ଧୋଇନେଲା ଅଦିନିଆ ବର୍ଷା

ଚାଷୀ ମୁହଁରୁ ହସ ଛଡ଼େଇ ନେଇଛି ଅଦିନିଆ ବର୍ଷା। ଏମିତି ମାଡ଼ି ଆସିଲା ଯେ ଧାନ କାଟିବା ପାଇଁ ଫୁର୍‌ସତ୍‌ ମିଳିଲାନି। ଆଉ ଏବେ କିଏ ବିକଳରେ ପାଣିରୁ ଧାନ ଛାଣି ପକାଉଛି, ଆଉ କାହାର ଧାନଗଛ ପାଣିରେ ଭିଜିଯାଇଛି। ଖୋଦ୍‌ ରାଜଧାନୀ ଉପକଣ୍ଠରେ ଚାଷୀ ଉପରେ ପଡ଼ିଛି ଏଭଳି ଚଡ଼କ…
ପ୍ରସ୍ତୁତି: କେଶବ ପାଣି, ଫଟୋ: ବିଭୂତି
ସହାୟତା: ହେମନ୍ତ ଦାସ (ବାଲିପାଟଣା), ନିରଞ୍ଜନ ସେନାପତି (ବାଲିଅନ୍ତା)

ଦୁଇ ମାସ ହେଲା ଚାଷୀ ଯୁଝୁଛି ବିଲରେ। ଯେଉଁ ଗହୀର ଦେଖିବ, ସବୁଠି ସମାନ ଅବସ୍ଥା। ପ୍ରଥମେ ଚକଡ଼ା ପୋକର ପ୍ରାଦୁର୍ଭାବ, ଆଉ ଏବେ ଅଦିନିଆ ବର୍ଷା। ଚାଷୀର ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଲାଣି। ଗତ ନଭେମ୍ବର ମାସ ଦ୍ୱିତୀୟ ସପ୍ତାହରେ ଲଘୁଚାପ ବର୍ଷାରେ ବି ଫସଲ ନଷ୍ଟ ହୋଇଯାଇଥିଲା। ଆଉ ଯେତିକି ବଞ୍ଚି ଯାଇଥିଲା ତାହା ଗତ ଦୁଇ ଦିନର ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଛି। ହେକ୍ଟର ହେକ୍ଟର ଧାନ ଜମିରେ ଏବେ ପାଣି ଲହଡ଼ି ଭାଙ୍ଗୁଛି। ଯେଉଁ ସମୟରେ ଚାଷୀ ଧାନ ଅମଳ କରି ଘରକୁ ଆଣିବା କଥା ସେତିକି ବେଳେ ଅଦିନିଆ ବର୍ଷା ଓ ପବନ ମାଡ଼ରେ ସବୁ କିଛି ଖିନ୍‌ଭିନ୍‌ ହୋଇଯାଇଛି। କାହାକୁ ଦୋଷ ଦେଇପାରୁନି ଚାଷୀ। ଭାଗ୍ୟ ଓ ଭଗବାନଙ୍କୁ ନିନ୍ଦୁଛି ଓ ଚାଷ କ୍ଷତି ବଖାଣିବା ବେଳକୁ ତା ଆଖି ଦୁଇ କଡ଼ରେ ଲୁହ ଜକେଇ ଯାଉଛି।

ସବୁଠୁୁ ଅଧିକ ଚିନ୍ତାରେ ପଡ଼ିଛନ୍ତି ଋଣ ଆଣିଥିବା ଚାଷୀ। ୪ରୁ ୫ ଏକର ଜମିରେ ଚାଷ କରିବା ଲାଗି ସମବାୟ ବ୍ୟାଙ୍କରୁ ଋଣ ଆଣିଥିଲେ। ଏବେ ତାକୁ କିଭଳି ସୁଝିବେ ସେଇ ଚିନ୍ତାରେ ପଡ଼ିଛନ୍ତି। ବାଲିଅନ୍ତା ବ୍ଲକ ପୂରଣ ପ୍ରଧାନ ପଞ୍ଚାୟତ ବୁଦ୍ଧିପଡ଼ା ଗ୍ରାମର ଚାଷୀ ମଦନ ଜେନାଙ୍କ କହିବାନୁଯାୟୀ ସେ ଏବର୍ଷ ୩ ଏକର ଜମିରେ ଧାନ ଚାଷ କରିଥିଲେ। ଏଥିପାଇଁ କୃଷି ସମବାୟ ସମିତିରୁ ୧୦ ହଜାର ଟଙ୍କା ଋଣ ଆଣିଥିଲେ। ଗତ ମାସ ବର୍ଷାରେ ଫସଲ କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା। ଯାହା ବି କିଛି ବଞ୍ଚି ରହିଥିଲା ତାହାକୁ ସାଇତି ରଖିବା ଲାଗି ଚେଷ୍ଟା କରିବା ସମୟରେ ଏବେ ପୁଣିଥରେ ଅଦିନିଆ ବର୍ଷା ସବୁ କିଛି ଖାଇଦେଲା। ପାଚିଲା ଧାନ ଅମଳ କରିବାକୁ ସମୟ ମିଳିଲାନି। ଏବେ ଋଣ କିଭଳି ସୁଝିବି ଜାଣିପାରୁନି।

କେତେକ ଚାଷୀ ପ୍ରଶାସନର ଅପରାଗତାକୁ ଦୋଷ ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଲଘୁଚାପ ବର୍ଷାର ଦୁଇ ଦିନ ଆଗରୁ ଆମକୁ କ୍ଷେତରୁ ଧାନ ନେଇଆସିବାକୁ କୁହାଗଲା। ଆମେ କ’ଣ ମେସିନ୍‌ ଯେ ୪୮ ଘଣ୍ଟାରେ ୫ ଏକର ଜମିର ଧାନ ସେଇନେ କାଟିଦେବୁ। ଯେଉଁମାନେ ଅଧେ କି ଗୋଟେ ଏକର ଜମିରେ ଚାଷ କରିଥିଲେ ସେମାନେ ସିନା ଧାନ କାଟି ନେଇଗଲେ, ଆମ ପରି ଚାଷୀ କେମିତି ଧାନ କାଟିଥାନ୍ତେ ବୋଲି ପ୍ରତିକ୍ରିୟାରେ କହିଛନ୍ତି। ବର୍ଷା ହେବା ନେଇ ଯଦି କିଛିଦିନ ପୂର୍ବରୁ ସୂଚନା ଦିଆଯାଇଥାନ୍ତା ତେବେ ଆମେ ଫସଲ ଅମଳ କରିପାରିଥାନ୍ତୁ। ସତର୍କ ପାଇଁ ଘୋଷଣା କରିଦେଲେ କିଛି ହେବନି। ଫସଲ କିଭଳି ଜମିରୁ ଅମଳ ହୋଇ ଘରକୁ ଆସିବ ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ଥିଲା।
ଅଦିନିଆ ବର୍ଷା କାରଣରୁ କିଛି ଜମିରେ ଧାନ ଫସଲ ଏଭଳି ନଷ୍ଟ ହୋଇଛି ଯେ ଚାଷୀ ଜମିକୁ ଆସୁନି। ଗତ ମାସରେ ହୋଇଥିବା ପ୍ରଥମ ଲଘୁଚାପ ବର୍ଷାରେ ଯେଉଁ ଧାନ ପଡ଼ିଯାଇଥିଲା ତାହା ଉପରେ ପାଣି ମାଡ଼ିଯାଇଛି। ସେଥିରୁ ବି ପୁଣି ଗଛ ଉଠିଗଲାଣି। ଏନେଇ କେତେକ ଚାଷୀ ପରିବାର କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, କାହିଁକି ଆଉ ଜମିକୁ ଯିବୁ। ସବୁ ତ ଉଜୁଡ଼ିଗଲାଣି। ଆଉ କ’ଣ ଅଛି? ଚକଡ଼ାରେ ତ ଅଧା ଯାଇଥିଲା। ଯାହା ବର୍ତିଥିଲା ତାହା ଅଦିନିଆ ବର୍ଷା ଭସାଇ ନେଲା। ପାଣିରେ ପଡ଼ିଥିବା ଧାନ କଚଡ଼ାକୁ ଅମଳ କରିବା ପାଇଁଁ ଯେତିକି ଟଙ୍କା ଖର୍ଚ୍ଚ ହେବ ତା ବଦଳରେ ବର୍ଷ ସାରା ଚାଉଳ କିଣି ଖାଇବା ବରଂ ଭଲ ବୋଲି କହିଛନ୍ତି।

ଭାଗ ଚାଷୀଙ୍କ ସମସ୍ୟା ଆହୁରି ବିଷମ ହୋଇଛି। ଋଣ ଆଣି ମାଲିକ ଜମିରେ ଚାଷ କରିଥିଲେ। ଏବେ ତାକୁ କିଭଳି ସୁଝିବେ ତାହା ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଭୁବନେଶ୍ୱର ବ୍ଲକ ଅଧୀନ ଧଉଳି ପଞ୍ଚାୟତର ଚାଷୀ ମନୋହର ଭୋଇଙ୍କ କହିବାନୁଯାୟୀ ୩ରୁ ୪ ଏକର ଜମିରେ ଚାଷ କରିଛି। ଏକର ପିଛା ୪ରୁ ୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ତାହା ଏବେ କେମିତି ଉଠିବ ଜାଣିପାରୁନି। ଦୁଇ ଥର ଅଦିନିଆ ବର୍ଷାରେ ୪୦ ପ୍ରତିଶତ ଧାନ ନଷ୍ଟ ହୋଇଛି। ଯେତିକି ରହିଛି ସେଥିରୁ ଯାହା ଅମଳ ହେବ ସେଥିରୁ ମାଲିକର ଅଧା। ତେଣୁ ଆଉ କେତେ ଏମିତି ମିଳିବ ଯେ ପାଇବି ବୋଲି ସେ କହିଛନ୍ତି।

ଚାଷୀ ମୁଣ୍ଡରୁ ହାତ ଖସୁନି, ଆଖିରେ ଆଖିଏ ଲୁହ ଭାଗଚାଷୀଙ୍କ ମଧ୍ୟରେ ଭାଳେଣି

ବାହୁନୁଛନ୍ତି ବୈରାଗୀ

ମଧ୍ୟାହ୍ନ ୧୨ଟା ହେବ। ବଲିଅନ୍ତା ବ୍ଲକର ଜଶୁଆପୁର ରାସ୍ତାରେ ଯିବା ସମୟରେ ଦେଖିବାକୁ ମିଳିଥିଲା ଜଣେ ଚାଷୀ ଜମିରେ ଧାନ କଚଡ଼ାରୁ ପାଣି ଛଡ଼ାଉଛନ୍ତି। ତାଙ୍କ ନିକଟରେ ପହଞ୍ଚି କ’ଣ କରୁଛ ବୋଲି ପଚାରିଲୁ। ସଙ୍ଗେ ସଙ୍ଗେ ତାଙ୍କ ମୁହଁର ପରିଭାଷା ଦେଖି ହତ୍‌ବାକ ହୋଇଗଲୁ। କୋହଭରା କଣ୍ଠରେ ଚାଷୀ ବୈରାଗୀ ସ୍ୱାଇଁ କହିଲେ ଆଉ କ’ଣ ଅଛି ଯେ କହିବି? ଚକଡ଼ା ପୋକ ଅଧା ନେଇଥିଲା, ଯାହା କିଛି ବଞ୍ଚିଥିଲା ବର୍ଷା ଧୋଇନେଲା। ବର୍ଷା ଆସିବାର ତିନି ଦିନ ଆଗରୁ ସୂଚନା ଦିଆଗଲା। ମେସିନ୍‌ ଲଗାଇ ଧାନ ଅମଳ କରିବାକୁ ମୋ ପାଖରେ ପଇସା ନାହିଁ। ତରବର ହୋଇ ପରିବାର ଲୋକେ ମିଶି ହାତରେ ଧାନ କାଟିଲୁ। ତାହାକୁ ଖଳାକୁ ନେଇପାରିଲୁ ନାହିଁ। ବର୍ଷା ହେବାରୁ ବିଲରେ ପଡ଼ି ରହିଛି।

ବିହନ ରଖୁଛନ୍ତି ହାଉଡ଼ା ମଣ୍ଡଳ

ବାଲିପାଟଣା ବ୍ଲକ ମଧୁବନ ଗାଁର ହାଉଡ଼ା ମଣ୍ଡଳ ଏବର୍ଷ ୫ ଏକର ଜମିରେ ଧାନ ଚାଷ କରିଛନ୍ତି। ସେଥିରୁ ପ୍ରାୟ ୨ ଏକର ଜମିର ଧାନ ଖଳାକୁ ଆଣିଥିବା ବେଳେ ଆହୁରି ୩ ଏକର ଜମିରୁ ଧାନ କାଟିବାକୁ ରହିଛି। ଅଦିନିଆ ବର୍ଷା ପାଣି ଜମିରେ ମାଡ଼ିଯିବାରୁ ତାଙ୍କ ପକ୍ଷେ ଆଉ ଧାନ କାଟିବା ସମ୍ଭବପର ହେଉ ନାହିଁ। ଯେତିକି ଧାନ କାଟି ଖଳାକୁ ଆଣିଛନ୍ତି, ତାହା ଚାରିପାଖରେ ଏବେ ପାଣି ଜମା ହୋଇଛି। ସେଠାରେ ଧାନ ଅମଳ କରିବା ସମ୍ଭବପର ହେଉ ନ ଥିବାରୁ ବାଳକାଟି-ପିପିଲି ରାସ୍ତାରେ ଧାନ ଉଡ଼ାଇଥିଲେ। ଯେତିକି ଧାନ ଖଳାକୁ ଆଣିଛି ସେଥିରୁ ବିହନ ରଖିବାକୁ ପଡ଼ିବ ବୋଲି ସେ କହିଥିଲେ।

ପରିବା କିଆରିରେ ବି ପାଣି

ଧାନ ଉଜୁଡ଼ି ଯାଇଥିବା ବେଳେ ପନିପରିବା ଚାଷ ବି ବର୍ତି ନାହିଁ। ଦୁଇ ଦିନ ଲଗାଣ ବର୍ଷା ଯୋଗୁଁ ପରିବା କିଆରିରେ ପାଣି ଜମି ରହିଛି। ବାଲିଅନ୍ତା, ବାଲିପାଟଣା ବ୍ଲକର ପରିବା ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି। ପାଣି କାଢ଼ିପାରୁ ନାହାନ୍ତି। ହେଲେ କୁଆଖାଇ ଏବଂ ଦୟା ନଦୀ ପଠାରେ ପନିପରିବା ଚାଷ କରିଥିବା ଚାଷୀ କିଛିଟା ଆଶ୍ୱସ୍ତି ପାଇଛନ୍ତି। ଉପଯୁକ୍ତ ପ୍ରଣାଳୀରେ ଚାଷ କରିଥିବାରୁ ଜମିରେ ପାଣି ଜମି ରହିନି। ସରଦେଇପୁରର ଚାଷୀ ପ୍ରଭାକର ମହାନ୍ତି କହିଛନ୍ତି ଯେ ବର୍ଷା ଛାଡ଼ିଯିବାରୁ ରକ୍ଷା ମିଳିଛି। ଯଦି ଆଉ ଦୁଇ ଦିନ ଏଭଳି ବର୍ଷା ଲାଗିରହିଥାନ୍ତା ପରିବା ନଷ୍ଟ ହୋଇଥାନ୍ତା। ଆଗକୁ ଯଦି ବର୍ଷା ହୁଏ ତେବେ ବି ଫସଲ ନଷ୍ଟ ହେବ। ପୋକ ଲାଗିବାର ଆଶଙ୍କା ରହିଛି।

ବେପାରୀ ମାଲେ ମାଲ୍‌

କିଛି ଚାଷୀ ଆଜିଠାରୁ ଧାନ ଝଡ଼ା ମେସିନ୍‌ରେ ଅମଳ ଆରମ୍ଭ କରି ଦେଇଛନ୍ତି। ଏମିତିକି ମେସିନ୍‌ ପାଖରୁ ଧାନ ବିକିବା ଆରମ୍ଭ କରି ଦେଇଛନ୍ତି। ସରକାରୀ ମଣ୍ଡି ଆରମ୍ଭ ହୋଇ ନଥିଲେ ବି ବେପାରୀମାନଙ୍କୁ କମ୍‌ ଦାମ୍‌ରେ ବିକି ପକାଉଛନ୍ତି। ଚାଷୀମାନଙ୍କ ଏଭଳି ଦୁର୍ଦ୍ଦିନ ମଉକାରେ ବେପାରୀମାନେ ସେମାନଙ୍କଠାରୁ କମ୍‌ ଦାମରେ ଧାନ କିଣି ମାଲେମାଲ୍‌ ହେଉଛନ୍ତି। ଯାଁଳା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଅମଳରେ ଖର୍ଚ୍ଚ ହେଉଥିବା ଅଧିକ ଟଙ୍କା ପାଇଁ ଯାଁଳା ଅଞ୍ଚଳର ବହୁ ଚାଷୀ ଏଭଳି ପଦକ୍ଷେପ ନେଉଥିବା ଜଣାପଡ଼ିଛି। ବିଲରେ ପାଣିରେ ସଢ଼ୁଥିବା ଧାନ ସଂଗ୍ରହ କରିବାରେ ଏବେ ଅଧିକ ବ୍ୟୟ ହେଉଛି। ସରକାରୀ ମଣ୍ଡି ଖୋଲିବାକୁ ଆହୁରି ସମୟ ଅଛି। ମଣ୍ଡିକୁ ଅପେକ୍ଷା କଲାବେଳକୁ କାଦୁଅ ବିଲରେ ପଡ଼ିଥିବା ଧାନ ପୂରା ନଷ୍ଟ ହୋଇଯିବ। ତେଣୁ ବେପାରୀ କିଛି କମ ଦରରେ ଧାନ ନେଉ ପଛେ ନଗଦ ଟଙ୍କା ମିଳିଲେ ପାଣି କାଦୁଅରେ ଭିଜୁଥିବା ଧାନ ଅମଳ କରିହେବ ବୋଲି ସେମାନେ କହିଛନ୍ତି। ସୂଚନାନୁସାରେ ଯାଁଳାରେ ଅଞ୍ଚଳରେ ପ୍ରାୟ ଡଜନେ ଚାଷୀ କ୍ୱିଣ୍ଟାଲ ୧୨୫୦ ଟଙ୍କାରେ ଧାନ ବିକି ସାରିଲେଣି। ମଣ୍ଡିରେ ବିକିଥିଲେ ୧୪୫୦ ଟଙ୍କା ମିଳିଥାଆନ୍ତା। କିନ୍ତୁ କ୍ଷତି ହେଉଥିବା ୨ ଶହ ଟଙ୍କାକୁ ଚାହିଁଲେ ପାଣି କାଦୁଅରେ ହଜାର ହଜାର ଟଙ୍କାର ଧାନ ସଢ଼ି ଥାଆନ୍ତା ବୋଲି ସେମାନେ କହୁଛନ୍ତି।

ସେମାନଙ୍କ ମୁହଁରୁ…

ଖାଲ ଜମିରେ ଆଣ୍ଠୁଏ ପାଣି
ଦେଢ଼ ଏକର ଜମିରେ ଧାନ ଚାଷ କରିଥିଲୁ। ଅଧାରୁ ଅଧିକ ନଷ୍ଟ ହୋଇଯାଇଛି। ଖାଲ ଜମି ହୋଇଥିବାରୁ ଧାନ ଗଛ ଉପରେ ଆଣ୍ଟୁଏ ପାଣି। ତଳି ରୋଇବା ସମୟରେ ବର୍ଷା ଦେଖା ନ ଥିଲା। ବୋରିଂରୁ ପାଣି ମଡ଼ାଇ ଧାନ ରୋଇଥିଲୁ। ଏବେ ଅମଳ ବେଳକୁ ଅଦିନିଆ ବର୍ଷା ବର୍ଷକ ଯାକର ଦାନା ଧୋଇନେଲା।
ବେଙ୍ଗ ଭୋଇ, ଗଡ଼ଶ୍ରୀରାମପୁର

ସବୁ ଧାନ ଖଳାକୁ ଆଣିପାରିଲୁନି

ଯେତିକି ଜମିରେ ଚାଷ ହୋଇଛି, ତିନି ଦିନରେ ଅମଳ କରିହେବନି। ତରବର ହୋଇ ଅଧା ଜମିରୁ ଧାନ କାଟି ଦେଇଥିଲୁ। ତାହାକୁ ଖଳାକୁ ଆଣିବା ସମ୍ଭବପର ହେଲା ନାହିଁ। ଦୁଇ ଏକର ଜମିର ଧାନ ଖଳାରେ ଜମା କରି ପାଲ ଘୋଡ଼ାଇଛି। ଆଉ ଗୋଟିଏ ଏକରର ଧାନ ଏବେ ବି ବିଲରେ ପାଣି ଭିତରେ ପଡ଼ିଛି।
ପ୍ରଦୀପ୍ତ କୁମାର ପାତ୍ର, ଗଡ଼ଶ୍ରୀରାମପୁର

ଜମିରେ ୫ ଏକର ଧାନ
ଭାଗରେ ଜମି ଆଣି ଚାଷ କରିଛି। ଧାନ ଭଲ ହୋଇଥିଲା। ଅଦିନିଆ ବର୍ଷା ପ୍ରଭାବରେ ତାହା ନଷ୍ଟ ହୋଇଯାଇଛି। ୬ ଏକର ଜମିରେ ଧାନ କରିଥିଲି। ସେଥିରୁ ମାତ୍ର ଗୋଟିଏ ଏକର କାଟିଛି। ଆହୁରି ୫ ଏକର ଧାନ ଜମିରେ ରହିଛି। ତାହାକୁ ଆଉ ପାଇବି ବୋଲି ବିଶ୍ୱାସ ନାହିଁ। ଏବର୍ଷ କ୍ଷତି ସହିବାକୁ ପଡ଼ିବ।
ସୁକାନ୍ତ ସେଠୀ, ବୁଦ୍ଧିପଡ଼ା

ଅମଳ କରିବାକୁ ସମୟ ମିଳିଲାନି
ବାଲିଅନ୍ତା ବ୍ଲକରର ପୁରଣପ୍ରଧାନ ଗ୍ରାମ ପଞ୍ଚାୟତର ୧୦ଟି ରେଭିନ୍ୟୁ ଗ୍ରାମରେ ୭୦% ଫସଲ ନଷ୍ଟ ହୋଇଛି। ଅଧିକାଂଶ ଚାଷୀ ଫସଲ ଅମଳ କରିପାରି ନାହାନ୍ତି। ଯେତେବେଳେ ସରକାର ସତର୍କ ସୂଚନା ଜାରି କଲେ ସେତେବେଳକୁ ପାଚିଲା ଧାନ ଅମଳ କରିବାକୁ ଆଉ ସମୟ ନ ଥିଲା। ଦୁଇଟି ବଡ଼ ଧାନ କଟା ମେସିନ୍‌ ହୋଇଥିଲେ ଅଉ କିଛି ଫସଲ ବର୍ଷାରୁ ରକ୍ଷା ପାଇଯାଇଥାନ୍ତା।
ଲକ୍ଷ୍ମୀଧର ନାୟକ, ସମିତି ସଭ୍ୟ, ପୁରଣପ୍ରଧାନ ଗ୍ର୍ରାମ ପଞ୍ଚାୟତ

ତୁରନ୍ତ ସହାୟତା ଦିଆଯାଉ
ଧାନ ତ ନଷ୍ଟ ହୋଇଗଲା। ଆଉ କ’ଣ ଫେରି ଆସିବ କି? ପୂର୍ବବର୍ଷଗୁଡ଼ିକ ପରି ବିଳମ୍ବ ନ କରି ଏଥର ତୁରନ୍ତ ସହାୟତା ପ୍ରଦାନ କରନ୍ତୁ। ଧାନ ଜମିରେ ପାଣି ରହିଥିବାରୁ ଏବର୍ଷ ଆଉ ମୁଗ କିମ୍ବା ବିରି ଚାଷ ବି କରାଯାଇପାରିବ ନାହିଁ। ଏବର୍ଷ କେବଳ କ୍ଷତି ହିଁ କ୍ଷତି ସହିବାକୁ ପଡ଼ୁଛି।
ଅପର୍ତ୍ତି ନାୟକ, ବୁଦ୍ଧିପଡ଼ା

ସମ୍ବନ୍ଧିତ ଖବର