଟଙ୍କା ଏପଟସେପଟ ହେଉଛି। ଓଡ଼ିଶା ବାହାରର ସଂସ୍ଥାକୁ କ୍ୟାମ୍ପସ୍‌ରେ କାମ କରିବାକୁ ସୁଯୋଗ ଦିଆଯାଉଛି। ବିନା ଟେଣ୍ଡରରେ କେତେକ କାର୍ଯ୍ୟ ଚାଲିଛି। ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର