ବିପିୟୁଟି ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରଛାତ୍ରୀଙ୍କ ହଙ୍ଗାମା

କୁଳପତିଙ୍କ ବାସଭବନରେ ଭଙ୍ଗାରୁଜା

ଭୁବନେଶ୍ୱର: ପରୀକ୍ଷା ତାରିଖ ଘୁଞ୍ଚାଇବା ଦାବିରେ ଆଜି ସନ୍ଧ୍ୟାରେ ଅଲ୍‌ ଓଡ଼ିଶା ବିପିୟୁଟି ଷ୍ଟୁଡେଣ୍ଟ୍‌ସ ଆସୋସିଏସନ୍‌ (ଏଓବିଏସ୍‌ଏ) ନେତୃତ୍ୱରେ ବିପିୟୁଟି ଛାତ୍ରଛାତ୍ରୀମାନେ ବିଭାଗୀୟ ମନ୍ତ୍ରୀ ଉଷା ଦେବୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୬ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଅକ୍ଟୋବର ୩୦ରେ କରିବା ନିମନ୍ତେ ନୋଟିସ୍‌ ଦିଆଯାଇଛି। ଏହାସହ ରେଗୁଲାର୍‌ ଓ ବ୍ୟାକ୍‌ପେପର ପରୀକ୍ଷା ମଧ୍ୟରେ ଗ୍ୟାପ୍‌ ନ ଥିବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଏପରି ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାଯାଇଛି। ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ସହ ବୈଷୟିକ ସଚିବ ତଥା ବିପିୟୁଟିର କାମଚଳା କୁଳପତି ସଞ୍ଜୟ ସିଂଙ୍କ ସହିତ ଫୋନ୍‌ରେ ଏ ବିଷୟରେ ଆଲୋଚନା କରିଥିଲେ। ତେବେ ବୁଧବାର ସଚିବାଳୟରେ ସଚିବଙ୍କ ସହ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧିମଣ୍ଡଳୀ ଏ ସମ୍ପର୍କରେ ଆଲୋଚନା କରିବା ନିମନ୍ତେ ମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏଓବିଏସ୍‌ଏର ସଭାପତି ଅକ୍ଳାନ୍ତ ଦାସ, ଅଙ୍କିତ ମହାପାତ୍ର, ଆକାଶ ଦାସ, ଶୁଭମ୍‌ ମହାନ୍ତି ପ୍ରମୁଖ ଆଜିର ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

ସେହିପରି ଅନ୍ୟ ଏକ ଘଟଣାକ୍ରମରେ ବିପିୟୁଟିର କିଛି ଛାତ୍ର ବୈଷୟିକ ସଚିବ ତଥା ବିପିୟୁଟିର କାମଚଳା ଭିସି ସଞ୍ଜୟ ସିଂଙ୍କ ଫରେଷ୍ଟ ପାର୍କ ଅଞ୍ଚଳରେ ଥିବା ସରକାରୀ ବାସଭବନ ସମ୍ମୁଖରେ ହଙ୍ଗାମା କରିଛନ୍ତି। ସଚିବଙ୍କ ବିରୋଧରେ ନାରାବାଜି କରିବା ସହ ଘର ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଛାତ୍ରଛାତ୍ରୀମାନେ ଗେଟ୍‌ରେ ଲାଗିଥିବା ନେମ୍‌ପ୍ଲେଟକୁ ଭଙ୍ଗାରୁଜା କରିବାରୁ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୁଲିସ ଲାଠିଚାର୍ଜ କରିଥିଲା। ଏଥିରେ ୫ଜଣ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଥିବା ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ଭଙ୍ଗାରୁଜା କରିଥିବା ୬ ଛାତ୍ରଙ୍କୁ ପୁଲିସ ଅଟକ ରଖିଛି। ଏହି ଘଟଣାର ତଦନ୍ତ କରାଯାଇ ଦୋଷୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି। ତେବେ ଏହାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବୈଷୟିକ ସଚିବଙ୍କ ଘର ଆଗରେ ପୁଲିସ ମୁତୟନ କରାଯାଇଛି।
ତେବେ ମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦେଇଥିବା ସଙ୍ଗଠନର କର୍ମକର୍ତ୍ତାମାନେ ସଚିବଙ୍କ ବାସଭବନରେ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। ମାତ୍ର ଏହାକୁ ଏଓବିଏସ୍‌ଏ ପକ୍ଷରୁ ଖଣ୍ଡନ କରାଯାଇଛି। ସଙ୍ଗଠନର କର୍ମକର୍ତ୍ତାମାନେ କେବଳ ମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିଥିବା ସଙ୍ଗଠନର ସଭାପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର