ଜାନକୀବଲ୍ଲଭଙ୍କ ଶେଷ ଇଚ୍ଛା ପୂରଣ ପାଇଁ ସଂକଳ୍ପ

ବେଗୁନିଆ ବରମୂଳେଇରେ ଆମ ଓଡ଼ିଶା ପାର୍ଟିର କର୍ମୀ ସମ୍ମିଳନୀ

ଖୋର୍ଧା: ବେଗୁନିଆ ସଦର ମହକୁମାସ୍ଥିତ ମା’ ବରମୂଳେଇ ପୀଠରେ ଆମ ଓଡ଼ିଶା ଦଳ ତରଫରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବେଗୁନିଆର ପୂର୍ବତନ ସରପଞ୍ଚ ନବକିଶୋର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପୂର୍ବତନ ସାଂସଦ ତଥା ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳ ଓ ବ୍ୟକ୍ତି ଅପେକ୍ଷା ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ସେ କହିଲେ, କଂଗ୍ରେସ କେବଳ ଏକ ଦଳକୁ ବୁଝାଏ ନାହିଁ; ଏହା ଏକ ବିଚାରଧାରା। ଆଜିର ଦଳଗୁଡ଼ିକ ବ୍ୟକ୍ତିକୈନ୍ଦ୍ରିକ ହୋଇ ବିଚାରଧାରାଠାରୁ ଦୂରେଇ ଯାଉଛନ୍ତି। ସାଂପ୍ରତିକ ଓଡ଼ିଶାର ରାଜନୀତି ସଂପର୍କରେ ସୂଚନା ଦେଇ ସେ ପୁଣି କହିଲେ, ଦୁର୍ନୀତି ଓ ଅହଂକାର ଆଜିର ବ୍ୟବସ୍ଥାର ସବୁସ୍ତରକୁ ବ୍ୟାପିଛି। ଏହି ଦୁର୍ନୀତି ଓ ଅହଂକାର ବିରୋଧରେ ସଂଗ୍ରାମ କରିବାକୁ ସେ କର୍ମୀମାନଙ୍କୁ ଆହ୍ଵାନ ଦେଇଥିଲେ।

ସେ ଆହୁରି କହିଲେ, ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ବୋଲଗଡ଼-ବେଗୁନିଆ ନିର୍ବାଚନମଣ୍ଡଳୀକୁ ବହୁତ ଭଲ ପାଉଥିଲେ। ଏହାର ସାମଗ୍ରିକ ବିକାଶ ଜାନକୀ ବାବୁଙ୍କ ସ୍ୱପ୍ନ ଥିଲା। ଆସାମ ରାଜ୍ୟପାଳ ଥାଇ ମଧ୍ୟ ସେ ବୋଲଗଡ଼-ବେଗୁନିଆ ସଂପର୍କରେ ଅହରହ ଚିନ୍ତା କରୁଥିଲେ। ତାଙ୍କର ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ମିଳିତ ଉଦ୍ୟମ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଥିଲେ। ବିଶେଷକରି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶେଷ ସମୟରେ କଂଗ୍ରେସ ଦଳ ତାଙ୍କ ପ୍ରତି ଅନ୍ୟାୟ କରିଛି। ଆଗାମୀ ଦିନରେ ଜାନକୀ ଶୁଭେଚ୍ଛୁ ଓ ଅନୁଗାମୀମାନେ ଏହାର ଉଚିତ୍‌ ଜବାବ ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଯୁବନେତା ପ୍ରଦୀପ ସାହୁ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବେଗୁନିଆ, ବୋଲଗଡ଼ ଜନସାଧାରଣଙ୍କ ପ୍ରତି ଥିବା ଅନାବିଳ ସ୍ନେହ, ସଦିଚ୍ଛା ଓ ସାହାଯ୍ୟ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ ଏବଂ ଖୁବ୍‌ଶୀଘ୍ର ଦୁର୍ନୀତି ଓ ଅହଂକାର ବିରୋଧରେ ବ୍ଲକ ଘେରାଉ କରାଯିବ ବୋଲି କହିଥିଲେ। ସଭାରେ ବହୁ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସରପଞ୍ଚ ଓ ୨୧ଟି ପଞ୍ଚାୟତର ଛାମୁଆ କର୍ମୀମାନେ ଯୋଗଦେଇ ଜାନକୀ ବାବୁଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ସଂକଳ୍ପ ନେଇଥିଲେ।

ସଭାରେ ଅନ୍ୟମାନଙ୍କ ମଧ୍ୟରେ ବୋତଳମା ସରପଞ୍ଚ ଭରତ ଚ୍ଛୋଟରାୟ, ପଙ୍ଗାରସିଂହ ସରପଞ୍ଚ ସରୋଜ ମହାପାତ୍ର, ସମିତି ସଭ୍ୟ କୁନିଲତା ଲେଙ୍କା, ଡିଙ୍ଗର ସରପଞ୍ଚ ଶିବ ପ୍ରସାଦ ଦାଶ, ଶଗଡ଼ଭଙ୍ଗା ସରପଞ୍ଚ ବୀଣାପାଣି ସାମନ୍ତରାୟ, ସମିତିସଭ୍ୟ ଅର୍ଚ୍ଚନା ପଟ୍ଟନାୟକ, ସିକୋ ସରପଞ୍ଚ ସୁରେଶ ସାହୁ, ସମିତି ସଭ୍ୟ ଦେବେନ୍ଦ୍ର ରଣସିଂ, ସାରୁଅ ସରପଞ୍ଚ ସୁଦର୍ଶନ ବେହେରା, ସମିତି ସଭ୍ୟ ଭାନୁମତୀ ବେହେରା, କଣ୍ଟାବାଡ଼ ସମିତି ସଭ୍ୟ ସୁବାସ ମହାନ୍ତି, ଗୋବିନ୍ଦପୁର ସମିତି ସଭ୍ୟ ବିପିନ ମହାପାତ୍ର, ଦୁର୍ଗାପୁର ସମିତି ସଭ୍ୟ ଅଶୋକ ସେନାପତି, ହଜ୍‌ ସମିତି ସଭ୍ୟ ରୀତା ପାଇକରାୟ, କଣ୍ଟାବାଡ଼ ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ବେହେରା, ପୂର୍ବତନ ସମିତିସଭ୍ୟ ଶିଶିର ଆଚାର୍ଯ୍ୟ, କୁଞ୍ଜୁରି ପୂର୍ବତନ ସରପଞ୍ଚ ପଦ୍ମନାଭ ଖାଡ଼ଙ୍ଗା, ଦୁର୍ଗାପୁର ପୂର୍ବତନ ସରପଞ୍ଚ ଲୋଚନ ମହାପାତ୍ର, ସିମର ପୂର୍ବତନ ସରପଞ୍ଚ ହାଡ଼ୁବନ୍ଧୁ ମହାପାତ୍ର, ଡିଙ୍ଗର ପୂର୍ବତନ ସରପଞ୍ଚ କାହ୍ନ ଚରଣ ନାଗ, ପୋଡ଼ାଡ଼ିହ ପୂର୍ବତନ ସରପଞ୍ଚ ସୁଦର୍ଶନ ମାଣିକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ବେହେରା, ବରିଷ୍ଠ ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ରବିନାରାୟଣ ମହାପାତ୍ର, ରବୀନ୍ଦ୍ର ପଣ୍ଡା, ବୋଲଗଡ଼ର ନାରୀନେତ୍ରୀ ଗୌରୀଦେବୀ, ମଧୁସୂଦନ ସୁବୁଦ୍ଧି, ନୀଳମଣି ପ୍ରଧାନ, ଦ୍ୱିଜବର ସ୍ୱାଇଁ, ବାବୁଲି ପାତ୍ର, ମନୁ ଲେଙ୍କା, ଯୁବକର୍ମୀ ମଇଉଦ୍ଦିନ୍‌ ଅହମ୍ମଦ (ସିଲୁ), ହରିହର ମହାପାତ୍ର, କବୀନ୍ଦ୍ର ଚମ୍ପତି, ଅଜୟ ମହାପାତ୍ର, ଲକ୍ଷ୍ମୀଧର ପଣ୍ଡା, ରଂଜନ ବେହେରା, ସଦାଶିବ ବରିଶଲ, ବିବେକାନନ୍ଦ ପଟ୍ଟନାୟକ, ବିରଞ୍ଚି ଜଗଦ୍ଦେବ, ଲକ୍ଷ୍ମୀଧର ନାୟକ, ଅଭିନ୍ନ ବେହେରା ଓ ନକୁଳ ପ୍ରଧାନଙ୍କ ସମେତ ପାଞ୍ଚଶହରୁ ଊର୍ଧ୍ୱ କର୍ମୀ ଓ ଜାନକୀପ୍ରେମୀ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ପରେ ଗୋବିନ୍ଦପୁର ପଞ୍ଚାୟତର ଦିବଙ୍ଗତ ପୂର୍ବତନ ସରପଞ୍ଚ ଶିଖର ପ୍ରଧାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ବେଗୁନିଆର ନାଏବ ସରପଞ୍ଚ ପ୍ରସନ୍ନ ବାରିକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର