ବିବାହ ଉତ୍ସବ ହେଉ କିମ୍ବା ଅଫିସିଆଲ୍‌ ପାର୍ଟି, ଜନ୍ମ ଦିନ ଭୋଜି ହେଉ ଅବା ଫେସନ୍‌ ସୋ’। ଏବେ ମହିଳାଙ୍କ କାନ ଫୁଲ, ହାର, ଚୁଡ଼ି ହେଉ କି ପାଦର ପାଉଁଚି ସବୁଠି ରହିଛି ‘ଅକ୍ସିଡାଇଜ୍‌ଡ୍‌ ଅଳଙ୍କାର’ର କେଜ୍‌। ସୁନା, ରୂପା ଓ ମୁକ୍ତା ଅଳଙ୍କାରର ଚାହିଦା ସବୁବେଳେ ଥିବା ବେଳେ ଏବେ ଏକ ଫେସନେବୁଲ୍‌ ଓ କୁଲ୍‌ ଲୁକ୍‌ ସହ ସମ୍ଭ୍ରାନ୍ତ ଶ୍ରେଣୀର ପରିଚୟ ଭାବେ ମୁଣ୍ଡଟେକିଛି ‘ଅକ୍ସିଡାଇଜ୍‌ଡ୍‌ ଅଳଙ୍କାର’। ଚମକିଲା ଧଳା ରୂପା ଉପରେ କଳା ରଙ୍ଗର ଆସ୍ତରଣ ଦିଆ ଅଳଙ୍କାର ଏବେ କଲେଜ ପଢ଼ୁଆ ଝିଅଙ୍କଠାରୁ ଆରମ୍ଭ କରି ନବବିବାହିତା, ମଧ୍ୟବୟସ୍କା ଓ ବୟସ୍କାଙ୍କ ମଧ୍ୟରେ ବେଶ୍‌ ଆଦୃତ୍ତି ଲାଭ କରିଛି। ଏହି ଅଳଙ୍କାରର ସାଇନିଂ ଓ ରଙ୍ଗ ସମସ୍ତ ରଙ୍ଗର ମହିଳାଙ୍କୁ ବେଶ୍‌ ମାନୁଥିବାରୁ ଏହା ସମସ୍ତଙ୍କ ପସନ୍ଦର ଶୀର୍ଷରେ ରହିଛି। ପାରମ୍ପରିକ ଶାଢ଼ି ହେଉକି ସାଲ୍‌ୱାର୍‌, ଅନାରକଲି ବା କୁର୍ତ୍ତି, କି ସେ ହେଉ ପ୍ରାଶ୍ଚାତ୍ୟ ପୋଷାକ, ଜିନ୍‌,ଟପ୍‌ ବା ୱାନ୍‌ ପିସ୍‌ ସମସ୍ତ ପ୍ରକାର ପୋଷାକ ପରିପାଟ୍ଟୀରେ ଅକ୍ସିଡାଇଜ୍‌ଡ୍‌ ଅଳଙ୍କାର ଏକ ସ୍ବତନ୍ତ୍ର ଲୁକ୍‌ ସୃଷ୍ଠି କରେ। ବେକରେ ସରୁ ଚେନ୍‌, ହାତର ମୁଦି କି ପାଦର ପାଉଚି ଓ ଆଙ୍କ୍‌ଲେଟ୍‌, ଏପରିକି ପାଦର ଝୁଣ୍ଟିଆ ସବୁଥିରେ ଦେଖିବାକୁ ମିଳୁଛି ଏହି ଅଳଙ୍କାରର ଚାହିଦା। ରାଜଧାନୀର ମହିଳାମାନେ ବି ଏହି ଅଳଙ୍କାରକୁ ବେଶ୍‌ ଖୁସିରେ ଆବୋରି ନେଇଛି।

Advertisment

ଜନପଥସ୍ଥିତ ସୁନା ଦୋକାନୀ ମୋହନ ସୁନ୍ଦର କୁହନ୍ତି, ସାଧାରଣତଃ ଶୁଦ୍ଧ ଓ ସଫା ରୂପାକୁ ନେଇ ଏହି ଅଳଙ୍କାର ପ୍ରସ୍ତୁତ ହୋଇଥାଏ। ଶୁଦ୍ଧ ଓ ସଫା ରୂପାକୁ ଦୀର୍ଘ ସମୟ ଧରି ଅକ୍ସିଜେନ୍‌(ଅମ୍ଲଜାନ) ସଂସ୍ପର୍ଶରେ ଆସିଲେ ଏହା ଉପରେ ଧୀରେ ଧୀରେ ଏକ କଳା ରଙ୍ଗର ଆସ୍ତରଣ ସୃଷ୍ଟି ହୁଏ। ଯାହାକି ଅଳଙ୍କାରକୁ ଏକ ନିଆରା ଓ ସମ୍ଭ୍ରାନ୍ତ ଲୁକ୍‌ ଦେଇଥାଏ। ଶୁଦ୍ଧ ରୂପା ଉପରେ ରସାୟନ ପ୍ରକ୍ରିୟାରେ ସଲ୍‌ଫର୍‌ର ଏକ ଆସ୍ତରଣ ଦେଇ ମଧ୍ୟ ଏହା ପ୍ରସ୍ତୁତ କରାଯାଇଥାଏ ବୋଲି ସେ କହିଛନ୍ତି। ଗବେଷଣାରୁ ଜଣାପଡ଼ିଛି, ଅକ୍ସିଡାଇଡ୍‌ଜ୍‌ ଅଳଙ୍କାର ପ୍ରସ୍ତୁତି ଓ ଏହାର ଚାହିଦା ଏବେକାର ନୁହେଁ, ୧୧୦୦ ମସିହାରୁ ଏହାର ଚାହିଦା ଥିବା ବେଳେ ୧୨୫୦ ମସିହା ଆଡ଼କୁ ସୁନା ପାଣି ଦିଆ ରୂପା ଗହଣାର ଚାହିଦା ବଢ଼ିବାରେ ଲାଗିଥିଲା। ତେବେ ଏବେ ରୂପା ଉପରେ ସୁନା ‌କୋଟିଂ ଦିଆ ଅକ୍ସିଡାଇଜ୍‌ଡ୍‌ ଅଳଙ୍କାର ଅପେକ୍ଷା କଳା ଆସ୍ତରଣ ପସନ୍ଦର ସର୍ବାଗ୍ରେ ରହିଛି। ଗୃହିଣୀ ହରପ୍ରିୟା ରଥ କହିଛନ୍ତି, ଚୋର ଭୟରେ ସୁନାଗହଣା ଟିକେ ପିନ୍ଧିବା କଷ୍ଟ ହେଲାଣି। ତେବେ ରୁପାରେ ଏହି କଳା କୋଟିଂ ଦିଆ ଅକ୍ସିଡାଇଜ୍‌ଡ୍‌ ଅଳଙ୍କାର ଏବେ ଏହାର ବିକଳ୍ପ ହୋଇଛି। କିଛି ବର୍ଷ ବ୍ୟବହାର ପରେ ଏହାର ରଙ୍ଗ ଛାଡ଼ିଯାଏ। କିନ୍ତୁ ସେଥିରେ ବି କିଛି ଅସୁବିଧା ନାହିଁ।