ସ୍ପେନ୍‌ର ମୌରିସିଓଙ୍କୁ ଫକୀର ମୋହନ ସାରସ୍ବତ ସମ୍ମାନ

ଭୁବନେଶ୍ବର : ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦ ପକ୍ଷରୁ ଡ.ଦାଶ ଫାଉଣ୍ଡେସନ୍‌ (ୟୁଏସ୍‌ଏ) ସହଯୋଗରେ ଆଜି ସ୍ଥାନୀୟ ଇଡ୍‌କଲ୍‌ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଛି ‘ଫକୀ‌ର ମୋହନ ସାରସ୍ବତ ସମ୍ମାନ’ କାର୍ଯ୍ୟକ୍ରମ। ଏହି ଅବସରରେ ଫକୀରମୋହନଙ୍କ ସାହିତ୍ୟକୁ ‌ସ୍ପାନିସ୍‌ ଓ ଇଂରାଜୀ ଭାଷାରେ ଅନୁବାଦ କରିଥିବା ସ୍ପେନ୍‌ର ଲେଖକ ତଥା ଅନୁବାଦକ ପ୍ରଫେସର ମୌରିସିଓ ଡି ଆଗୁଇଲେରା ଲିଣ୍ଡେଙ୍କୁ ପ୍ରଥମ ଫକୀର ମୋହନ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଛି। ବ୍ୟାସକବିଙ୍କ ସାହିତ୍ୟକୁ ଦେଶ ବାହାରେ ପ୍ରଚାର ପ୍ରସାର ପାଇଁ ୨୦ ହଜାର ଟଙ୍କାର ଅର୍ଥରାଶି ସହ ତାଙ୍କୁ ସମ୍ମାନିତ କରାଯାଇଛି।

ପ୍ରଫେସର ଆଗୁଇଲେରା ଲିଣ୍ଡେ ସମ୍ମାନ ପ୍ରାପ୍ତି ଅବସରରେ କହିଲେ, ମୁଁ ବ୍ୟାସକବିଙ୍କ ଗଳ୍ପରେ ଆଞ୍ଚଳିକ କଥିତ ଭାଷାକୁ ହୁଏତ ସୁନ୍ଦର ଭାବେ ଉପସ୍ଥାପନ କରିପାରିନାହିଁ କିନ୍ତୁ ଭାବକୁ ବ୍ୟକ୍ତ କରିବାକୁ ଯଥାସାଧ୍ୟ ଉଦ୍ୟମ କରିଛି। ଏଥିପାଇଁ ଉତ୍କଳ ବିଶ୍ବବିଦ୍ୟାଳୟର କିଛି ପ୍ରଫେସରଙ୍କ ସମେତ ଅନ୍ୟ ବିଶ୍ବବିଦ୍ୟାଳୟର ପ୍ରଫେସରଙ୍କଠାରୁ ପ୍ରତି ଶବ୍ଦକୁ ବୁଝି ଲେଖିଛି। ଏଥିପାଇଁ ମତେ ଧୈର୍ଯ୍ୟ ଧରି ଅନ୍ୟମାନେ ସହଯୋଗ କରିଥିବାରୁ, ଭାଷା ବୁଝାଇଥିବାରୁ କୃତଜ୍ଞତା ଜଣାଇଥିଲେ। ବିଶେଷକରି ସେ ମୌଳିକ ଓଡ଼ିଆ କାହାଣୀ ପ୍ରେମରେ ପଡ଼ିଯାଇଥିବା ବେଳେ ଅନୁବାଦ ଜାରି ରଖିଥିବା କହିଛନ୍ତି। ଅନୁବାଦ ହିଁ ଗୋଟେ ଜାତିର ସଂସ୍କୃତି ଓ ସୃଷ୍ଟିର ଗାରିମାକୁ ସୁଦୂରପ୍ରସାରୀ କରିପାରିବ ବୋଲି ସେ କହିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରି କହିଲେ, ଫକୀରମୋହନ ଥିଲେ ସରସ୍ବତୀଙ୍କ ବରପୁତ୍ର। ଏବେ ହୁଏତ ଆମେ ସ୍ମାର୍ଟ ସିଟି କଥା କହୁଛେ। ମାତ୍ର ସେତେବେଳେ ଫକୀରମୋହନ ତାଙ୍କ ସାହିତ୍ୟରେ ପ୍ରତ୍ୟେକ ଗାଁ ସ୍ମାର୍ଟ ହେବା କଥା କହିଥିଲେ। ସମାଜ ସଂସ୍କାରର କଥାକୁ ଉତ୍ଥାପନ କରିଥିଲେ। ବିଶିଷ୍ଟ ଔପନ୍ୟାସିକା ପଦ୍ମଶ୍ରୀ ପ୍ରତିଭା ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଅନୁବାଦ ସାଂସ୍କୃତିକ ସଂହତି ସ୍ଥାପନ କରିବାରେ ସହାୟକ ହୁଏ। ଅନୁବାଦ କରିବା ଅର୍ଥ ଖାଲି ଗୋଟେ ଭାଷାରୁ ଅନ୍ୟ ଭାଷାକୁ ନୁହେଁ, ବରଂ ଏହା ଏକ ନିର୍ଦିଷ୍ଟ ସଂସ୍କୃତିର ପରିପ୍ରକାଶ ମଧ୍ୟ। ବିଶିଷ୍ଟ କବି ହରପ୍ରସାଦ ଦାସ, ବ୍ୟାସକବିଙ୍କ ଭାଷା ବିନ୍ୟାସ ସମ୍ବନ୍ଧରେ ଆଲୋକପାତ କରିବା ସହ ପ୍ରଫେସର ଆଗୁଇଲେରାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ସଂସଦର ସଭାପତି କାର୍ତିକେଶ୍ବର ପାତ୍ର ଅଧ୍ୟକ୍ଷତା କରିଥିଲେ।ଫକୀରମ‌ୋହନଙ୍କ ସାହିତ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ଡ.ଦାଶ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଡ.ଶୀତକଣ୍ଠ ଦାଶ। ସଂସଦର କାର୍ଯ୍ୟକାରୀ ସଭାପତି ଗୋପୀନାଥ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସମ୍ପାଦକ ବିରାଜ ମୋହନ ଦାସ। ପ୍ରାରମ୍ଭରେ ଦେବେନ୍ଦ୍ର କୁମାର ଦାସ ଜଗନ୍ନାଥ ଧ୍ୟାନ ମନ୍ତ୍ର ପାଠ କରିଥିଲେ।

ସମ୍ବନ୍ଧିତ ଖବର