୧୦୮ ଆମ୍ବୁଲାନ୍‌ସ କଣ୍ଟ୍ରୋଲ ରୁମ୍‌କୁ ଘାରିଛି ହୋକ୍ସ୍‍ କଲ୍‌ ଚିନ୍ତା

ମ୍ୟାଡାମ୍‌ ଭାତ ଫୁଟିଲାଣି... ଗାଳି ବି ନା ରଖିବି ?

ଭୁବନେଶ୍ୱର: (ମହିଳା)୧୦୮ ଆମ୍ବୁଲାନ୍‌ସ ସେବା… ମ୍ୟାଡାମ୍‌ ଭାତ ଟା ଫୁଟି ଆଇଲାଣି… ଗାଳି ବି ନା ରଖିବି…। ଆଜ୍ଞା… ଭାତ ବସେଇଛି ଯେ, ଭାତଟା ଫୁଟୁଚି… ଗାଳି ବି ନା ସେମିତି ଥିବ..। ଗାଳିବା ବୋଲି କୁହନ୍ତି ନି….ଗାଳିବା ମାନେ କ’ଣ?। ଏମ୍‌ରଜେନ୍‌ସି ଲାଇନ୍‌କୁ କାହିଁକି ବ୍ୟସ୍ତ ରଖୁଛନ୍ତି..??

(ମହିଳା) ୧୦୮ ଆମ୍ବୁଲାନ୍‌ସ ସେବା…. (୨/୩ଥର ଚୁମ୍ବନର ଶବ୍ଦ)… ଆଜ୍ଞା ଶୁଣି ପାରୁଛନ୍ତି… ହଁ ହଁ। ଆଜ୍ଞା ସାର… ଆସନ୍ତୁ..। ପେସେଣ୍ଟଙ୍କ କ’ଣ ହେଇଛି… ଜାଗମରା ଆସିଲେ ଦେଖିବ ନା…ଆଜ୍ଞା… ଗାଡ଼ିଟା ପଠାଅ.. ପଠେଇଲେ ଦେଖିବନି…।

ବେଶ୍‌ କିଛି ମାସର ବ୍ୟବଧାନ ପରେ ପୁଣିଥରେ ୧୦୮ ଆମ୍ବୁଲାନ୍‌ସ କଣ୍ଟ୍ରୋଲ ରୁମ୍‌କୁ ପୁଣିଥରେ ଘାରିଛି ହୋକ୍ସ କଲ୍‌ ଚିନ୍ତା। ଏହିଭଳି ଅନେକ ହୋକ୍ସ୍‍ କଲ ୧୦୮ ଆମ୍ବୁଲାନ୍‌ସର କଣ୍ଟ୍ରୋଲ ରୁମ୍‌କୁ ଆସୁଛି। କଣ୍ଟ୍ରୋଲ ରୁମ୍‌ ପାଇଁ କୌଣସି ଶୁଳ୍କ ପଡ଼ୁ ନ ଥିବା ବେଳେ ଏଭଳି ଅନେକ ଅଜବ ଓ ଅଦରକାରୀ ପ୍ରଶ୍ନ କର୍ମଚାରୀଙ୍କୁ ପଚାରୁଛନ୍ତି। ସକାଳ ୭ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଏଭଳି ହୋକ୍ସ୍‍ କଲ ୧୦୮ ଆମ୍ବୁଲାନ୍‌ସ କଣ୍ଟ୍ରୋଲ ରୁମ୍‌କୁ ଆସୁଛି। କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି ଏଭଳି ଗପିବା କିଛି ଲୋକଙ୍କ ପାଇଁ ଏହା ଏକପ୍ରକାର ମଉଜ ପାଲଟିଯାଇଛି। ୧୦୮ ଆମ୍ବୁଲାନ୍‌ସ ଏକ ଜରୁରୀକାଳୀନ ସେବା ହୋଇଥିବା ବେଳେ ଅଯଥାରେ ଏଭଳି କଲ୍‌ ଆସିବା କର୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ମହିଳା କର୍ମଚାରୀ ଫୋନ୍‌ ଉଠାଇବା ପରେ ଆରମ୍ଭ ହୋଇଯାଉଛି ଏଭଳି କଥାବାର୍ତା। ଏପରିକି ଅନେକ ଆଶ୍ରାବ୍ୟ ଭାଷାରେ ମହିଳା କର୍ମଚାରୀଙ୍କ ସହିତ କଥାବାର୍ତା କରୁଛନ୍ତି। ଏପରିକି କିଛି ଛୋଟ ପିଲା କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି ଖାଲି ହସୁଛନ୍ତି। ଅନେକ ସମୟରେ ଫୋନ୍‌ କରି ଯେଉଁ ସ୍ଥାନକୁ ୧୦୮ ଆମ୍ବୁଲାନ୍‌ସକୁ ଡାକୁଛନ୍ତି ସେଠାରେ ସେଭଳି କୌଣସି ଦୁର୍ଘଟଣା କିମ୍ବା ଆହତ ବ୍ୟକ୍ତି ମିଳୁ ନାହାନ୍ତି। କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରିଥିବା ବ୍ୟକ୍ତିଙ୍କ ମୋବାଇଲ ନମ୍ବର ସୁଇଚ ଅଫ୍‌ ହୋଇଯାଇଛି। ଗତ କିଛିଦିନ ଭିତରେ ଗୋଟିଏ ମୋବାଇଲ ନମ୍ବରରୁ ୩ହଜାର ଥର ଓ ଅନ୍ୟ ଗୋଟିଏ ନମ୍ବରରୁ ୧୮ଶହ ଥର ଫୋନ୍‌ ଆସଛି। ଏ ନେଇ ୧୦୮ ଆମ୍ବୁଲାନ୍‌ସ କର୍ତୃପକ୍ଷ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ନମ୍ବର ଦୁଇଟି ସୁଇଚ୍‌ ଅଫ୍‌ ହୋଇଯାଇଥିବା ସୂଚନା ମିଳିଛି।

