କ୍ୟାପିଟାଲ୍ ହସ୍ପିଟାଲରେ ଅନ୍ତର୍ଜାତୀୟ ଜର୍ଣ୍ଣାଲ ଅନୁକରଣରେ ହୋଇଥିଲା କ‌ରୋନା ଆକ୍ରାନ୍ତଙ୍କ ଚିକିତ୍ସା

ପ୍ରଥମ କରୋନା ଆକ୍ରାନ୍ତ ଡିସ୍‌ଚାର୍ଜ, ସଙ୍ଗରୋଧରେ ରହିବେ ଚିକିତ୍ସା କରୁଥିବା ଡାକ୍ତର

ଭୁବନେଶ୍ବର: ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଶୁକ୍ରବାର କ୍ୟାପିଟାଲ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଗତ ୨ଦିନ ଭିତରେ ରାଜ୍ୟର ପ୍ରଥମ ଦୁଇ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦୁଇଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିବା ରାଜ୍ୟବାସୀଙ୍କ ମନରେ କରୋନାକୁ ନେଇ ରହିଥିବା ଭୟ କିଛି ମାତ୍ରାରେ କମିଛି। ତେବେ ସଂକ୍ରମିତ ବ୍ୟକ୍ତିମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ କରୋନାର ଚିକିତ୍ସା କରିବା ନୂଆ ଅଭିଜ୍ଞତା ରହିଥିଲା। ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା କରୋନାକୁ ରାଜ୍ୟରେ କିଭଳି ଢଙ୍ଗରେ ଚିକିତ୍ସା କରାଗଲା, ତାହାର ତଥ୍ୟ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କୋରାନା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରେକ୍ବିନ୍ ଜରିଆରେ ଚିକିତ୍ସା କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ମାତ୍ର ରାଜ୍ୟରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିବା ବିଭିନ୍ନ ଚିକିତ୍ସା ପଦ୍ଧତିକୁ ଅନୁକରଣ କରିଥିବା ଜଣାପଡ଼ିଛି।  ଯାହାକି ରୋଗୀଙ୍କୁ ଭଲ କରିବା ଦିଗରେ ବେଶ୍‌ ଫଳପ୍ରଦ ହୋଇଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, କରୋନା ସଂକ୍ରମିତଙ୍କୁ ମୁଖ୍ୟତଃ ୩ ଭାଗରେ ବିଭକ୍ତ କରାଯାଇଛି। ମାଇଲ୍‌ଡ ବା ସ୍ବଳ୍ପ, ମଡରେଟ୍ ବା ମଧ୍ୟମଧରଣ ଓ ମାତ୍ରାଧିକ ପର୍ଯ୍ୟାୟ ରହିଛି। ପ୍ରଥମ ଆଡମିଟ୍‌ ହେବା ସମୟରେ ରୋଗୀଜଣକ କେଉଁ ପର୍ଯ୍ୟାୟ‌‌ରେ ରହିଛନ୍ତି, ତାହାକୁ ଅନୁଧ୍ୟାନ କରିବା ପରେ ଚିକିତ୍ସା ଆରମ୍ଭ କରାଯାଇଥାଏ। ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ କ୍ୟାପିଟାଲ ହସ୍ପିଟାଲରେ ଆଡିମିଟ୍ ହେବା ସମୟରେ ତାଙ୍କର ଡାଇରିଆ ବା ପତଳା ଝାଡ଼ା ସହିତ ବାନ୍ତି ଓ ମୁଣ୍ଡ ବୁଲାଉଥିଲା। ତେଣୁ ଏହାକୁ ବନ୍ଦ କରିବା ଲାଗି ଡାକ୍ତର ପ୍ରଥମେ ଲକ୍ଷଣ ଅନୁସାରେ ଚିକିତ୍ସା ଆରମ୍ଭ କରିଥିଲେ। ପରବର୍ତୀ ସମୟରେ ବିଭିନ୍ନ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ କରୋନା ଚିକିତ୍ସା ସମ୍ବନ୍ଧରେ ପ୍ରକାଶ ପାଇଥିବା ବିଭିନ୍ନ ରିପୋର୍ଟକୁ ଅନୁଧ୍ୟାନ କରାଯାଇଥିଲା। କେନ୍ଦ୍ର ସରକାର ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ପାଇଁ ଅନୁମତି ଦେଇଥିବାରୁ ଏହି ଔଷଧ ଆକ୍ରାନ୍ତଙ୍କୁ ଦିଆଯାଉଥିଲା। ଯାହାକି ବିଶେଷ ଫଳପ୍ରଦ ହୋଇଥିବା କୁହାଯାଉଛି। ତେବେ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ଯେଉଁ ଢଙ୍ଗରେ ଚିକିତ୍ସା କଥା କୁହାଯାଇଛି, ଏହାକୁ ମଧ୍ୟ ରୋଗୀଙ୍କ ଚିକିତ୍ସାରେ ସାମିଲ କରାଯାଇଥିଲା। ଆଗାମୀ ଦିନରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ସମାନ ଢଙ୍ଗରେ ଚିକିତ୍ସା କରାଯିବ ବୋଲି ଆଶା କରାଯାଉଛି।

ଅପରପକ୍ଷରେ ରାଜ୍ୟରେ କୌଣସି ବ୍ୟକ୍ତି କରୋନାରେ ସଂକ୍ରମିତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଯଦିଓ ପୂର୍ବରୁ ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ, ହେଲେ ଡାକ୍ତରଙ୍କ ପାଇଁ ଏହା ସଂପୂର୍ଣ୍ଣ ନୂଆ ଅଭିଜ୍ଞତା ରହିଥିଲା। କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ସକାଳ ଓ ରାତିରେ ସଂକ୍ରମିତ ବ୍ୟକ୍ତିଙ୍କ ନିକଟକୁ ଯାଇ ଚିକିତ୍ସା କରୁଥିଲେ। ସରକାରଙ୍କ ପକ୍ଷରୁ ଏଥିପାଇଁ ପିପିଓ ବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ଦିଆଯାଇଥିଲା। ଆରମ୍ଭରୁ କ୍ୟାପିଟାଲ ହସ୍ପିଟାଲରେ ଜଣେ ଯକ୍ଷ୍ମା ଓ ଛାତିରୋଗ ବିଶେଷଜ୍ଞ ଚିକିତ୍ସା କରୁଥିବା ବେଳେ ଏବେ ୩ଜଣ ଡାକ୍ତର ଓ ୩ଜଣ ଷ୍ଟାଫ୍ ନର୍ସ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ଅପରପକ୍ଷରେ କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏସ୍‌ଓପି ଅନୁସାରେ ୨ସପ୍ତାହ ଚିକିତ୍ସା ପରେ ସଂପୃକ୍ତ ଡାକ୍ତରଙ୍କୁ ସଙ୍ଗରୋଧ‌ରେ ରହିବାର ନିର୍ଦେଶ ରହିଛି। ଏହି ଭିତ୍ତିରେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ମଧ୍ୟ ସଙ୍ଗରୋଧରେ ରହିବେ ବୋଲି ସୂଚନା ମିଳିଛି। ଅପରକ୍ଷରେ ପ୍ରଥମ କରୋନା ଆକ୍ରାନ୍ତଙ୍କ କିଛିଦିନ ହେବ ନମୁନା ରିପୋର୍ଟ ନେଗେଟିଭ୍ ଆସୁଥିଲା। ମାତ୍ର କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ, ୨୪ଘଣ୍ଟାରେ ଯଦି ଦୁଇ ଥର ରିପୋର୍ଟ ନେଗେଟିଭ୍ ଆସିବ ତାହାଲେ ସଂପୃକ୍ତ ବ୍ୟକ୍ତିଙ୍କୁ ସୁସ୍ଥ ବୋଲି ଧରି ନିଆଯିବ। ତେଣୁ ଗତକାଲି ସଂପୃକ୍ତ ଯୁବକଙ୍କର ଦୁଇ ଥର ନମୁନା ନେଗେଟିଭ୍ ଆସିବା ପରେ ଆଜି ତାଙ୍କୁ ଡିସଚାର୍ଜ କରି ଦିଆଯାଇଛି।

ସମ୍ବନ୍ଧିତ ଖବର