ପଚାରୁନି ପ୍ରଶାସନ…

୨୮ଦିନର ଯାଆଁଳା ଛୁଆଙ୍କୁ ‌ଧରି କେମିତି ବଞ୍ଚୁଛି ଦେଖିବ ଆସ...

0

ଭୁବନେଶ୍ବର: ସରକାରୀ ବାବୁମାନେ ସବୁଆଡ଼େ ଗଲେ। ଭଙ୍ଗାଘର ଦେଖି ଲେଖିକି ନେଲେ। ହେଲେ ଆମ ବସ୍ତିରେ କାହାର ପାଦ ପଡ଼ିଲାନି। ଶୁଣିଲୁ ୨ହଜାର ଟଙ୍କା ଆଉ ଚାଉଳ ଦେଉଥିଲେ। ସେତକ ଛାଡ଼, ପଲିଥିନ୍‌ ଖଣ୍ଡେ ବି ମିଳିଲାନାହିଁ। ଖୋଲାମେଲାରେ ପଲିଥିନ୍‌ ଖଣ୍ଡେ ଭାରା ଦେଇ ରଖିଛୁ ବୋଲି ଖରାରୁ ସିନା ତ୍ରାହି ମିଳିଛି କିନ୍ତୁ ଗରମରୁ ନୁହେଁ। ଏଥିରେ ୨୮ଦିନର ଯାଆଁଳା ପିଲାଙ୍କୁ ନେଇ କେମିତି ଜୀବନ କଟୁଥିବ ତାହା ଅଙ୍ଗେ ନିଭାଉଥିବା ମୋ ଭଳି ହତଭାଗା ହିଁ ଜାଣେ ବୋଲି କହିଛନ୍ତି ପଳାସୁଣୀ ଦୁର୍ଗାମଣ୍ଡପ ବସ୍ତିର ମହମ୍ମଦ ଆକାଶ। ସମ୍ପୃକ୍ତ ବସ୍ତିରେ ଶହେରୁ ଊର୍ଧ୍ବ ଲୋକ ବସବାସ କରୁଛନ୍ତି। ସମସ୍ତ ବାସିନ୍ଦା ଖେଳଣା ବେପାରୀ। ମେଳା ମହୋତ୍ସବ ଓ ବଜାରମାନଙ୍କରେ ଖେଳଣା ବିକ୍ରି କରି ଏମାନେ ଗୁଜୁରାଣ ମେଣ୍ଟାନ୍ତି। ତେବେ ଗତ ବାତ୍ୟାରେ ସେମାନଙ୍କ ଜରି କୁଡ଼ିଆ ଉଜୁଡ଼ିଯିବା ପରେ ଜୀବନଟା ଯେମିତି ତାଙ୍କର ଦୁର୍ବିସହ ହୋଇପଡ଼ିଛି। ବାତ୍ୟାକୁ ୨୨ଦିନ ବିତିଲାଣି। ହେଲେ ପ୍ରଶାସନ ଏମାନଙ୍କ ନିକଟରେ ପହଞ୍ଚି ପାରିନାହିଁ। ଏକ ଚୁଆ ଖୋଳି ସେଇଥିରେ ଗାଧୁଆ ପାଧୁଆ ଓ ଅନ୍ୟ କାର୍ଯ୍ୟରେ ପାଣି ସାରୁଛନ୍ତି। ତେଣୁ ଅନେକ ଚର୍ମ ରୋଗରେ ପୀଡ଼ିତ ହେଉଛନ୍ତି। ବାତ୍ୟା ବେଳେ ଯେବେ ପାଣି ସଙ୍କଟ ଥିଲା ସେତେବେଳେ ଏହି ଚୁଆ ପାଣି ହିଁ ସେମାନଙ୍କ ଶୋଷ ମେଣ୍ଟାଉଥିଲା। ଏହା ଛଡ଼ା ଆଉ କିଛି ଉପାୟ ହିଁ ନଥିଲା ବୋଲି କହିଛନ୍ତି ମହମ୍ମଦ ମୁଦ୍ଦିନ୍‌।

ଏବେ ବି ଝାଟି ମାଟି ପଲିଥିନ୍‌ ଘେରା କୁଡ଼ିଆ ମୁହଁ ମାଡ଼ି ପଡ଼ିଛି। ବଡ଼ ଗଛଟେ ଥିଲା ବୋଲି ଗରମକୁ କିଛି ମାତ୍ରାରେ ସମ୍ଭାଳି ହେଉଥିଲା। ଏବେ କିନ୍ତୁ ଅସହ୍ୟ ଖରା ଓ ସରୀସୃପଙ୍କ ଆତଯାତ ଭିତରେ ଖୋଲାମେଲାରେ ଛଟପଟ ଜୀବନ ଜୀଇଁବାକୁ ପଡ଼ୁଛି। ସଂଜ ନଇଁଲେ ଅବସ୍ଥା ଆହୁରି ସଙ୍ଗିନ ହେଉଛି। ମହମ୍ମଦ ମୁଦ୍ଦିନ୍‌ଙ୍କ କହିବା ଅନୁଯାୟୀ, ବାତ୍ୟା ପରଠୁ ଖେଳଣା ବେପାର ବିଲ୍‌କୁଲ ନାହିଁ। ରୋଜଗାର ନଥିବା ବେଳେ ଏବେ କିଛି ସ୍ବେଚ୍ଛାସେବୀ ସଂସ୍ଥାର ହାତ ଟେକା ହିଁ ସେମାନଙ୍କ ପାଇଁ ଭରସା ପାଲଟିଛି। ସେମାନଙ୍କର ଦୁଃଖ ଏତିକି ଯେ, ଅଧିକାଂଶଙ୍କର ପରିଚୟପତ୍ର ଏହି ଅଞ୍ଚଳର ନୁହେଁ। ବୋଧେ ସେଇଥି ପାଇଁ ଏଯାଏଁ କୌଣସି ନେତା ଆସି ସେମାନଙ୍କ ପାଖରେ ଠିଆ ହୋଇ ଆହା ପଦେ କହିନାହାନ୍ତି। ପ୍ରାୟ ୩୦ ବର୍ଷ ତଳୁ ଉତ୍ତରପ୍ରଦେଶର ଆଜମଗଡ଼ ଅଞ୍ଚଳରୁ ଅନେକ ଆସି ଏହି ବସ୍ତିରେ ବସତି ସ୍ଥାପନ କରିଥିଲେ। ଖେଳଣା ବିକ୍ରି କରିବା ସେମାନଙ୍କର ମୁଖ୍ୟ ପେସା। କିନ୍ତୁ ବାତ୍ୟା ପରେ ଯେ ସେମାନେ ନିଜେ ପ୍ରଶାସନ ପାଇଁ ଅଦରକାରୀ ଖେଳଣା ପାଲଟିଯି‌େବ‌ ସେକଥା ଜାଣିନଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.