୧୦୮ ଆମ୍ବୁଲାନ୍‌ସ କଣ୍ଟ୍ରୋଲ ରୁମ୍‌କୁ ଏଭଳି ହୋକ୍ସ କଲ୍‌ ଆସିବା ନୂଆ କଥା ନୁହେଁ। ସେବା ଆରମ୍ଭ ହେବାର କିଛି ମାସ ପରେ ଏଭଳି କଲ୍‌ ଆସିବା ଆରମ୍ଭ ହୋଇଯାଇଥିଲା। କିଏ ଷଣ୍ଢର ଗୋଡ଼ ଭାଙ୍ଗି ଯାଇଛି ଗାଡ଼ି ପଠାଇବାକୁ ଫୋନ୍‌ କରିଥିଲା ତ ଆଉ କିଛି ମହିଳା ଫୋନ୍‌ କରି ପୁରୁଷ କର୍ମଚାରୀଙ୍କ ସହିତ ପ୍ରେମାଳାପ କରିବାକୁ ଚେଷ୍ଟା କରିଥିଲେ। ଏଥିରେ ବିରକ୍ତ ହୋଇ ୧୦୮ ଆମ୍ବୁଲାନ୍‌ସ କର୍ତୃପକ୍ଷ ଥାନାରେ ଏତଲା ଦେବା ପରେ ବେଶ୍‌ କିଛି ମାସ ପାଇଁ ଏଭଳି କଲ୍‌ ଆସିବା ବନ୍ଦ ହୋଇଯାଇଥିଲା। ସେ ସମୟରେ ଅଭିଯୋଗ ଅନୁଯାୟୀ, ୨୦୧୫ ଏପ୍ରିଲ ୧ରୁ ନଭେମ୍ବର ୩୦ତାରିଖ ମଧ୍ୟରେ ୭୫୫୦ଟି ହୋକ୍ସ କଲ ଆସିଛି। ସେଥିରେ ଗୋଟିଏ ନମ୍ବରରୁ ୨୪୫୦ଥର କଲ ରହିଥିବା ବେଳେ ଅନ୍ୟ ଏକ ମୋବାଇଲ ନମ୍ବରରୁ ୨୧୦୦ କଲ ଆସିଥିଲା। କେବଳ ୧୦୮ ଆମ୍ବୁଲାନ୍‌ସ କଣ୍ଟ୍ରୋଲ ରୁମ୍‌ ନୁହେଁ ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ଥିବା ୧୦୨ ଆମ୍ବୁଲାନ୍‌ସ କଣ୍ଟ୍ରୋଲ ରୁମ୍‌ ମଧ୍ୟରୁ ଏଥିରୁ ବାଦ୍‌ ପଡ଼ିନାହିଁ।

୧୦୮ ଆମ୍ବୁଲାନ୍‌ସର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ମହିଳା କର୍ମଚାରୀଙ୍କୁ ବିଶେଷଭାବେ କିଛି ଅସାମାଜିକ ବ୍ୟକ୍ତି ହଇରାଣ କରୁଛନ୍ତି। ୧୦୮ ଆମ୍ବୁଲାନ୍‌ସ ଏକ ଜରୁରୀ ସେବା ହୋଇଥିବାରୁ କୌଣସି ମୋବାଇଲ ନମ୍ବରକୁ ସହଜରେ ବ୍ଲକ୍‌ କରାଯାଉ ନାହିଁ। ଏହାସତ୍ୱେ କିଛି ଲୋକ ଏହାକୁ ଖରାପ ଢଙ୍ଗରେ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ତେବେ ମାତ୍ରାଧିକ ଅଯଥା କଲ୍‌ ଆସିଲେ ସେ ନମ୍ବରକୁ ବ୍ଲକ୍‌ କରି ଦିଆଯାଉଛି। ଗତ କିଛିଦିନ ମଧ୍ୟରେ ଜାଗମରା ଅଞ୍ଚଳରୁ କହୁଥିବା ଜଣେ ବ୍ୟକ୍ତି ଗୋଟିଏ ନମ୍ବରରୁ ୩ହଜାରରୁ ଅଧିକ ଥର କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରିଥିଲେ। ସହିଦ ନଗର ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ସେ ନମ୍ବରଟି ସୁଇପ୍‌ ଅଫ୍‌ ରହିଛି। ପୂର୍ବରୁ ଏଭଳି କଲ୍‌ ଆସିବା ପରେ ସହିଦ ନଗର ଥାନାରେ ଅଭିଯୋଗ ଦିଆଯାଇଥିଲା। ପରେ ଏଭଳି କଲ୍‌ ଆସିବା ବନ୍ଦ ହୋଇଯାଇଥିଲା ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର