ଔଷଧ ଅଭାବ : କୁକୁର ବନ୍ଧ୍ୟାକରଣ ବନ୍ଦ

କର୍ମଚାରୀଙ୍କ ଅଭାବ ଅନ୍ୟତମ ପ୍ରମୁଖ କାରଣ, ନିର୍ବାଚନ ଆଚରଣ ସଂହିତା ଯୋଗୁଁ ହୋଇପାରୁନି ଟେଣ୍ଡର

ଭୁବନେଶ୍ବର : ଗତ ୧୫ଦିନ ହେବ ରାଜଧାନୀରେ କୁକୁର ବନ୍ଧ୍ୟାକରଣ ବନ୍ଦ ହୋଇଯାଇଛି। ଗତ ଆର୍ଥିକ ବର୍ଷରେ ବନ୍ଧ୍ୟାକରଣ ପାଇଁ କିଣା ଯାଇଥିବା ଔଷଧ ଶେଷ ହୋଇଯିବା ଓ କମର୍ଚାରୀଙ୍କ ଅଭାବ ଏହାର ପ୍ରମୁଖ କାରଣ। ଏଭଳି ପରିସ୍ଥିତିରେ ରାଜଧାନୀରେ ପ୍ରତି ମାସ ପାଇଁ ରହିଥିବା କୁକୁର ବନ୍ଧ୍ୟାକରଣ ଲକ୍ଷ୍ୟ ବିଫଳ ହୋଇଛି। ତେଣୁ ବନ୍ଧ୍ୟାକରଣ ପୁନର୍ବାର ଆରମ୍ଭ ହେବାକୁ ଆହୁରି କିଛି ଦିନ ଲାଗିବ ବୋଲି କୁହାଯାଉଛି।

ରାଜଧାନୀର ପ୍ରତି ରାସ୍ତା, ୱାର୍ଡ ଓ ଗଳିରେ ମାଳମାଳ ବୁଲା କୁକୁରଙ୍କୁ ଦେଖିବାକୁ ମିଳୁଛି। ମର୍ଣ୍ଣିଂ ୱାକ୍‌ ହେଉ ବା ରାସ୍ତାରେ ଚାଲି ଯାଉଥିବା ଲୋକଙ୍କୁ କାମୁଡ଼ିବାକୁ ଗୋଡ଼ାଉଛନ୍ତି। ଏପରିକି ଗାଡ଼ିରେ ଯାଉଥିବା ଲୋକଙ୍କୁ ମଧ୍ୟ ଗୋଡ଼ାଉଛନ୍ତି। ରାତିରେ କୁକୁରଙ୍କ ଦୌରାତ୍ମ୍ୟ ସୀମା ଲଂଘୁଛି। ରାଜଧାନୀରେ କୁକୁର ବଂଶର ନିୟନ୍ତ୍ରଣ ପାଇଁ ବନ୍ଧ୍ୟାକରଣ ଜାରି ରହିଛି। ସହିଦ ନଗରସ୍ଥିତ ଉପଖଣ୍ଡସ୍ତରୀୟ ପ୍ରାଣୀ ଚିକିତ୍ସାଳୟ ପରିସରରେ କୁକୁରଙ୍କ ବନ୍ଧ୍ୟାକରଣ ହେଉଛି। ଚିକିତ୍ସାଳୟ ପରିସରରେ ୪ଟି ଟେବୁଲ ରହିଛି। ୧୨୦ କୁକୁରଙ୍କ ବନ୍ଧ୍ୟାକରଣ ପାଇଁ କେନେଲ୍ ରହିଥିବା ବେଳେ ପ୍ରତି ମାସରେ ୨ଶହ ବନ୍ଧ୍ୟାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ଆବଶ୍ୟକ ପଡ଼ୁଥିବା ଔଷଧ ଶେଷ ହୋଇଯାଇଛି। କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ଟିଟି, ଆନେସ୍ଥେସିଆ, ସାଲାଇନ୍, ଆଣ୍ଟି ବାଇଓଟିକ୍ ଆବଶ୍ୟକ ହୋଇଥାଏ। ୨୦୧୮/୧୯ ଆର୍ଥିକ ବର୍ଷ ପାଇଁ ଯେତିକି ପରିମାଣର ଔଷଧ କିଣାଯାଇଥିଲା, ତାହା ଶେଷ ହୋଇଯିବା ପରେ ଏହାକୁ କିଣିବାରେ ସମସ୍ୟା ସୃଷ୍ଟି ହୋଇଛି। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଔଷଧ କିଣା ପାଇଁ ଟେଣ୍ଡର ପ୍ରକ୍ରିୟାକୁ ନେଇ ପରବର୍ତୀ ସମୟରେ କାଳେ ପ୍ରଶ୍ନବାଚୀ ସୃଷ୍ଟି ହେବ, ତାହା ଅଧିକାରୀଙ୍କୁ ଚିନ୍ତାରେ ପକାଇଛି।

ରାଜଧାନୀ‌ରେ ଏବେ ୪୧ ହଜାରରୁ ଅଧିକ ବୁଲା କୁକୁର ରହିଥିବା ପ୍ରାଣୀ ଚିକିତ୍ସା ବିଭାଗ ଅନୁମାନ କରୁଛି। ପ୍ରତିବର୍ଷ ଏଥିରେ ୧୦ ପ୍ରତିଶତ ବୃଦ୍ଧି ହୋଇଥାଏ। ୨୦୧୮/୧୯ରେ ୧୮ଶହ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ‌ମାତ୍ର ୯୫୦ କୁକୁରଙ୍କ ବନ୍ଧ୍ୟାକରଣ ହୋଇପାରିଛି। ତେବେ ୨୦୧୯/୨୦ରେ ୬ହଜାର କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ରାଜଧାନୀରେ ୩୯ହଜାର ୨୧୫ ବୁଲା କୁକୁର ରହିଥିବା ଅନୁମାନ କରାଯାଉଛି। ଯଦି ଏହି ଅନୁପାତରେ ବନ୍ଧ୍ୟାକରଣ ଜାରି ରହେ, ତେବେ ୨୦୨୮/୨୯ ସୁଦ୍ଧା ରାଜ୍ୟରେ ୨୮୪୨ ବୁଲା କୁକୁର ରହିଥିବେ ବୋଲି ବିଭାଗ ଆଶା କରୁଛି। କିନ୍ତୁ ଏହି ସଂଖ୍ୟାକୁ ହାସଲ କରିବାକୁ ହେଲେ ବିଭାଗକୁ ପ୍ରତିବର୍ଷ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ବନ୍ଧ୍ୟାକରଣ କରିବାକୁ ହେବ। ଏଥିରେ କର୍ମଚାରୀଙ୍କ ଅଭାବ ପ୍ରମୁଖ ସମସ୍ୟା ପାଲଟିଛି। ବନ୍ଧ୍ୟାକରଣ ପାଇଁ ୪ଟି ଟେବୁଲ ଥିବା ବେଳେ ଏଥିପାଇଁ ୨ଜଣ ପ୍ରାଣୀ ଚିକିତ୍ସକ ରହିଛନ୍ତି। ଫଳରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରୁନାହିଁ।

ପ୍ରାଣୀ ଚିକିତ୍ସା ବିଭାଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ପ୍ରାଣୀ ଜନ୍ମ ନିୟନ୍ତ୍ରଣ ବା ଏବିସି ପାଇଁ ଗତ ଆର୍ଥିକ ବର୍ଷରେ କିଣା ଯାଇଥିବା ଔଷଧ ଶେଷ ହୋଇଯାଇଛି। ତେଣୁ ବନ୍ଧ୍ୟାକରଣ କିଛି ଦିନ ହେବ ବନ୍ଦ ରହିଛି। ଆବଶ୍ୟକ ଔଷଧ ବ୍ୟବସ୍ଥା କରିବା ପାଇଁ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନିର୍ବାଚନ ଯୋଗୁଁ ଆଚରଣ ସଂହିତା ଲାଗୁ ହୋଇଥିବାରୁ ଔଷଧ କିଣିବା ପାଇଁ ନିର୍ବାଚନ କମିସନଙ୍କ ଅନୁମତି ନେବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଏହି ପ୍ରକ୍ରିୟା ଶେଷ ହେବା ପାଇଁ ସମୟ ଲାଗିବ ବୋଲି ଆଲୋଚନା ହୋଇଥିଲା। ୫୦ଟି କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ଆବଶ୍ୟକ ଔଷଧ କିଣିବାକୁ ବିଭାଗୀୟ ଅଧିକାରୀଙ୍କ କ୍ଷମତା ରହିଛି। ଏହାକୁ ଦୃଷ୍ଟିରେ ରଖି ଖୋଲା ଟେଣ୍ଡର ନ କରି ବଜାରରୁ ଔଷଧ କିଣିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ବୈଷୟିକ କମିଟି ଅନୁମତି ଦେବା ପରେ ଔଷଧ କିଣାଯିବ। ଆସନ୍ତା ୧୦ ତାରିଖ ପରେ ପୁନର୍ବାର ବନ୍ଧ୍ୟାକରଣ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଏଭଳି ଢଙ୍ଗରେ ମାସକୁ ୨ଶହ କୁକୁରଙ୍କ ବନ୍ଧ୍ୟାକରଣ କରାଯିବ।

ବନ୍ଧ୍ୟାକରଣ ପାଇଁ ଆସୁଥିବା କୁକୁରଙ୍କୁ ୫ଦିନ କେନେଲରେ ରଖାଯାଏ। ପରେ ଏହାକୁ ସଫା ରଖିବା ପାଇଁ ୧୦ଦିନ ପର୍ଯ୍ୟନ୍ତ ଖାଲି ରଖାଯାଇଥାଏ। ବନ୍ଧ୍ୟାକରଣ ପାଇଁ କର୍ମଚାରୀଙ୍କ ଅଭାବ ମଧ୍ୟ ପ୍ରମୁଖ କାରଣ। ଚିକିତ୍ସାଳୟରେ ୨ଜଣ ଡାକ୍ତର ଡିପ୍ଲୋଏମେଣ୍ଟରେ ଆସି ଅସ୍ତ୍ରୋପଚାର କରୁଛନ୍ତି। ୪ଜଣ ଡାକ୍ତରଙ୍କ ନିଯୁକ୍ତି ପାଇଁ ବିଏମ୍‌ସି ପକ୍ଷରୁ ୨ମାସ ହେବ ପ୍ରକ୍ରିୟା ଶେଷ ହୋଇଛି। ମାତ୍ର ଡାକ୍ତରଙ୍କ ନିଯୁକ୍ତି ହୋଇପାରି ନାହିଁ। ଅତି କମ୍‌ରେ ଯଦି ୪ଜଣ ଡାକ୍ତର ବନ୍ଧ୍ୟାକରଣରେ ସାମିଲ ହୁଅନ୍ତି ତେବେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରିବ। କେନେଲର କ୍ଷମତାକୁ ୪ଶହ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ବ୍ୟବସ୍ଥା ହୋଇଛି। ନିର୍ବାଚନ ଶେଷ ହେବା ପରେ ଏହି କେନେଲ୍‌ର ଉଦ୍‌ଘାଟନ ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର