ବିଦ୍ୟୁତ ଆଘାତରେ କୃଷକ ସାଥୀଙ୍କ ମୃତ୍ୟୁ, ନଖରା-ନିଆଳି ରାସ୍ତାରେ ପାଞ୍ଚ ଘଣ୍ଟା ରାସ୍ତାରୋକ

ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ଆମେଣାକୁଦ କାଣ୍ତିସାହିର କୃଷକ ସାଥୀ ଛବି ଭୋଇ(୩୯)ଙ୍କ ଆଜି ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ଭୋର୍‌ରେ ଆଖୁ ବିଲକୁ ପାଣି ମଡ଼େଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଡେରି ପର୍ଯ୍ୟନ୍ତ ଛବି ଘରକୁ ନ ଫେରିବାରୁ ସାନଭାଇ ତାଙ୍କୁ ଖୋଜିବାକୁ ଯାଇଥିଲେ। ଛବିଙ୍କ ଶବ କ୍ଷେତରେ ପଡ଼ିଥିବା ଦେଖିବାକୁ ପାଇବା ପରେ ଘଟଣା ପଦାକୁ ଆସିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଛବିଙ୍କ ଶବକୁ ନଖରା-ନିଆଳି ରାସ୍ତାରେ ରଖି ରାସ୍ତାରୋକ କରିଥିଲେ। ଦିନ ପ୍ରାୟ ସାଢ଼େ ଗୋଟାଏରୁ ସନ୍ଧ୍ୟା ସାଢ଼େ ଛଅଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହେବାରୁ ଏହି ବାଟ ଦେଇ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକ ନାହିଁ ନଥିବା ହଇରାଣ ହୋଇଥିଲେ। ତେବେ ପାଞ୍ଚ ଘଣ୍ଟା ଧରି ରାସ୍ତାରୋକ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲା। ରେଡକ୍ରସ୍‌ ପାଣ୍ଠି ଓ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ମୃତକଙ୍କ ପରିବାରଆର୍ଥିକ ସହାୟତା ପ୍ରଦାନ କରିବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର