ଆୟୁର୍ବେଦିକ ଚିକିତ୍ସାଳୟକୁ ମୁହଁ ମୋଡ଼ୁଛନ୍ତି ରୋଗୀ

ଉପଯୁକ୍ତ ଚିକିତ୍ସାର ଅଭାବ ଓ ଚିକିତ୍ସା ଦର ବୃଦ୍ଧି ମୁଖ୍ୟ କାରଣ

ଭୁବନେଶ୍ୱର: ରାଜଧାନୀରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟକୁ ରୋଗୀ ଧୀରେ ଧୀରେ ମୁହଁ ମୋଡ଼ିବାକୁ ଆରମ୍ଭ କଲେଣି। ୪୩ ଶଯ୍ୟା ବିଶିଷ୍ଟ ଏହି ଚିକିତ୍ସାଳୟରେ ଅଧିକାଂଶ ଶଯ୍ୟା ଖାଲି ପଡ଼ିଛି। ଚିକିତ୍ସାଳୟରେ ଆବଶ୍ୟକ ଚିକିତ୍ସା ମିଳୁ ନ ଥିବା ଓ ଏହି ଚିକିତ୍ସା ପାଇଁ ଧାର୍ଯ୍ୟ ଦର ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି ଅଭିଯୋଗ ହେଉଛି। ଯାହାଫଳରେ ଆୟୁର୍ବେଦିକ ଚିକିତ୍ସାର ଲୋକପ୍ରିୟତା ଉପରେ ଏହାର ପ୍ରଭାବ ପଡ଼ିବାକୁ ଆରମ୍ଭ କରିଛି। ୧୯୭୦ରେ ରାଜଧାନୀରେ ସ୍ଥାପିତ ହୋଇଥିଲା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ଏହା ଏକ ରେଫେରାଲ ହସ୍ପିଟାଲ। ବହିର୍ବିଭାଗରେ ଚର୍ମ ରୋଗ, କେଶ ସମସ୍ୟା, ପୁରୁଣା ରୋଗ ଓ ଅନ୍ୟାନ୍ୟ ରୋଗର ଚିିକିତ୍ସା କରାଯାଉଛି। ତେବେ ଚିକିତ୍ସାଳୟରେ ପଞ୍ଚକର୍ମ ଚିକିତ୍ସା ଆରମ୍ଭ ହେବା ପରେ ଏହାର ଲୋକପ୍ରିୟତା ବଢ଼ିବାକୁ ଆରମ୍ଭ କରିଥିଲା। ବାତ, ପକ୍ଷାଘାତ ଓ ଅପସ୍ମାରରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟରେ ୪୩ଶଯ୍ୟା ନିର୍ମାଣ କରାଯାଇଛି। ଏଥିରେ ୮ଟି ଲେଖାଏଁ ଶଯ୍ୟା ପଞ୍ଚକର୍ମ ଓ ସନ୍ଧିବାତ ପାଇଁ ସଂରକ୍ଷିତ ରଖାଯାଇଛି। ଏହାସହ ୪ଟି ସ୍ୱତନ୍ତ୍ର କ୍ୟାବିନ୍‌ ମଧ୍ୟ ନିର୍ମାଣ କରାଯାଇଛି। ତେବେ କିଛିବର୍ଷ ହେବ ଆୟୁର୍ବେଦିକ ଚିକିତ୍ସାଳୟ ପ୍ରତି ଲୋକ ମୁହଁ ମୋଡ଼ିବାକୁ ଆରମ୍ଭ କରିଛନ୍ତି। ଯାହାଫଳରେ ଚିକିତ୍ସାଳୟରେ ଯେତିକି ଶଯ୍ୟା ରହିଛି ତହିଁରୁ ୭୦/୮୦ପ୍ରତିଶତ ଶଯ୍ୟା ଖାଲି ପଡ଼ୁଛି। କେବଳ ବହିର୍ବିଭାଗରେ ରୋଗୀଙ୍କ ଉପରେ ନିର୍ଭର କରି ଚିକିତ୍ସାଳୟ ଚାଲିଛି।
ରୋଗୀଙ୍କ ଅଭିଯୋଗ ଅନୁସାରେ, ପଞ୍ଚକର୍ମରେ ଯେଉଁ ଚିକିତ୍ସା ମିଳିବା କଥା ତାହା ମିଳୁନାହିଁ। ଫଳରେ ଘରୋଇ ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଯେଉଁ ଚିକିତ୍ସା ମିଳୁଛି ତାହାର ଦର ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ପୂର୍ବରୁ ଚିକିତ୍ସାଳୟରେ ଆଡମିଟ ହେଉଥିବା ରୋଗୀଙ୍କୁ ସପ୍ତାହ ପର୍ଯ୍ୟନ୍ତ ମାଗଣା ସେକ ଓ ୧୫ଦିନ ପର୍ଯ୍ୟନ୍ତ ମାଗଣା ବ୍ୟାୟାମ ଦିଆଯାଉଥିବା ବେଳେ ଏବେ ଏଥିପାଇଁ ଅର୍ଥ ଦେବାକୁ ପଡ଼ୁଛି। ଚିକିତ୍ସାଳୟ ଏବେ ଏକ ପ୍ରକାର ମସାଜ ସେଣ୍ଟର୍‌ରେ ପରିଣତ ହୋଇଥିବା ରୋଗୀମାନେ ଅଭିଯୋଗ କରିଛନ୍ତି। ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଉପ-ଅଧୀକ୍ଷକ ଡା.ଚିତ୍ତରଂଜନ ରାୟଗୁରୁ କହିଛନ୍ତି, ରୋଗୀଙ୍କୁ ଡାକ୍ତରଖାନାକୁ ଡକାଯାଇ ପାରିବ ନାହିଁ। ପଞ୍ଚକର୍ମରେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଦିଆଯାଉଛି। ତେବେ ଏଠାରେ ଯେଉଁ ଚିକିତ୍ସା ସୁବିଧା ଉପଲବ୍ଧ ହେଉନାହିଁ ରୋଗୀମାନେ ସେସବୁ ଚିକିତ୍ସା ପାଇଁ ଦାବି କରିଥାଇ ପାରନ୍ତି। ଏବେ ୪/୫ଟି ନୂତନ ଚିକିତ୍ସା ପ୍ରଦାନ କରିବା ପାଇଁ ଆଲୋଚନା ହୋଇଛି। ଏହା କାର୍ଯ୍ୟକାରୀ ହେଲେ ରୋଗୀଙ୍କୁ ଆହୁରି ଅନେକ ସୁବିଧା ମିଳିପାରିବ ବୋଲି ଡା.ରାୟଗୁରୁ କହିଛନ୍ତି।

ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟରେ ୫ ନୂଆ ଚିକିତ୍ସା
ଭୁବନେଶ୍ୱର: ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟରେ ୫ଟି ନୂତନ ଚିକିତ୍ସା ଆରମ୍ଭ ହେବ। ରୋଗୀଙ୍କ ଚାହିଦାକୁ ନଜରରେ ରଖି ଚିକିତ୍ସାଳୟ କର୍ତୃପକ୍ଷ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ଏବେ ଚିକିତ୍ସାଳୟରେ ୨୫ ପ୍ରକାରର ଚିକିତ୍ସା କରାଯାଉଥିବା ବେଳେ ଏହି ସଂଖ୍ୟା ୩୦ରେ ପହଞ୍ଚିବ ବୋଲି କୁହାଯାଉଛି। ଆଜି ଚିକିତ୍ସାଳୟରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଏପରି ଆଲୋଚନା ହୋଇଥିଲା। ମେଦବହୁଳ ରୋଗୀଙ୍କ ପାଇଁ ଉଦ୍‌ବର୍ତନ ଚିକିତ୍ସା, ଆଖି ପାଇଁ ନେତ୍ର ତର୍ପଣ, ପିଚୁ ଧାରଣ, ସ୍ତ୍ରୀ ଓ ପ୍ରସୂତି ରୋଗୀଙ୍କ ପାଇଁ ଦୁଇ ପ୍ରକାର ଚିକିତ୍ସା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ଏସବୁ ଚିକିତ୍ସା ପାଇଁ କେତେ ଟଙ୍କା ଧାର୍ଯ୍ୟ କରାଯିବ, ଏଥିପାଇଁ କେତେ ପରିମାଣର ଔଷଧ ଖର୍ଚ ହେବ ଓ ବେସରକାରୀ ସଂସ୍ଥାରେ ଏଥିପାଇଁ କେତେ ଟଙ୍କା ଦେବାକୁ ହେଉଛି, ଏସବୁର ଏକ ସବିଶେଷ ତଥ୍ୟ ପ୍ରସ୍ତୁତ କରିବା ପାଇଁ ଚିକିତ୍ସାଳୟ କର୍ତୃପକ୍ଷଙ୍କୁ କୁହାଯାଇଛି। ଏହାପରେ ସୋସାଇଟି ଓ ସାଧାରଣ ପରିଷଦ ବୈଠକରେ ଏହାକୁ ପାରିତ କରାଯିବା ପରେ ଚିକିତ୍ସାଳୟରେ କାର୍ଯ୍ୟକାରୀ ହେବ। ସେହିପରି ଚିକିତ୍ସାଳୟରେ ଏବେ ପଞ୍ଚକର୍ମ ଚିକିତ୍ସାଠାରୁ ଆରମ୍ଭ କରି କ୍ୟାବିନ୍‌ ସେବା ପର୍ଯ୍ୟନ୍ତ ରୋଗୀମାନଙ୍କଠାରୁ ଟଙ୍କା ଆଦାୟ କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଲୋପ୍ୟାଥିକ ଡାକ୍ତରଖାନାରେ ରେଜିଷ୍ଟ୍ରେସନ୍‌ ଫି’ଠାରୁ ଆରମ୍ଭ କରି ୟୁଜର୍ସ ଫି’ ପାଇଁ ଟଙ୍କା ଆଦାୟ କରାଯାଉନାହିଁ। ତେଣୁ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟରେ ଏହି ୟୁଜର୍ସ ଫି’ ଆଦାୟ କରାଯିବ କି ନାହିଁ, ତାହା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ତେବେ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦେଶ ଆସି ନ ଥିବାରୁ ରାଜ୍ୟ ଆୟୁଷ ନିର୍ଦେଶାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ଆସିବା ପରେ ୟୁଜର୍ସ ଫି’ ଆଦାୟ ନେଇ ନିଷ୍ପତ୍ତି ନିଆଯିବ ବୋଲି ଚିକିତ୍ସାଳୟର ଉପ-ଅଧୀକ୍ଷକ ଡା.ସି.ରାୟଗୁରୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର