ଭୁବନେଶ୍ବର : ମାତ୍ରାଧିକ ଫି’ ଆଦାୟ କରୁଥିବା ଘରୋଇ ସ୍କୁଲଗୁଡ଼ିକ ଉପରେ ଲଗାମ ଲଗାଇବାକୁ ବର୍ଷକ ତଳେ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। କେଉଁ ଶ୍ରେଣୀର ପିଲାଙ୍କ ପାଇଁ କେତେ ଫି’ ରହିବ ସେନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ କରାଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସୁପାରିସ ଲାଗି ପଠାଯାଇଥିଲା। ୨୦୧୮ ନଭେମ୍ବର ୧୪ରେ ଏହି ରିପୋର୍ଟ ଗଣଶିକ୍ଷା ବିଭାଗ ନିକଟରେ ପହଞ୍ଚିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଅନୁମୋଦନ ଲାଭ କଲା ନାହିଁ। ୮ ମାସ ହେଲା ‌ରିପୋର୍ଟକୁ ଚାପି ବସିଛନ୍ତି ବିଭାଗୀୟ ଅଧିକାରୀ। ଯାହାର ଫାଇଦା ଉଠାଇଛନ୍ତି ଭୁବନେଶ୍ବରରେ ଥିବା ଘରୋଇ ବିଦ୍ୟାଳୟ। ୨୦୧୯-୨୦ ଶିକ୍ଷାବର୍ଷରେ ଫି’ ଷ୍ଟ୍ରକଚର୍‌ ନିୟମ ତଥା କଟକଣା ଲାଗୁ ହୋଇ ନଥିବାରୁ ଛାତ୍ରଛାତ୍ରୀଙ୍କ ନାମଲେଖା ବାବଦରେ ଅଭିଭାବକଙ୍କୁ ଶୋଷଣ କରିଛନ୍ତି ଘରୋଇ ବିଦ୍ୟାଳୟ।

Advertisment

ଏଥର ସ୍କୁଲ ଫି’ କେମିତି ରହିଛି ଜାଣିବା ଲାଗି ଡୁମୁଡୁମା, ଚନ୍ଦ୍ରଶେଖରପୁର ଓ ସିଆର୍‌ପି ଅଞ୍ଚଳରେ ଥିବା ଘରୋଇ ବିଦ୍ୟାଳୟକୁ ଯାଇଥିଲୁ। ତେବେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ସରିଯାଇଥିବା କହି ସ୍କୁଲ ଫାଟକ ଡେଇଁବାକୁ ଦେଇ ନଥିଲେ ବିଦ୍ୟାଳୟର ସୁରକ୍ଷାକର୍ମୀ। ଆଉ କିଛି ବିଦ୍ୟାଳୟକୁ ଫୋନ୍‌ ଯୋଗେ ପଚାରିବାରୁ ନାମଲେଖା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଲମ୍ବା ତାଲିକା ଶୁଣାଇଥିଲେ। ନାମଲେଖା ଫି’ ସମେତ ଟ୍ୟୁସନ୍‌ ଫି’, କ୍ରୀଡ଼ା ଫି’, ଲାଇବ୍ରେରି ଫି’ ଆଦି ବିଷୟରେ କହିଥିଲେ। ସିବିଏସ୍‌ଇ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ଏବେ ଏକାଦଶ ଶ୍ରେଣୀରେ ନାମଲେଖା ପ୍ରକ୍ରିୟା ଚାଲିଛି। ଯାହାର ଫାଇଦା ଉଠାଇବାରେ ଲାଗିପଡ଼ିଛନ୍ତି ଘରୋଇ ବିଦ୍ୟାଳୟ। କିଛି ବିଦ୍ୟାଳୟ ଗତବର୍ଷ ତୁଳନାରେ ଅଧିକ ଫି’ ବୃଦ୍ଧି କରିଛନ୍ତି। ତ ଆଉ କିଛି ବିଦ୍ୟାଳୟ ପଛ ବାଟେ ସିଟ୍‌ ବିକ୍ରି ଆରମ୍ଭ କରିଦେଇଛନ୍ତି। ବଡ଼ ବଡ଼ ସ୍କୁଲଗୁଡ଼ିକ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି’ ନେଉଛନ୍ତି। ଆଉ ମଧ୍ୟମଧରଣର ବିଦ୍ୟାଳୟଗୁଡ଼ିକ ଦୁଇ ବର୍ଷକୁ ଦୁଇରୁ ତିନି ଲକ୍ଷ ଟଙ୍କା ନେଉଥିବା ଜଣାପଡ଼ିଛି।

କଳ୍ପନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ହେଉଛି। ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରୁଥିବା ପିଲାଙ୍କ ନାମଲେଖା ପୂର୍ବରୁ ପ୍ରୋଭିଜନାଲ ନାମଲେଖା କରାଯାଉଛି। ଏବାବଦରେ ପ୍ରତି ପିଲା ପିଛା ୫ ହଜାର ଟଙ୍କା ନିଆଯାଉଛି। ତେବେ ନାମଲେଖା ବେଳକୁ ଦଶମରେ ୯୦%ରୁ ଅଧିକ ମାର୍କ ରଖି ନଥିବା ଦର୍ଶାଇ ପିଲାଙ୍କୁ ନାମଲେଖା ଲାଗି ସୁଯୋଗ ଦେଉନାହାନ୍ତି। ତେବେ ନାମଲେଖା ଫି’ ୫୫ ହଜାର ନେଉଥିବା ଜଣାପଡ଼ିଛି। ଏହାବ୍ୟତୀତ ଅନ୍ୟାନ୍ୟ ଫି’ ବି ରହିଛି। ପ୍ରତି ମାସରେ ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ ଫି’ ଦେବାକୁ ବି ପଡ଼ିବ ବୋଲି ଅଭିଭାବକଙ୍କୁ କୁହାଯାଇଛି।

ଭୁବନେଶ୍ବର କେନ୍ଦ୍ରସ୍ଥଳୀରେ ଥିବା‌ ଏକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ନାମଲେଖା ଲାଗି ଫି’ ଷ୍ଟ୍ରକଚର୍‌ ଭିନ୍ନ ଭିନ୍ନ ରହୁଛି। ପୂର୍ବରୁ ଏହି ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କ ଲାଗି କମ୍‌ ରଖାଯାଇଛି। ଅନ୍ୟ ବିଦ୍ୟାଳୟରୁ ଆସି ଏଠାରେ ପଢ଼ିବାକୁ ଆଗ୍ରହୀ ପିଲାଙ୍କଠାରୁ ଦୁଇ ବର୍ଷ ପାଇଁ ୩ରୁ ୪ ଲକ୍ଷ ଟଙ୍କା ନେଉଥିବା ଅଭିଭାବକମାନେ କହିଛନ୍ତି। ତେବେ ସର୍ବନିମ୍ନ ଫି’ ୨ ଲକ୍ଷ ୭୧ ହଜାର ଟଙ୍କା ରହିଥିବା ଜଣାପଡ଼ିଛି। ପ୍ରବେଶିକା ପରୀକ୍ଷା କରିବା ନାଁରେ ବିଦ୍ୟାଳୟଗୁଡ଼ିକ ହଜାରେ ଟଙ୍କା ଲେଖାଏ ନେଉଛନ୍ତି। ମାତ୍ର କେଉଁ ପିଲାଙ୍କ ନାମଲେଖା ହେବ ତାହା ପୂର୍ବରୁ ସ୍ଥିର ହେଉଛି। ସେହି ଅନୁଯାୟୀ ତାଲିକା ବି ପ୍ରସ୍ତୁତ ହେଉଛି। ନାଁକୁ ମାତ୍ର ପ୍ରବେଶିକା ପରୀକ୍ଷା କରାଯାଉଛି। ଏଥିରେ ବାହାର ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଉଛନ୍ତି। ହେଲେ ସଫଳତା ହାସଲ କରିପାରୁ ନାହାନ୍ତି।
ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୟୁକେଜିରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ସ୍ଲାବ୍‌ରେ ଫି’ ଧାର୍ଯ୍ୟ କରାଯାଇଛି। କେଉଁ ଶ୍ରେଣୀ ପାଇଁ କେତେ ଟଙ୍କା ଫି’ ରହିବ ତାହା ଉଲ୍ଲେଖ ହୋଇଛି। ବର୍ଷକୁ ସର୍ବାଧିକ ୮% ପର୍ଯ୍ୟନ୍ତ ଫି’ ବଢ଼ିପାରିବ ବୋଲି ସ୍ପଷ୍ଟ ଭା‌ବେ କୁହାଯାଇଛି। ତେବେ କିଛି ବିଦ୍ୟାଳୟ ଏହାଠାରୁ ଅଧିକ ଫି’ ଆଦାୟ କରିଥିବା ନଜରକୁ ଆସିଛି। ଯାହାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିବା ପରେ ସହରର ୩ଟି ଘରୋଇ ବିଦ୍ୟାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ୮%ରୁ ଅଧିକ ଫି’ ତୁରନ୍ତ ଫେରସ୍ତ କରିବାକୁ ମାଧ୍ୟମିକ ଶିକ୍ଷା ନି‌ର୍ଦେଶାଳୟ ପକ୍ଷରୁ ଦେଢ଼ ମାସ ତଳେ ନିର୍ଦେଶ ଦିଆଯାଇଥିଲା। ୨୦୧୭-୧୮ରୁ ଫି’ ଷ୍ଟ୍ରକଚର୍ ଲାଗୁ କରିବାକୁ କୁହାଯାଇଥିଲା। ଯେଉଁ ସ୍କୁଲ କର୍ତ୍ତୃପକ୍ଷ ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଫି’ ଆଦାୟ କରିନେଇଛନ୍ତି ସେମାନେ ଯଦି ଅଧିକ ଫି’ ନେଇଥିବେ ତାହାକୁ ତୁରନ୍ତ ଫେରାଇବାକୁ କୁହାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନି।

ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ କହିବାନୁଯାୟୀ ଫି’ ଷ୍ଟ୍ରକଚର୍‌କୁ ତୁରନ୍ତ ଲାଗୁ କରିବାର ଆବଶ୍ୟକତା ରହିଛି। ଯେତିକି ଡେରି ହେଉଛି ଘରୋଇ ବିଦ୍ୟାଳୟ ଅଧିକ ଫି’ ଆଦାୟ କରୁଛନ୍ତି। ଏହାଦ୍ବାରା ଅଭିଭାବକମାନେ ଶୋ‌ଷଣର ଶିକାର ହେଉଛନ୍ତି। ଇତି ମଧ୍ୟରେ କିଛି ବିଦ୍ୟାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଯେଉଁଥିପାଇଁ ବାକି ବିଦ୍ୟାଳୟଗୁଡ଼ିକ ସଜାଗ ହୋଇଯାଇଛନ୍ତି।