ଫେସ୍‌ବୁକ୍‌ ନ୍ୟୁଜ୍‌ ସର୍ଭିସ୍‌ର ଆଲୋଚନାଚକ୍ର : ଓଡ଼ିଆ ସ୍ୱାଭିମାନୀ ହେଲେ ଓଡ଼ିଶା ଆଗେଇବ

ଭୁବନେଶ୍ୱର :ଫେସ୍‌ବୁକ୍‌ ନ୍ୟୁଜ୍‌ ସର୍ଭିସ୍‌ (ଏଫ୍‌ବିଏନ୍‌ଏସ୍‌) ପକ୍ଷରୁ ଜୟଦେବ ଭବନରେ ‘ଆଗେଇଲେ ଓଡ଼ିଆ, ଆଗେଇବ ଓଡ଼ିଶା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ପ୍ରଥମଥର ଲାଗି ଏଫ୍‌ବିଏନ୍‌ଏସ୍‌ ଦ୍ୱାରା ଆଜି ଏହି ଆଲୋଚନାଚକ୍ରରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ବରିଷ୍ଠ ନେତା ସାମିଲ ହୋଇ ପ୍ରତ୍ୟେକ ଓଡ଼ିଆ ସ୍ୱାଭିମାନୀ ହେଲେ ଓଡ଼ିଶା ଆଗେଇବ ବୋଲି ମତବ୍ୟକ୍ତ କରିଥିଲେ।

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦାମୋଦର ରାଉତ ଯୋଗଦେଇ କହିଲେ, ଓଡ଼ିଆ ଆଗଉଛନ୍ତି। କିନ୍ତୁ ଓଡ଼ିଶା ପଛଉଛି। ସ୍ୱାଭିମାନୀ ବ୍ୟକ୍ତିଙ୍କ ସଂଖ୍ୟା ସମାଜରୁ କମୁଥିବା ବେଳେ ତୋଷାମତ କରିବାର ମାନସିକତା ବଢ଼ୁଛି। ଗତ ୬୮ ବର୍ଷରେ ଓଡ଼ିଶାର ବିକାଶ ହୋଇଛି। କିନ୍ତୁ ଯାହା ହେବା କଥା ହୋଇନି। ଭାଗଚାଷୀମାନେ ଜମି ମାଲିକଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଅମଲାଙ୍କୁ ଛାଡ଼ି ନେତାମାନେ କିଛି କରିପାରୁ ନାହାନ୍ତି। ଏବେ ସମୟ ଆସିଛି ବର୍ତମାନରେ ଛିଡ଼ା ହୋଇ ଅତୀତକୁ ମନେ ପକାଇ ଭବିଷ୍ୟତକୁ ଯିବାକୁ ପଡ଼ିବ।

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ, ଓଡ଼ିଶା ଆଗେଇ ପାରୁନି। ଚାଷୀଙ୍କ ଅର୍ଥିକ ସ୍ଥିତିରେ ସୁଧାର ଆସୁନି। ୨୦ରୁ ୨୫ ବର୍ଷ ତଳେ ସିଭିଲ୍‌ ସର୍ଭିସ ପରୀକ୍ଷାରେ ଓଡ଼ିଶାର ୧୦% ଛାତ୍ରଛାତ୍ରୀ ସଫଳତା ହାସଲ କରୁଥିଲେ। ଏବେ କିନ୍ତୁ ଏକ ପ୍ରତିଶତ ବି ପାଉନାହାନ୍ତି। ପୁରାତନ ଶିଳ୍ପଗୁଡ଼ିକ ଅଚଳ ହୋଇପଡ଼ୁଛି। ତାହାର ପୁନରୁଦ୍ଧାର କରାଯାଉ ନାହିଁ। ମହାନଦୀ ଶୁଖିଯିବା ପରେ ଏବେ ସରକାରଙ୍କ ନିଦ ଭାଙ୍ଗୁଛି। ଏବେ ଯଦି ଟ୍ରିବ୍ୟୁନାଲ ଗଠନ ହେଉଛି ନ୍ୟାୟ ମିଳିବାକୁ କେତେ ବର୍ଷ ଲାଗିବ ତାହା ସମୟ ହିଁ କହିବ। ସୁବର୍ଣ୍ଣରେଖା ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ଆଗେଇପାରୁ ନାହିଁ। ଏଭଳି ସ୍ଥିତି ଜାରି ରହିଲେ ଓଡ଼ିଶା କିଭଳି ଆଗେଇବ ବୋଲି ସେ ପ୍ରଶ୍ନ କରିଥିଲେ।

ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ କହିଲେ ଭାଷା ଭିତରେ ସ୍ୱାଭିମାନ ରହିଛି। ଦୀର୍ଘ ବର୍ଷ ପରେ ଭାଷା ଆଇନ ପ୍ରଚଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ ଯେଉଁମାନେ ତାହାକୁ ପରିଚାଳନା କରିବେ ସେମାନେ ପ୍ରଥମେ ଠିକ୍‌ ଭାବେ ବୁଝିବା ଦରକାର। ଭାଷା, ସଂସ୍କୃୃତି, ସାହିତ୍ୟ ବିନା ଗୋଟିଏ ଜାତି ଆଗେଇବନି। ଯେପର୍ଯ୍ୟନ୍ତ ଜାତି ଜାଗ୍ରତ ନ ହୋଇଛି ସେପର୍ଯ୍ୟନ୍ତ ଓଡ଼ିଶା ଆଗେଇବ ନାହିଁ ବୋଲି ସେ କହିଥିଲେ।

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ‘ସମ୍ବାଦ’ର ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, ତାପସ ଦାସଙ୍କ ସମେତ ସୌଭାଗ୍ୟ ପରିଡ଼ା, ମୌସୁମୀ ମହାନ୍ତି, ସରୋଜ ସାହୁ, ମୁକେଶ ପରିଡ଼ା, ମନୋରଞ୍ଜନ ମହାନ୍ତି, କିଶନ ବରାଇ, ଲେନିନ ମଲ୍ଲିକ, ଲୋକପ୍ରିୟ ମୁଖପାତ୍ର ଭାବେ ତେଜେସ୍ୱର ପରିଡ଼ାଙ୍କୁ ସମ୍ବର୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ରାମଚଣ୍ଡୀ ପ୍ରସାଦ ରଣସିଂହ, ବିନାୟକ ଦାଶ, ସଂଜୀବ ପତ୍ରୀ, ରାଜେଶ ନାୟକ, ଦେବାଶିଷ ଖଡ଼େଙ୍ଗା ଏବଂ ପ୍ରକାଶ ଭୂୟାଁ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର